ଦେଓଗାଁ ବ୍ଲକ୍‌ରେ ଧାନକିଣା ଅବ୍ୟବସ୍ଥା : ୧୯ ପଞ୍ଜୀକୃତ ଚାଷୀ ୨ହଜାର ବସ୍ତା ଧାନ ଫେରାଇ ନେଲେ

କଳାବେପାରୀ ବିକିଲା, ଚାଷୀ ଜଳକା

ଦେଓଗାଁ : ଦେଓଗାଁ ବ୍ଲକ୍‌ ଅଞ୍ଚଳରେ ଗତ ଖରିଫ ଧାନ କିଣାବିକାରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। କଳାବେପାରୀ ଓ ମିଲରମାନେ ମାଲାମାଲ ହୋଇଥିବା ବେଳେ ପ୍ରକୃତ ଚାଷୀ ବଞ୍ଚିତ ହୋଇଛି। ଶେଷରେ ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଧଣ୍ଡାମାଲ ପେକ୍ସର ୧୯ ଜଣ ପଞ୍ଜୀକୃତ ଚାଷୀ ମଣ୍ଡିରୁ ସେମାନଙ୍କ ୨ ହଜାର ବସ୍ତା ଧାନ ଘରକୁ ଫେରାଇ ନେଇଛନ୍ତି।

ପ୍ରକାଶ ଯେ ଧଣ୍ତାମାଲ ପେକ୍ସ ଅଧୀନରେ ଧଣ୍ତାମାଲ ଓ ଲଣ୍ତାପଥର ପଞ୍ଚାୟତର ୧୦ଟି ଗାଁ ରହିଛି। ଗତ ଖରିଫରେ ଏହି ୧୦ଟି ଗାଁର ୫୨୩ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୨୯ଜଣ ଚାଷୀ ଟୋକନ ପାଇ ୨୬ହଜାର ୮ଶହ କ୍ବିଣ୍ଟାଲ ବିକ୍ରି କରିଥିଲେ। ବାକି ୯୪ଜଣ ଚାଷୀଙ୍କ ମଧ୍ୟରୁ ୩୦ଜଣ ଚାଷୀଙ୍କ ୨୦୩୫ ବସ୍ତା ଧାନ ଦୁଇମାସରୁ ଅଧିକ ହେଲା ମଣ୍ଡିରେ ପଡ଼ିରହିଥିଲା। ବର୍ତ୍ତମାନ ଧଣ୍ତାମାଲ ପେକ୍ସରେ ଟାର୍ଗେଟ ଥିଲେ ମଧ୍ୟ ଟୋକନ ନାହିଁ। ପୂର୍ବରୁ ଟାର୍ଗେଟ ନଥିବା ସମୟରେ ଆସିଥିବା ୪୮ଟି ଟୋକନ ଲେପ୍ପ ହୋଇଯାଇଛି। ବହୁ ଦିନ ହେଲା ଧାନ ମଣ୍ତିରେ ରଖି ଅପେକ୍ଷା କରିଥିବା ଧଣ୍ଡାମାଲ ଗାଁର ଆଦି ବିଶି ୧୧୦ ବସ୍ତା, ଶତୃଘ୍ନ କରନ ୧୨୦, ଟିକେଲାଲ ମହାକୁଡ଼ ୧୧୦ ଓ ଲଣ୍ତାପଥର ଗାଁର ଶରତ ବୁଦ୍ଧିଆ ୧୨୦, ତ୍ରିନାଥ ବୁଦ୍ଧିଆ ୧୧୦, ନରୋତ୍ତମ ପଧାନ ୧୨୦, ସିଆଲୁ ବାରିକ ୧୦୦, ଆନନ୍ଦ କୁମ୍ଭାର ୧୧୦ ଏପରି ୧୯ଜଣ ଚାଷୀ ମୋଟ ୧୯୬୫ ବସ୍ତା ଧାନ ଘରକୁ ଫେରାଇ ନେଇଥିବା ଧଣ୍ତାମାଲ ପେକ୍ସ ପକ୍ଷରୁ ଜଣାପଡ଼ିଛି। ସେହିପରି ଅର୍ଜୁନପୁର ପେକ୍ସରେ ୬୨ଜଣ ଚାଷୀଙ୍କ ୬୫୪୨ ବସ୍ତା ପଡ଼ିରହିଛି।

ଟୋକନ ନାହିଁ କି ଟାର୍ଗେଟ ନାହିଁ। ମୋଟ ପଞ୍ଜୀକୃତ ୫୫୦ଜଣ ଚାଷୀଙ୍କ ମଧ୍ୟରୁ ୧୦୪ଜଣ ଚାଷୀଙ୍କ ଟୋକନ ଆସିନାହିଁ। ବନ୍ଧପଡ଼ା ପେକ୍ସରେ ୬ଜଣ ଚାଷୀଙ୍କ ୭ଶହ ବସ୍ତା ଧାନ ପଡ଼ିରହିଛି। ମୋଟ ପଞ୍ଜୀକୃତ ୩୭୨ଚାଷୀଙ୍କ ମଧ୍ୟରୁ ୨୭୭ଜଣ ଚାଷୀ ଧାନ ବିକ୍ରୟ କରିଛନ୍ତି। ବଡ଼ବନ୍ଧ ପେକ୍ସରେ ୩୦ଜଣ ଚାଷୀଙ୍କ ୨୯୬୦ ବସ୍ତା ଧାନ ପଡ଼ିରହିଛ। ବର୍ତ୍ତମାନ ୧୧ଶହ କୁଇଣ୍ଟାଲ ଟାର୍ଗେଟ ଥିଲେ ମଧ୍ୟ ଟୋକନ ନାହିଁ। ମୋଟ ୩୯୮ଚାଷୀ ମଧ୍ୟରୁ ୩୬ଜଣଙ୍କ ଟୋକନ ଲେପ୍ସ ହୋଇଛି। ଅନ୍ୟପକ୍ଷରେ ଚଳିତ ରବି ଋତୁ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥର ବି କଳାବେପାରୀମାନେ କମ୍‌ ଦାମରେ ଖରିଫରେ କିଣିଥିବା ଧାନକୁ ମଣ୍ଡିରେ ବିକ୍ରି ପାଇଁ ଯୋଜନା କରୁଛନ୍ତି। ଧାନ ପଡ଼ିଥିବା ବିଷୟରେ ଏଆର୍‌ସିଏସ୍‌ ରବୀନ୍ଦ୍ର ପଣ୍ତାଙ୍କୁ ପଚାରିବାରୁ ଯାହା ହେବ ଉପର ମହଲର ନିଷ୍ପତ୍ତି, ଯଦି ଟୋକନ ରିଜେନେରେଟ କରିବେ ଓ ଟାର୍ଗେଟ ଆସିବ ତାହା ହେଲେ କିଣାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର