ରବିରେ ବି ସେହି ଅବସ୍ଥା: ମଣ୍ଡିରେ ୭୭ହଜାର ବସ୍ତା ଧାନ ଗଦା

ବରଗଡ଼ : ମାଗତ ମରୁଡ଼ି, ରୋଗପୋକ ଯୋଗୁଁ ଜିଲ୍ଲାର ଚାଷୀ ସା˚ଘାତିକ ସ୍ଥିତି ଦେଇ ଗତି କରୁଛନ୍ତି। ଉପରୋକ୍ତ ଦୁଇଟି ବିପଦରୁ ଯାହା ଫସଲ ବ˚ଚି ଯାଇଛି, ସେତିକି ହିଁ ଚାଷୀର ସାହା ଭରସା। କଷ୍ଟୋପାର୍ଜିତ ଧାନତକ ବିକ୍ରି ନିଜ କ୍ଷତିକୁ କିଛି ଭରଣା କରିବାକୁ ଚାଷୀମାନେ ଆଶା ବାନ୍ଧିଛନ୍ତି। କିନ୍ତୁ ଧାନର କଟନି ଛଟନି ଯୋଗୁଁ ଚାଷୀମାନେ ଆହୁରି ଶୋଷଣର ଶିକାର ହେଉଛନ୍ତି। ଏହି ଶୋଷଣର କର୍ତା ସାଜିଛନ୍ତି ମୁନାଫାଖୋର ମିଲର୍ସମାନେ। ଧାନବିକ୍ରି ପ୍ରକ୍ରିୟାରେ ଯେତେ ସ˚ସ୍କାର ଆଣିବାକୁ ସରକାର ଏବ˚ ପ୍ରଶାସନ ଚେଷ୍ଟା କଲେ ବି ମିଲର୍ସମାନେ ଏହାକୁ ଖାତିର କରୁନାହାନ୍ତି। ଜିଲ୍ଲାର ଜଣାଶୁଣା ଚାଷୀଙ୍କୁ ବାଦ୍‌ ଦେଲେ ଅଗଣିତ ଚାଷୀ ମିଲର୍ସ ହାବୁଡ଼ରେ ପଡ଼ି ସ୍ବଳ୍ପ ଦରରେ ଧାନ ଟେକି ଦେଉଛନ୍ତି। ଜିଲ୍ଲାରେ ଗତ ୧୨ ତାରିଖ ଠାରୁ ରବି ଧାନ କିଣା ଆରମ୍ଭ ହୋଇଛି। କିନ୍ତୁ ବିଭିନ୍ନ କାରଣରୁ ଚାଷୀଙ୍କ ମୁଣ୍ଡରୁ ଚିନ୍ତା ଟଳିନି। ସେମାନେ ଯାହା ଆଶଂକା କରୁଥିଲେ, ତାହା ସତ ହୋଇଛି।

ସାଧରଣତଃ ରବିଧାନ ପାଇଁ ମେ’ ୧ରୁ ଜୁନ୍‌ ୩୦ ମଣ୍ଡି ବ୍ୟବସ୍ଥା ରହିବା କଥା। କିନ୍ତୁ ଅତାବିରା ଓ ବରଗଡ଼ ଆର୍‌ଏମ୍‌ସି ଅଧିନରେ ୧୨ ତାରିଖ ଓ ପଦ୍ମପୁର ଆର୍‌ଏମ୍‌ସି ଇଲାକାରେ ୧୫ ତାରିଖରୁ ମଣ୍ଡି ଖୋଲିଛି। ଏଥର ଜିଲ୍ଲାର ୧୫୬ଟି ମଣ୍ଡି ଏବଂ କ୍ରୟକେନ୍ଦ୍ରରେ ଧାନ କିଣା ଆରମ୍ଭ ହୋଇଛି। ଏଥିରେ ୭୪ଟି ମଣ୍ଡି ଏବଂ ୮୨ଟି କ୍ରୟ କେନ୍ଦ୍ର ସାମିଲ ରହିଛି। କିନ୍ତୁ ବର୍ତମାନ ୭୭ହଜାର ବସ୍ତା ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି। ଅତାବିରା ଆର୍‌ଏମ୍‌ସି ଅଧିନରେ ୩୨,୩୪୫ ବସ୍ତା, ବରଗଡ଼ ଆର୍‌ଏମ୍‌ସି ଅଧିନରେ ୧,୨୭୧ ବସ୍ତା ଏବଂ ପଦ୍ମପୁର ଆର୍‌ଏମ୍‌ସି ଅଂଚଳରେ ସର୍ବାଧିକ ୪୩,୪୧୪ ବସ୍ତା ଧାନ ପଡ଼ି ରହିଛି। ସୂଚନା ଅନୁସରେ, ଅତାବିରା ଆର୍‌ଏମ୍‌ସି ଅଧିନରେ ୨,୯୮,୫୮୬ ବସ୍ତା, ବରଗଡ଼ ଆର୍‌ଏମ୍‌ସି ଅଧିନରେ ୧,୫୭,୨୮୬ ବସ୍ତା ଏବଂ ପଦ୍ମପୁର ଆର୍‌ଏମ୍‌ସି ଅଂଚଳରେ ସର୍ବାଧିକ ୩୩,୪୬୫ ବସ୍ତା ଧାନ ଉଠିଛି। ଜିଲ୍ଲାରେ ଏଥର ୭୭ ହଜାର ଉପରେ ଚାଷୀ ରବି ଧାନ ବିକିବାକୁ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଏଯାଏଁ ମାତ୍ର ୨,୯୪୦ ଜଣଙ୍କ ଧାନ ଉଠିଛି।

ଏଣେ ବାରମ୍ବାର କାଳବୈଶାଖୀ ଭୟ ଥିବାରୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ରହିଛି। ରବି ଧାନ କିଣା ପାଇଁ ୧୫ ଦିନ ଟୋକନ୍‌ ଅବଧି ରଖା ଯାଇଛି। ଅବଧି ସ୍ବଳ୍ପ ଥିବାରୁ ବହୁ ଚାଷୀ ଧାନ ସଂଗ୍ରହରୁ ବାଦ ପଡ଼ିବାର ଆଶଙ୍କା ରହିଛି। ଟୋକନ୍‌କୁ ଧାନ କିଣା ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ବିଭିନ୍ନ ଚାଷୀ ସଂଗଠନ ଦାବି କରୁଛନ୍ତି। କିନ୍ତୁ ଏନେଇ କିଛି ନିଷ୍ପତ୍ତି ହେବା ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର