କେନ୍ଦୁଝର ଜିଲ୍ଲାରେ ଧାନ କିଣା ନେଇ ଅଜବ ପରିସ୍ଥିତି : ଖାଲି ପଡ଼ିଛି ଲ୍ୟାମ୍ପ୍‌ସ, ନୂଆ ଟାର୍ଗେଟ ମିଳୁନଥିବାରୁ ଧାନ ବିକି ପାରୁନାହାଁନ୍ତି ଚାଷୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ୮୭ଟି ସମବାୟ ସମିତି ଓ ଲ୍ୟାମ୍ପ୍‌ସକୁ ଦିଆଯାଇଥିବା ଧାନ କିଣା ଟାର୍ଗେଟ ସଂପୂର୍ଣ୍ଣ ହେବା ପରେ ନୂଆ ଟାର୍ଗେଟ ମିଳୁନାହିଁ। ଫଳରେ ଧାନ ବିକିବା ପାଇଁ ଚାଷୀଙ୍କୁ ସୁଯୋଗ ମିଳୁନାହିଁ। ଅପରପକ୍ଷରେ ଜିଲ୍ଲାର ସମସ୍ତ ଲ୍ୟାମ୍ପ୍‌ସକୁ ୬ ଲକ୍ଷ ୭୦ ହଜାର ୪୫୮ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଥିଲା। ଏବେ ସୁଦ୍ଧା ୫ ଲକ୍ଷ ୭ ହଜାର ୭୮୦ କୁଇଣ୍ଟାଲ ଧାନ କିଣା ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ଧାନ କିଣିବା ପାଇଁ ନଭେମ୍ବର ମାସର ୫ ତାରିଖରେ ଏକ ବୈଠକ ବସିଥିଲା। ଏହାପରେ କେନ୍ଦୁଝର ଜିଲ୍ଲାରୁ ୮ ଲକ୍ଷ ୩୩ କୁଇଣ୍ଟାଲ ଓ ବଳକା ଧାନ ୧ଲକ୍ଷ ୩୩ ହଜାର କୁଇଣ୍ଟାଲ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ହିସାବରେ ମୋଟ ୯ ଲକ୍ଷ ୮୦ ହଜାର କୁଇଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ ଲକ୍ଷ ୭୦ ହଜାର ୪୫୮ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଥିଲା। ଏବେ ସୁଦ୍ଧା କିଣା ହୋଇଛି ୫ଲକ୍ଷ ୭ ହଜାର ୭୮୯ କୁଇଣ୍ଟାଲ ଧାନ।

ଜାନୁଆରି ୧୨ ତାରିଖ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ୮୭ଟି ସମବାୟ ସମିତିକୁ ମିଳିଥିବା ୬ ଲକ୍ଷ ୭୦ ହଜାର ୪୫୮ କୁଇଣ୍ଟାଲ ଧାନ କିଣା ଟାର୍ଗେଟ ମଧ୍ୟରୁ ଆହୁରି ୧ଲକ୍ଷ ୬୨ ହଜାର ୬୭୭ କୁଇଣ୍ଟାଲ ଧାନ କିଣିବା ବାକି ରହିଛି। ତେବେ ଅନେକ ସମବାୟ ସମିତିକୁ ଦିଆଯାଇଥିବା ଟାର୍ଗେଟ ପୂରଣ ହୋଇସାରିଛି। ଏହି ସମିତିଗୁଡିକୁ ଆଉ ନୂଆ ଟାର୍ଗେଟ ଦିଆଯାଇ ନ ଥିବାରୁ ସେମାନେ ଧାନ କ୍ରୟ କରି ପାରୁ ନାହାନ୍ତି। ଏଠାରେ ସୋସା ସମବାୟ ସମିତି ଉଦାହରଣ ନିଆଯାଉ। ଏହି ସମିତିକୁ ମୋଟ ୩ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଥିଲା। ଏଠାରେ ମୋଟ ୨୯୮୨ କୁଇଣ୍ଟାଲ ଧାନ କ୍ରୟ କରି ସରିଥିବା ବେଳେ ଆଉ ମାତ୍ର ଟାର୍ଗେଟରୁ ବାକି ଅଛି ୧୮ କୁଇଣ୍ଟାଲ। ଖାଲି ସୋସା ସମବାୟ ସମିତି ନୁହେଁ, ଏଭଳି ଅନେକ ସମବାୟ ସମିତିର ଟାର୍ଗେଟ ପୂରଣ ହୋଇଯାଇଛି। ଖାଳିଆମେଣ୍ଟା ସେବା ସମବାୟ ସମିତି ପ୍ରାୟ ୯୮ ପ୍ରତିଶତ ଧାନ କିଣି ସାରିଛି। ତାଙ୍କୁ ଆଉ ନୂଆ ଟାର୍ଗେଟ ଦିଆଯାଇନାହିଁ। ସେହିପରି ଜଙ୍ଘିରା ଲ୍ୟାମ୍ପସ, ଭଣ୍ଡା ଲ୍ୟାମ୍ପସର ବି ପରିସ୍ଥିତି ସେମିତି।

ଅପରପକ୍ଷରେ ମିଲରମାନଙ୍କୁ ଦିଆଯାଇଥିବା ଟାର୍ଗେଟରେ ବି ସେମାନ ଏଯାଏ ସଫଳ ହୋଇ ନାହାନ୍ତି। ତଥ୍ୟ ଅନୁସାରେ, କେନ୍ଦୁଝର ଜିଲ୍ଲାର ୧୩ ଟି ରାଇସ୍‌ ମିଲ୍‌କୁ ମୋଟ ୬ ଲକ୍ଷ ୭୦ ହଜାର ୪୫୮ କୁଇଣ୍ଟାଲ ଧାନ ନେବାକୁ ଟାର୍ଗେଟ ଥଲା। ମିଲ୍‌ଗୁଡିକୁ ୪ ଲକ୍ଷ ୮୦ ହଜାର ୭୯୫ କୁଇଣ୍ଟାଲ ଧାନ ଉଠାଣ ପାଇଁ ଟ୍ରାଞ୍ଜିଟ୍‌ ପାସ୍‌ ମିଳିଥିଲା। ଏବେ ସୁଦ୍ଧା ମିଲରଗୁଡିକ ପକ୍ଷରୁ ୪ ଲକ୍ଷ ୫୭ ହଜାର କୁଇଣ୍ଟାଲ ଧାନ ଉଠିଛି। ‌ତେଣୁ ଯଦି ନୂଆ ଟାର୍ଗେଟ ନ ମିଳେ, ଲ୍ୟାମ୍ପ୍‌ସଗୁଡିକ ଧାନ କିଣିବା କଷ୍ଟ ହୋଇଛି।

ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ବର ଚୌଧୁରୀଙ୍କୁ ପଚାରିଥିଲୁ। ସେ କହିଥିଲେ, ଆଜି ସୁଦ୍ଧା ଲ୍ୟାମ୍ପସ ଓ ସମିତିଗୁଡିକୁ ୬ ଲକ୍ଷ ୭୦ ହଜାର ୪୫୮ କୁଇଣ୍ଟାଲ ଧାନ ନେବାକୁ ଟାର୍ଗେଟ ଥିଲା। ମାତ୍ର ଆଜି ପୁଣି ଆଉଥରେ ‌ଟାର୍ଗେଟ ସମୀକ୍ଷା କରାଯାଇଛି ଏବଂ ଆଜି ସନ୍ଧ୍ୟାରେ ନୂଆ ୧ ଲକ୍ଷ ଟ‌ାର୍ଗେଟ ଦିଆଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର