କଟକ ଜିଲ୍ଲାରେ ଧାନକିଣା ବ୍ୟବସ୍ଥାରେ ବିଭ୍ରାଟ

ପୁଣି ସମସ୍ୟାରେ ପଂଜୀକୃତ ଚାଷୀ; ୬୬ ହଜାରରୁ ଧାନ ବିକିଛନ୍ତି ମାତ୍ର ୩୦ହଜାର ଚାଷୀ

୨୭ ଦିନରେ ୩୬ ହଜାର ଚାଷୀଙ୍କ ଠାରୁ କେମିତି ଧାନ କିଣିବ ଯୋଗାଣ ବିଭାଗ?

କଟକ : କଟକ ଜିଲ୍ଲାରେ ଧାନକିଣା ବ୍ୟବସ୍ଥାରେ ପୁଣି ବିଭ୍ରାଟ ଦେଖା ଦେଇଛି। ରାଜ୍ୟ ଯୋଗାଣ ନିଗମ କଟକ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ୭ଜଣ ବାହାର ଜିଲ୍ଲାର ମିଲରଙ୍କୁ ଦାୟିତ୍ବ ଦେଇଥିବା ବେଳେ ସେମାନେ ନିମ୍ନମାନର ଧାନ କହି ଚାଷୀଙ୍କ ଠାରୁ ଆଉ ଧାନ ଉଠାଉ ନାହାନ୍ତି। ପଇଠ କରିଥିବା ଜମା ରାଶି ଅନୁସାରେ ଧାନ କିଣିବା ପରେ ଆଉ ଟଙ୍କା ବି ଫେରାଉ ନାହାନ୍ତି। ଯାହାକୁ ନେଇ କଟକ ଜିଲ୍ଲାରେ ଧାନକିଣାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ୨୭ ଦିନ ବାକି ଥିବାବେଳେ କଟକ ଜିଲ୍ଲାର ଅଧା ଚାଷୀ ବି ଧାନ ବିକି ପାରି ନାହାନ୍ତି। ଜିଲ୍ଲାରେ ଧାନ ବିକ୍ରି ପାଇଁ ୬୬,୩୯୮ ଚାଷୀ ପଂଜୀକରଣ କରିଥିଲେ। ସେଥିରୁ ମାତ୍ର ୩୦,୨୦୦ଚାଷୀ ଆଜି ସୁଦ୍ଧା ଧାନ ବିକ୍ରି କରିଛନ୍ତି। ଫଳରେ ୨୭ଦିନରେ ବାକି ୩୦ହଜାର ଚାଷୀ କେମିତି ଧାନ ବିକ୍ରି କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଟକ ଜିଲ୍ଲାରେ ଚଳିତବର୍ଷ ଆଜି ସୁଦ୍ଧା ୧୦ ଲକ୍ଷ ୫୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ୨୨୬ଟି ମଣ୍ଡି ଖୋଲାଯାଇଛି। ଜିଲ୍ଲାର ୮ଜଣ ମିଲର ଧାନ ସଂଗ୍ରହ ଅଭିଯାନରେ ସାମିଲ ହୋଇଥିବା ବେଳେ ଅଭାବୀ ମିଲର ସମସ୍ୟା ନେଇ କଟକ ଜିଲ୍ଲାପାଳଙ୍କ ଚିଠି ଅନୁସାରେ ଯୋଗାଣ ନିଗମ ବରଗଡ ଜିଲ୍ଲାର ୭ଜଣ ମିଲରଙ୍କୁ କଟକରୁ ଧାନ କିଣିବା ପାଇଁ ନିୟୋଜିତ କରିଥିଲେ। ସେମାନେ ମଧ୍ୟ ଧାନ କିଣା ପାଇଁ ଧାର୍ଯ୍ୟ ଜମା ରାଶି ଅନୁସାରେ ୬୦ହଜାର କ୍ବିଣ୍ଟାଲ ଧାନ ଉଠାଇବା ପରେ ଏହା ନିମ୍ନମାନର କହି ଆଉ ଧାନ ସଂଗ୍ରହ ପାଇଁ କଟକ ଆସୁ ନାହାନ୍ତି। ପରବର୍ତ୍ତୀ ଧାନକିଣା ପାଇଁ ଜମା ରାଶି ମଧ୍ୟ ପଇଠ କରୁନଥିବାରୁ ଏବେ କେବଳ କଟକ ମିଲର ହିଁ ଧାନ କିଣା ପାଇଁ ଭରସା। ‌ଆଠଗଡ଼ ଓ ବାଙ୍କୀ ଉପଖଣ୍ଡରେ ୧୨୨ଟି ଧାନ ମଣ୍ଡି ରହିଥିବାବେଳେ, ସଦର ଉପଖଣ୍ଡରେ ୧୦୨ ମଣ୍ଡି ରହିଛି। ଆଠଗଡ଼ ଓ ବାଙ୍କୀ ଉପଖଣ୍ଡର ବାଙ୍କୀଠୁ ନରସିଂହପୁର ବ୍ଲକ୍‌ର ଜିଲିଣ୍ଡା, ବାଲିପୁଟ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠାଇବା ପାଇଁ ରହିଛନ୍ତି ମାତ୍ର ୩ଜଣ ମିଲର୍‌। ଫଳରେ ଜଣେ ମିଲର୍‌ ଭାଗରେ ପାଖାପାଖି ୪୦ଟି ଲେଖାଏ ମଣ୍ଡି ପଡୁଛି। ଦୂରତା ସମସ୍ୟା ଓ ମିଲର୍‌ ଅଭାବ ଯୋଗୁଁ ଧାନ ଠିକ୍‌ ସମୟରେ ମଣ୍ଡିରୁ ଉଠିପାରୁନି କି ମଣ୍ଡି ଖୋଲି ପାରୁନି। ଏପଟେ ଚାଷୀ ‌ଟୋକନ୍‌ ଧରି ବସିଥିଲେ ବି ଧାନ ବିକ୍ରି କରିପାରୁ ନାହାନ୍ତି।

ସେହିପରି ସଦର ଉପଖଣ୍ଡର ୮ଟି ବ୍ଲକ୍‌ ପାଇଁ ୫ଜଣ ମିଲର୍‌ଙ୍କ ହାତରେ ରହିଛି ୧୦୨ଟି ମଣ୍ଡି। ଫଳରେ ଜଣେ ମିଲର୍‌ ନିୟନ୍ତ୍ରଣରେ ୨୦ଟି ମଣ୍ଡି ରହୁଛି। ସେଠାରେ ବି ଦୂରତ୍ବ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଗୋଟିଏ ପଟେ ମିଲର କମ୍‌ ମଣ୍ଡି ନଖୋଲିବା ସାଙ୍ଗକୁ ଅନ୍ୟପଟେ ଧାନର ମାନକୁ ନେଇ ପ୍ରଶ୍ନ ଉଠିବା ଘଟଣା ଚା‌ଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଚାଷୀମାନେ ବାଧ୍ୟ ହୋଇ ବାହାର ଦଲାଲ୍‌ ଓ ବେପାରୀଙ୍କୁ ଧାନ ବିକୁଛନ୍ତି। ଦୁଇ ଦିନ ତଳେ ଯୋଗାଣ ବିଭାଗ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ ମୂଲ୍ୟରେ ଧାନ କିଣୁଥିବା ବେପାରୀଙ୍କ ଉପରେ ଚଢଉ କରି ତାହାକୁ ଜବତ୍‌ କରିଥିଲା।

ସମ୍ବନ୍ଧିତ ଖବର