ନଭେମ୍ବର ପହିଲାରୁ କଳାହାଣ୍ଡିରୁ ଧାନକିଣା

ଭୁବନେଶ୍ବର : ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥର କଳାହାଣ୍ଡି ଜିଲ୍ଲାରୁ ଧାନକିଣା ଆରମ୍ଭ କରିବେ ରାଜ୍ୟ ସରକାର। ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ବାଧ୍ୟତାମୂଳକ। ଏଥିପାଇଁ ବର୍ତମାନ ସୁଦ୍ଧା ଯେତେସଂଖ୍ୟକ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି ତାହା ଗତବର୍ଷର ସମୁଦାୟ ଖରିଫ ପଞ୍ଜୀକରଣ ସଂଖ୍ୟା ଅତିକ୍ରମ କରିସାରିଛି। ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଗତବର୍ଷ ତୁଳନାରେ କ୍ବିଣ୍ଟାଲ୍‌ ପିଛା ୨୦୦ ଟଙ୍କା ଅଧିକ ଧାର୍ଯ୍ୟ ହୋଇଥିବାରୁ ସମ୍ଭବତଃ ଏଥିପା‌ଇଁ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଉଛି।

ଗତବର୍ଷ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ମୋଟ ୧୧.୨୦ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରାଯାଇଥିଲା। କିନ୍ତୁ ଏଥର ଗତକାଲି ସୁଦ୍ଧା ୧୧.୩୦ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ୮.୯୭ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରାଯାଇଥିଲା। ଚାଷୀ ପଞ୍ଜୀକରଣ ପାଇଁ ସମୟସୀମା ନଭେମ୍ବର ୧୫ ତାରିଖକୁ ଧାର୍ଯ୍ୟ ହୋଇଛି। ଅର୍ଥାତ୍‌ ଅଧିକ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିବେ ବୋଲି ଆଶା କରାଯିବା ସ୍ବାଭାବିକ। ଏଥର ପୁରୁଣା ଚାଷୀଙ୍କ ବ୍ୟତୀତ ୧.୫୫ ଲକ୍ଷ ନୂଆ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ରାଜ୍ୟର ଊଣାଅଧିକେ ସବୁ ଜିଲ୍ଲାରେ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭଦ୍ରକରେ ଏହି ସଂଖ୍ୟା କମ୍‌ ରହିଛି। ଗତବର୍ଷ ଭଦ୍ରକ ଜିଲ୍ଲାର ମୋଟ ୪୭୯୮୭ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଏଥର ୪୬୮୮୩ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ସେହିପରି ଆଉ ଏକ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଯେ ଭାଗଚାଷୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତବର୍ଷ ୧ ଲକ୍ଷ ୨ ହଜାର ଭାଗଚାଷୀଙ୍କୁ ପଞ୍ଜୀକରଣ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୯୭୮୮୯ଜଣ ଭାଗଚାଷୀଙ୍କୁ ପଞ୍ଜୀକରଣ କରାଯାଇଛି।

ଏଥର କଳାହାଣ୍ଡିରୁ ଧାନକିଣା ଆରମ୍ଭ କରାଯାଉଛି। ଏଥିପାଇଁ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକ ପାଇଁ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବିଭାଗୀୟ ସଚିବ, ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀମାନେ ଯୋଗଦେବେ। ଏହା ପରେ କଟକରେ ପୂର୍ବାଞ୍ଚଳ ଜିଲ୍ଲାଗୁଡ଼ିକ ପାଇଁ ନଭେମ୍ବର ୧ ଏବଂ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକ ନିମନ୍ତେ ବ୍ରହ୍ମପୁରରେ ୨ ତାରିଖରେ ପ୍ରସ୍ତୁତି ବୈଠକ ଡକାଯାଇଛି।

ସମ୍ବନ୍ଧିତ ଖବର