ଛତିଶଗଡ଼ ମୁହାଁ କଳାହାଣ୍ଡି ଧାନ, ଜିଲ୍ଲାରେ ୨୦୯ ମଣ୍ଡିରୁ ଆରମ୍ଭ ହୋଇଛି ମାତ୍ର ୨ଟି ମଣ୍ଡି

୪୦ ଲକ୍ଷ କୁଇଣ୍ଟାଲରୁ କିଣା ହୋଇଛି ମାତ୍ର ୨୮୮ କୁଇଣ୍ଟାଲ
ମଣ୍ଡି ବିଳମ୍ବ ଯୋଗୁଁ ଦଲାଲ ଯୋଗେ ଛତିଶଗଡ଼ ଚାଲାଣ ହେଉଛି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ୫ହଜାର କୁଇଣ୍ଟାଲ ଧାନ କିଣାଯିବା ପାଇଁ ଟାର୍ଗେଟ ଆସିଛି। ଏ ପର୍ଯ୍ୟନ୍ତ ୨୦୯ଟି ଧାନ ମଣ୍ଡିରୁ ମାତ୍ର ୨ଟି ମଣ୍ଡିରୁ ୨୮୮ କୁଇଣ୍ଟାଲ ୫୬ କେଜି ଧାନ କିଣା ଯାଇଛି। ଗତକାଲିଠାରୁ ଧାନ କିଣା ଆରମ୍ଭ ହୋଇଥିବାବେଳେ ଅମଳ ହୋଇଥିବା ଧାନକୁ ଚାଷୀ ବାଧ୍ୟହୋଇ କମ୍‌ ମୂଲ୍ୟରେ ଦଲାଲ ହାତକୁ ଟେକି ଦେଉଛନ୍ତି। ଏହି ଦଲାଲମାନେ କମ୍‌ ମୂଲ୍ୟରେ ଧାନ କିଣି ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଧାନ ଚାଲାଣ କରୁଛନ୍ତି। ମଣ୍ଡି ବିଳମ୍ବ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଚଳିତବର୍ଷ ଖରିଫ ଧାନ ବିକ୍ରି ନିମନ୍ତେ ୮୮ ହଜାର ୮୨ ଜଣ ଚାଷୀ ମଣ୍ଡିରେ ପଞ୍ଜୀକୃତ ‌ହୋଇଛନ୍ତି। ଗତବର୍ଷ ପ୍ରାୟ ୫୦ ଲକ୍ଷ କୁଇଣ୍ଟାଲ ଧାନ କିଣା ଯାଇଥିବାବେଳେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ୨୫ ହଜାର କୁଇଣ୍ଟାଲ ଟାର୍ଗେଟ ଆସିଛି। ଏଥିନିମନ୍ତେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍‌ରେ ୨୦୯ଟି ଧାନ କ୍ରୟ କେନ୍ଦ୍ର ଖୋଲାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି। ୬୦ ଜଣ ମିଲର୍ସଙ୍କ ମଧ୍ୟରୁ ୫୫ ଜଣ ମିଲର୍ସ ଏପର୍ଯ୍ୟନ୍ତ ଚୁକ୍ତି କରି ସାରିଲେଣି। ଅଥଚ ଏପର୍ଯ୍ୟନ୍ତ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମଣ୍ଡିୱାରି ମିଲର୍ସ ଟ୍ୟାଗିଂ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇନାହିଁ। ତରବରିଆ ଭାବରେ ଗତକାଲି ୨୫ ତାରିଖ କଳାହାଣ୍ଡି ଜିଲ୍ଲାର ରଣମାଲ ଓ ତରାପୁରଠାରେ ମଣ୍ଡି ଖୋଲାଯାଇଛି। ଏହି ୨ଟି ମଣ୍ଡିରେ ପ୍ରଥ‌ମ ଦିନ ୨୮୮ କୁଇଣ୍ଟାଲ ୫୬ କେଜି ଧାନ କିଣାଯାଇଛି। ୨୦୯ଟି ମଣ୍ଡିରୁ ମାତ୍ର ୨ଟି ମଣ୍ଡି ଆରମ୍ଭ ହୋଇଥିବାବେଳେ ଅନ୍ୟ ମଣ୍ଡିଗୁଡ଼ିକ କେବେ ଆରମ୍ଭ ହେବ ବୋଲି ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Representative image: Quora

