କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ତାଳଜଙ୍ଗ ପଞ୍ଚାୟତରେ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ। ଧାନ ବିକିବାକୁ ସେମାନଙ୍କ ନିକଟକୁ ମୋବାଇଲ୍‌ରେ ମେସେଜ ଆସିଥିଲା। ପରେ ସେମାନେ ମଣ୍ତିକୁ ଦୌଡ଼ିଦୌଡ଼ି ହତାଶ ହେଲେଣି। ହେଲେ ସେମାନଙ୍କ ଧାନ ନିଆଯାଇନାହିଁ। ଏଣୁ ମଣ୍ତିରେ ଧାନ ବିକ୍ରି କରିପାରିନଥିବା ଚାଷୀ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତର ଚାଷୀ ଭିକାରି ଚରଣ ମିଶ୍ର, ଆନନ୍ଦ ଚନ୍ଦ୍ର ମିଶ୍ର, ବିଜୟାନନ୍ଦ ମିଶ୍ର, ଉଲ୍ଲାସ ପଟ୍ଟନାୟକ, ବିଦ୍ୟାଧର ମିଶ୍ର, ଭ୍ରମରବର ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ରାଉତ, ଅଭିନ୍ନ ରାଉତ, ପ୍ରଫୁଲ୍ଲ କୁମାର ସ୍ବାଇଁ, ଯାଜ୍ଞବଲ୍ଲବ ମିଶ୍ର ଓ ବେଣୁଧର ଭୂୟାଁ ପ୍ରମୁଖ ଏସମ୍ପର୍କରେ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Advertisment

ରେଖିଦେଈପୁର ପ୍ରାଥମିକ କୃଷି ସମବାୟ ସମିତିର ସଭ୍ୟ ତଥା କିଶାନ କାର୍ଡଧାରୀଙ୍କ ଅଭିଯୋଗ ଅନୁଯାୟୀ, ସମିତିର ସଂପାଦକ ନିର୍ଦ୍ଧାରିତ ସମୟରେ ସେମାନଙ୍କ ବଳକା ଧାନ କିଣୁନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାନୁଆରି ୧୬ ଓ ୧୭ ତାରିଖ ଏବଂ ଫେବ୍ରୁଆରି ୧ ତାରିଖରେ ଧାନ ବିକିବାକୁ ସେମାନଙ୍କ ନିକଟକୁ ମୋବାଇଲ୍‌ରେ ମେସେଜ ଆସିଥିଲା। ପରେ ସେମାନେ ମଣ୍ତିକୁ ଦୌଡ଼ିଦୌଡ଼ି ହତାଶ ହେଲେଣି। ହେଲେ ସେମାନଙ୍କ ଧାନ ନିଆଯାଇନାହିଁ। ପଞ୍ଜୀକରଣ ସମୟରେ ୨ଶହରୁ ୫ ଶହ ପର୍ଯ୍ୟନ୍ତ ଲାଞ୍ଚ ନିଆଯାଇଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ଧାନ କିଣିବା ସମୟରେ ମଧ୍ୟ ଚାଷୀଙ୍କ ଠାରୁ ଏକଶହରୁ ଦେଢଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ଗାଡ଼ି ବୋଝେଇ କରୁଥିବା ଶ୍ରମିକମାନେ ମଧ୍ୟ ଚାଷୀଙ୍କ ଠାରୁ ମନଇଚ୍ଛା ଅର୍ଥ ଆଦାୟ କରୁଛନ୍ତି। ଆଗେ ଟଙ୍କାଦେଲେ ଗାଡ଼ି ବୋଝେଇ ହେଉଛି। ଏସଂପର୍କରେ ସମିତିର ସଂପାଦକଙ୍କୁ ପଚାରିବାରୁ ଟାର୍ଗେଟ୍‌ ନଥିବାରୁ ଧାନକ୍ରୟ ହୋଇପାରିଲା ନାହିଁ। ସେ ଏସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି।