ବାଲେଶ୍ବର : ସମବାୟ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ ବି ବାଲେଶ୍ବର ଜିଲ୍ଲାରେ ଧାନଖର୍ଦ୍ଦିରେ ଅଚଳାବସ୍ଥା ଲାଗି ରହିଛି। ୧୪୩ ସୋସାଇଟିରୁ ମାତ୍ର ୨୫ଟି ମଣ୍ଡି ଖୋଲିଥିବା ବେଳେ ଆହୁରି ୧୧୮ଟି ମଣ୍ଡି ଖୋଲିବାକୁ ବାକି ରହିଛି। ସେପଟେ ଧାନବିକ୍ରି ପାଇଁ ଉଦ୍ଦିଷ୍ଟ ଟୋକନ୍ଗୁଡ଼ିକର ସମୟ ଅତିକ୍ରାନ୍ତ ହେବାକୁ ବସିଛି। ଆଉ ମାତ୍ର ୧୦ ଦିନ ପରେ ଟୋକନ୍ ଅବଧି ସରିଯିବ। ଅଥଚ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି।
ଗତମାସ ୧୫ ତାରିଖରୁ ଜିଲ୍ଲାରେ ଧାନଖର୍ଦ୍ଦି ଆରମ୍ଭ ହୋଇଥିବାବେଳେ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଧାନସଂଗ୍ରହ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଫଳରେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସବୁ ମଣ୍ଡି ଖୋଲି ପାରିନାହିଁ। ଯାହାଫଳରେ ୨୦ ଦିନ ଭିତରେ ମାତ୍ର ୨୭୫ ଜଣ ଚାଷୀ ଧାନବିକ୍ରି କରି ପାରିଛନ୍ତି। ଏହି ୨୫ଟି ମଣ୍ଡିରୁ ଚାଷୀଙ୍କଠାରୁ ୧୦ ହଜାର ୨୦୨ କୁଇଣ୍ଟାଲ ଧାନଖର୍ଦ୍ଦି ହୋଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠୁ ବଡ଼କଥା ହେଲା, ଚାଷୀଙ୍କୁ ମିଳିଥିବା ଟୋକନ୍ ଅବଧି ଆଉ ୧୦ ଦିନ ପରେ ସରିଯିବ। ଟୋକନ୍ର ଅବଧି ମାତ୍ର ଗୋଟିଏ ମାସ। ଏହା ପରେ ଧାନବିକ୍ରି ବାଟ ବନ୍ଦ ହୋଇଯିବ। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଯଦିଓ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନଖର୍ଦ୍ଦି ଜାରି ରହିବ ବୋଲି ପ୍ରଶାସନ କହିଛି, କିନ୍ତୁ ଟୋକନ୍ ଅବଧି ସଂପର୍କରେ କେହି ମୁହଁ ଖୋଲୁନାହାନ୍ତି।
ଚଳିତବର୍ଷ ଖରିଫ ଋତୁରେ ଜିଲ୍ଲାରେ ୧୪୩ଟି ସୋସାଇଟି ଓ ୨୬ଟି ମଣ୍ଡିରୁ ଧାନସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଥିଲା। ଧାନ ବିକ୍ରି ପାଇଁ ୯୪ ହଜାର ୧୯୧ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଯାଞ୍ଚ ପରେ ୨ ହଜାର ୧୦୨ ଜଣ ନକଲି ଚାଷୀ ଧରାପଡ଼ିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୭ ଲକ୍ଷ ୧୧ ହଜାର ୭୭୧ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିଲା। ତେବେ ଧାନଖର୍ଦ୍ଦିରେ ଅବ୍ୟବସ୍ଥା ଲାଗି ରହିଥିବାରୁ ଏବର୍ଷ ସବୁ ଚାଷୀ ସେମାନଙ୍କର ଉତ୍ପାଦିତ ଧାନକୁ ବିକ୍ରି କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଟୋକନ୍ ଅବଧି ଓ ବିଭିନ୍ନ କାରଣରୁ ଗତ ୩ ବର୍ଷରେ ପଞ୍ଜିକୃତ ୬୫ ହଜାର ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରଶାସନ ଏ ନେଇ ପଦକ୍ଷେପ ନ ନେଲେ ଧାନବସ୍ତା ଧରି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀନେତା ମଳୟ ମହାନ୍ତି, ଦିବାକର ଜେନା, ଅଂଶୁମାନ ମଲ୍ଲିକ କହିଛନ୍ତି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କୁ ପଚରାଯିବାରୁ ଜିଲ୍ଲାରେ ଧାନଖର୍ଦ୍ଦି ବ୍ୟବସ୍ଥା ଧିମେଇଥିବା କଥାକୁ ସ୍ବୀକାର କରିବା ସହ ତାକୁ ତ୍ବରାନ୍ବିତ କରିବା ପାଇଁ ଉଦ୍ୟମ ଚାଲିଥିବା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/paddy-balasore.jpg)