ଅନ୍ୟପକ୍ଷରେ, ଧାନ ଅମଳ ପରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀମାନେ କମ୍‌ ମୂଲ୍ୟରେ ଦଲାଲ ହାତରେ ଧାନ ବିକ୍ରି କରୁଛନ୍ତି। ଦଲାଲମାନେ ଏହି ଧାନ କିଣି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଆରମ୍ଭ ହୋଇଥିବା ମଣ୍ଡିକୁ ଚାଲାଣ କରୁଛନ୍ତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ୍‌ କଦଳୀମୁଣ୍ଡା ପଞ୍ଚାୟତର ଝାକରପଡା ରାସ୍ତା, ଡୁମେରଗୁଡ଼ା ପଞ୍ଚାୟତର କୋଟମେର-କିର୍କାକାନି ରାସ୍ତା, ପର୍ଲା ପଞ୍ଚାୟତର ସେମଳା ଓ ଗୋଲାମୁଣ୍ଡା ବ୍ଲକ୍‌ର ତୁମରା ରାସ୍ତା ଦେଇ କଳାହାଣ୍ଡି ଧାନ ଦଲାଲ ଜରିଆରେ ଛତିଶଗଡ଼ ଯାଉଛି। ସନ୍ଧିକୁଲିହାରୀ ମୁଖ୍ୟରାସ୍ତାରେ ପୁଲିସ ଚେକିଂ ଯୋଗୁଁ ଏହି ରାସ୍ତା ଦେଇ ଧାନ ପାର ହେଉଛି। କଳାହାଣ୍ଡି ଜିଲ୍ଲାର ତୁମରା, ପର୍ଲା, ପାଇକପଡା, ସନ୍ଧିକୁଲିହାରୀ, ହଳଦୀ ପ୍ରମୁଖ ଆର୍‌ଏମ୍‌ସି ଚେକ୍‌ଗେଟ୍‌ଗୁଡିକୁ ଉଠାଇ ଦିଆଯାଇଥିବା ଯୋଗୁଁ ଦଲାଲ ମାନେ ଅନାୟାସରେ ଛତିଶଗଡ଼ ଚାଲାଣ କରୁଛନ୍ତି। ସନ୍ଧିକୁଲିହାରୀ ଓ ଖୁଟଗାଁରେ ଧାନ ମହଜୁଦ ରଖି ଦେଭୋଗ ମଣ୍ଡିରେ ବିକ୍ରି ନିମନ୍ତେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।

ଧାନକିଣାକୁ ନେଇ ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇନାହିଁ କିମ୍ବା କୌଣସି ଧରପଗଡ଼ କିମ୍ବା ଚଢଉ ହୋଇନାହିଁ। ଫଳରେ ଅବାଧରେ ଛତିଶଗଡ଼କୁ ଧାନ ପଠାଯାଉଛି। ତୁରନ୍ତ ଜିଲ୍ଲାର ସମସ୍ତ ମଣ୍ଡି ଖୋଲା ନଗଲେ ପ୍ରାୟ ଧାନ ଛତିଶଗଡ଼ ଚାଲିଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ରାଜ୍ୟ ସରକାର କଳାହାଣ୍ଡିର ସମସ୍ତ ମଣ୍ଡି ଖୋଲିବା ପାଇଁ ପଦକ୍ଷେପ ନେବା ସହିତ ମିଲ୍‌ମାନଙ୍କର ଗଚ୍ଛିତ ଯାଞ୍ଚ ଓ ଧାନ ମହଜୁଦ୍‌ ରଖୁଥିବା ଦଲାଲମାନଙ୍କ ଗୋଦାମ ଗୁଡ଼ିକ ଉପରେ ଚଢ଼ଉ କରାଯିବାକୁ ଚାଷୀ ମହଲରେ ଦାବି ହୋଇଛି। ସେହିଭଳି ତୁରନ୍ତ ଏନଫୋର୍ସମେଣ୍ଟ ଟିମ ଗଠନ କରିବା ଓ ଛତିଶଗଡ଼ମୁହାଁ ହୋଇଥିବା ଧାନକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠୋସ୍‌ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର