ରାଜ୍ୟରେ ମେ’ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ମେ’ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବ। କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ କୌଣସି କେନ୍ଦ୍ରରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଳନରେ ଖିଲାପ ହେଲେ ସେହି କେନ୍ଦ୍ରରେ ଧାନ ସଂଗ୍ରହ କାର୍ଯ୍ୟକୁ ବନ୍ଦ କରିଦିଆଯିବ।

ସରକାରଙ୍କ ପକ୍ଷରୁ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ରାଜ୍ୟର ୧୭ଟି ଜିଲ୍ଲାରେ ମୋଟ ୨ ଲକ୍ଷ ୫୮ ହଜାର ୩୫୭ ଜଣ ଚାଷୀ ସେମାନଙ୍କ ନାମ ଅନ୍‌ଲାଇନ୍‌ ଯୋଗେ ପଞ୍ଜିକୃତ କରିଛନ୍ତି। ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ ଚାଷୀ ରବିଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି। ଏହି ୧୭ଟି ଜିଲ୍ଲା ମଧ୍ୟରେ ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲା ରହିଛି। ମୋଟ ୮୨୯ ପ୍ୟାକସ୍‌,ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ପ୍ରତ୍ୟେକ ଦିନ ସକାଳ ୭ ଘଟିକାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ। ସେହିଦିନ ଅପରାହରେ କଷ୍ଟମ ମିଲରମାନେ କେନ୍ଦ୍ରରୁ ଧାନ ଉଠାଣ କରିବେ। କେନ୍ଦ୍ରରେ ଭିଡ଼ ଏଡାଇବା ପାଇଁ ଦୈନିକ ୩୦ରୁ ୩୫ ଜଣରୁ ଅଧିକ ଚାଷୀଙ୍କଠାରୁ ଧାନ ସଂଗ୍ରହଣ କରାଯିବ ନାହିଁ। ଗୋଟିଏ ଥରରେ ୧୦ରୁ ୧୨ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯିବ। ସେହି ସମୟ ମଧ୍ୟରେ ଚାଷୀ ତାଙ୍କ ଧାନ ମଣ୍ଡିକୁ ଆଣିବେ। କେନ୍ଦ୍ରକୁ ଆସୁଥିବା ଚାଷୀ, ଶ୍ରମିକ, ମିଲର ଏବଂ ଧାନ ସଂଗ୍ରହ କେନ୍ଦ୍ରର କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ହ୍ୟାଣ୍ଡ ସାନିଟାଇଜର ରଖାଯିବ। କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ କିମ୍ବା କପଡ଼ାରେ ମୁହଁ, ପାଟି ଘୋଡ଼ାଇବା ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ଲକ୍ଷ୍ୟରେ ଧାନ ସଂଗ୍ରହ କେନ୍ଦ୍ରକୁ ଲୋଡ଼ିଂ, ଅନ୍‌ଲୋଡ଼ିଂ, ଚାଷୀମାନଙ୍କ ପ୍ରତୀକ୍ଷା ସ୍ଥଳ ଆଦି ଅଲଗା ଅଲଗା ଜୋନ୍‌ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଜୋନ ମଧ୍ୟରେ ଅନ୍ତତଃ ୩ ମିଟରର ଦୂରତ୍ୱ ରଖାଯିବ। କେନ୍ଦ୍ର ମଧ୍ୟକୁ ସମ୍ପୃକ୍ତ କର୍ମଚାରୀ,ମିଲରଙ୍କ ଏଜେଣ୍ଟ, ଶ୍ରମିକ, ଏବଂ ସେହିଦିନ ପାଇଁ ଉଦ୍ଦିଷ୍ଟ ଚାଷୀ ଓ ଗାଡ଼ିର ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ। ପ୍ରତ୍ୟେକ କେନ୍ଦ୍ରରେ ମାଇକ୍‌ ଘୋଷଣା ଦ୍ୱାରା ଚାଷୀମାନଙ୍କୁ ସେମାନଙ୍କର ଧାନ ବିକିବା ପାଳି ଓ ସମୟ ସଂପର୍କରେ ଜଣାଇ ଦିଆଯିବ। ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି ସରକାର କହିଛନ୍ତି।

ସରକାର କହିଛନ୍ତି, ଧାନ ସଂଗ୍ରହ କେନ୍ଦ୍ର ପରିସରରେ ଧୂମପାନ ଓ ଛେପ ପକାଇବା ନିଷିଦ୍ଧ କରାଯାଇଛି। ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରୁଥିବା କର୍ମଚାରୀମାନେ ହାତରେ ନନ୍‌ ସର୍ଜିକାଲ୍‌ ଗ୍ଲୋଭସ୍‌ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ଆବଶ୍ୟକସ୍ଥଳେ କେନ୍ଦ୍ରକୁ ଧାନ ନେଇ ଆସୁଥିବା ଗାଡିଗୁଡିକୁ ସାନିଟାଇଜ କରାଯିବ। ସେହିପରି ଧାନ ଉଠାଣ ଗାଡ଼ିଗୁଡ଼ିକ ସଠିକ ଭାବରେ ସାନିଟାଇଜ ହୋଇଛି ବୋଲି ସମ୍ପୃକ୍ତ ମିଲରମାନଙ୍କ ସାର୍ଟିଫିକେଟ୍‌ ପ୍ରଦର୍ଶନ ପରେ କେନ୍ଦ୍ର ମଧ୍ୟକୁ ଗାଡି ପ୍ରବେଶ ପାଇଁ ଅନୁମତି ମିଳିବ।

ଛତିଶଗଡ ରାଜ୍ୟରୁ ଓଡ଼ିଶାକୁ ଯେପରି ଧାନ ଆସିନପାରେ ସେଥିପ୍ରତି ଓଡ଼ିଶା ସୀମାରେ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସମବାୟ ସମିତି ସମୁହର ଡ଼ିଭିଜିନାଲ ରେଜିଷ୍ଟ୍ରାର୍‌, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିୟମିତ ତଦାରଖ କାର୍ଯ୍ୟ କରିେବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର