ଚାଷୀଙ୍କ ଧାନ ଦଲାଲ୍‌ଙ୍କୁ ଦେବାକୁ ଷଡ଼୍‌ଯନ୍ତ୍ର! ଏସଏଚଜିଙ୍କ ବଦଳରେ ପୁଣି ପାକ୍ସ ଧାନ କିଣିବେ

୫ରେ କର୍ମଚାରୀଙ୍କୁ ତାଲିମ
ଚାଷୀଙ୍କ ଖଳା ଖାଲି, ମିଲରଙ୍କ ଅମାର ଭର୍ତ୍ତି
ପ୍ରଶାସନ ନିଦାବିଷ୍ଣୁ, ସ୍କ୍ବାଡ ଚଢ଼ଉ ପାଇଁ କୁନ୍ଥକୁନ୍ଥ

ଯାଜପୁର/କୋରେଇ : ଚଳିତ ବର୍ଷର ଖରିଫ ଧାନକିଣାକୁ ନେଇ ଜିଲ୍ଲା ପ୍ରଶାସନ ପୁଣି ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କ ବଦଳରେ ପୁଣି ପାକ୍ସ ଧାନ କିଣିବେ। ସମବାୟ ସମିତି କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ଚଳିତ ବର୍ଷ ଜିଲ୍ଲାର ୧୫୩ ମହିଳା ଏସଏଚଜିଙ୍କୁ ଧାନ କିଣିବାକୁ ପୂର୍ବରୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ହେଲେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିବା ପରେ ଗତକାଲି ଜିଲ୍ଲା ପ୍ରଶାସନର ଯୋଗାଣ ବିଭାଗ ପକ୍ଷରୁ ଚିଠି ସଂଖ୍ୟା–୫୯୭୫ ତା ୩୧/୧୨/୨୦୨୧ ଜରିଆରେ ପୁଣି ପୂର୍ବ ନିର୍ଦ୍ଦେଶକୁ ବାତିଲ କରାଯାଇ ଜିଲ୍ଲାର ୧୨୨ଟି ପ୍ରାଥମିକ ସମବାୟ ସମିତିକୁ ଧାନ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଏଚଜି ଅବା ପାକ୍ସ କିଏ ଧାନ କିଣିବ ବୋଲି ଲାଗି ରହିଥିବା ବିବାଦ ଏକପ୍ରକାର ସମାଧାନ ହୋଇଛି। ଅଥଚ ପାକ୍ସ ବିଗତ ବର୍ଷ ଭଳି ବିଳମ୍ବରେ ଧାନ କିଣିବା ପାଇଁ ତରିକା ଆପଣାଇଛି। ଫଳରେ ‌କେତେକ ମିଲରମାନଙ୍କ ଦ୍ବାରା ନିଯୁକ୍ତ ଦଲାଲମାନେ ବେଶ୍‌ ଲାଭବାନ ହେବା ନିଶ୍ଚିତ। ଏବେ ଧାନ କିଣା ଏକପ୍ରକାର ବନ୍ଦ ରହିଥିବା ବେଳେ ଚାଷୀମାନଙ୍କର ଧାନଖଳାରୁ ଦଲାଲଙ୍କ ଜରିଆରେ କେତେକ ମିଲରଙ୍କ ଅମାର(ଗୋଦାମ) ଭର୍ତ୍ତି ହୋଇଗଲାଣି। ଚାଷୀ ଧାନ କିଣାବିକାକୁ ତ୍ବରାନ୍ବିତ କରିବାକୁ ବ୍ଲକ୍‌ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ପର୍ଯ୍ୟନ୍ତ ଥିବା ସ୍କ୍ବାଡ୍‌ ଅଧିକାରୀ ଚଢ଼ଉ କରିବା କୁନ୍ଥକୁନ୍ଥ କାହିଁକି?

ପ୍ରକାଶ ଥାଉକି ଜିଲ୍ଲାର ୧୦ଟି ବ୍ଲକ ମଧ୍ୟରୁ କେବଳ କୋରେଇ ବ୍ଲକ୍‌ରେ ଥିବା ୧୮ଟି ସମବାୟ ସମିତି ସମେତ ୨ଟି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଧାନ କିଣିବାକୁ ଅନୁମତି ଦିଆଯାଇଛି। ଇଚ୍ଛାପୁର, ଭକନ୍ଦରୀ, ତୁଳତୀ, ମକୁନ୍ଦପୁର, ହାଟସାହି, ପାଣିକୋଇଲି, କନ୍ତୋର, କଡ଼ମା, ପଛିକୋଟ, ବନ୍ଦାଳୋ, ବଗିରିଆ, ବରୁଣ୍ତାଇ, ଧନେଶ୍ବର, କୋରେଇ, ଜହ୍ନା, ତଳଗଡ଼, ଜାଗୁଳେଇଗଡିଆ ଓ ଡୋଲିପୁର ସମେତ ସୋଲପଟାର ମହାବୀର ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଷଠିପୁରର ରାମେଶ୍ବର ସ୍ବୟଂସହାୟକ ଗୋଷ୍ଠୀକୁ ଧାନ କିଣିବାକୁ ଅନୁମତି ଦିଆଯାଇଛି। ହେଲେ ନୂତନ ଧାନକିଣା ନିୟମକୁ ନେଇ ଆସନ୍ତା ୫ ତାରିଖରେ ସମବାୟ ସମିତିର କର୍ମଚାରୀଙ୍କର ତାଲିମ ଶିବିର ଥିବାରୁ ଚାଷୀଙ୍କଠାରୁ ଧାନ କିଣିବାରେ ବିଳମ୍ବ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସମବାୟ ସମିତିଗୁଡ଼ିକୁ ଧାନ କିଣିବାକୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟ ଆସିନାହିଁ। କେଉଁ ମିଲର କେତେ ଧାନ କିଣିବ ସେନେଇ ସ୍ଥିର ହୋଇନାହିଁ। କର୍ମଚାରୀଙ୍କ ତ‌ାଲିମ ପରେ ଧାର୍ଯ୍ୟ ଲକ୍ଷ୍ୟ ଆସିବା ସହ ସମସ୍ତ ସମିତିରେ ଧାନକିଣା ଆରମ୍ଭ ହେବ ବୋଲି କୁହାଯାଉଛି।

ଚଳିତ ବର୍ଷ କାଣ୍ଟଛାଣ୍ଟ ପରେ କୋରେଇ ବ୍ଲକ୍‌ରେ ମାତ୍ର ୬ହଜାର ୩୩୫ ଚାଷୀ ଧାନ ବିକ୍ରି କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସରକାରୀ ମଣ୍ତି ଖୋଲିବାରେ ଯେତେ ବିଳମ୍ବ ହେଉଛି। ଚାଷୀଙ୍କ ଖଳା ଖାଲି ହୋଇ ଦଲାଲଙ୍କ ଜରିଆରେ ମିଲରଙ୍କର ଅମାର (ଗୋଦାମ)କୁ ଯାଉଛି। ଗତକାଲିଠାରୁ କୋରେଇ ଅଞ୍ଚଳର ବହୁ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ମୋବାଇଲ୍‌ରେ ମେସେଜ୍ ଆସିଛି। ଜାନୁଆରି ୨ ତାରିଖରୁ ଆରମ୍ଭ କରି ୭ ତାରିଖ ମଧ୍ୟରେ ଧାନି ବିକ୍ରି କରିବାକୁ ମେସେଜ୍ ରେ ସୂଚନା ଦିଆଯାଇଛି। ପ୍ରଶାସନିକ ଟାଳଟୁଳ ନୀତିରେ ଧାନକିଣା ସମୟ ବିଳମ୍ବ ହୋଇଛି। ଏହି ଭଳି ସ୍ଥିତି ସମଗ୍ର ଜିଲ୍ଲାର ୧୦ଟି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଦଲାଲମାନେ ଶାଗମାଛ ଦରରେ ଚାଷୀଙ୍କ ଧାନ କିଣିବା‌ରେ ଲାଗିଥିବାରୁ ସରକାର ତୁରନ୍ତ ମଣ୍ତି ଖୋଲିବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର