ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ତଥା ଗାଁରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳୁଛି। ବ୍ଲକ୍ରେ ମୋଟ ୧୫ଟି ପ୍ରାଥମିକ ସେବା ସମବାୟ ସମିତି ଥିଲେ ମଧ୍ୟ କେଉଁଠି ହେଲେ ଏ ଯାବତ ବ୍ଲକ୍ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ ଧାନମଣ୍ଡି ଖୋଲାଯାଇନାହିଁ। ଆଉ ଏହାର ଫାଇଦା ଉଠାଉଛନ୍ତି ଗାଁ ଗଣ୍ଡାରେ ସକ୍ରିୟ ଥିବା ଧାନ ବେପାରୀ। ଚାଷୀଙ୍କ ଅସହାୟତାର ଫାଇଦା ଉଠାଇ କ୍ବିଣ୍ଟାଲ ପିଛା ୪୦୦ରୁ ୫୦୦ ଟଙ୍କା କମ୍ରେ ଧାନ କିଣିନେଉଛନ୍ତି। ବ୍ଲକ୍ର ରାଣୀପଡ଼ା, ଶିଖରପୁର, କୋସ୍କା, ବନମାଳିପୁର, କୁମ୍ଭାରପଡ଼ା, ଢୋଲମରା, ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜ୍ୟ ବାହାରର ଦଲାଲମାନେ ସ୍ଥାନୀୟ ଧାନ ବେପାରୀଙ୍କୁ ହାତକରି ଚାଷୀମାନଙ୍କଠୁ କମ୍ ଦାମରେ ଧାନ କିଣୁଛନ୍ତି। ଚଳିତ ବର୍ଷ ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୮୧୫ ଟଙ୍କା ସରକାର ଧାର୍ଯ୍ୟ କରିଥିବା ବେଳେ ଏ ଗ୍ରେଡ୍ ଧାନର ମୂଲ୍ୟ ୧୮୩୫ ଟଙ୍କା ରଖାଯାଇଛି। ପଡ଼ୋଶୀ ଛତିଶଗଡ଼ରେ ଧାନର ସହାୟକ ମୂଲ୍ୟ ଅଧିକ ଥିବାରୁ ଏଠାରୁ ଚାଷୀଙ୍କଠୁ ଶାଗମାଛରେ ଧାନ କିଣି ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।
ମଣ୍ଡି ନ ଖୋଲିବାର କାରଣ ସମ୍ପର୍କରେ ସମବାୟ ସମିତିରେ ପଚାରିବାରୁ ଜିଲ୍ଲା ସ୍ତରରେ ମଣ୍ଡି ଖୋଲାଯାଇନାହିଁ ତେଣୁ ସମବାୟ ସମିତିରେ ମଧ୍ୟ ମଣ୍ଡି ଖୋଲିନଥିବା ବିଭାଗୀୟ କର୍ମଚାରୀ କହିଛନ୍ତି। ଚାଷୀମାନଙ୍କର କହିବା କଥା ଏ ବର୍ଷ ରବି ଫସଲ ପାଇଁ ଅନୁକୂଳ ପାଗ ତଥା ଧାର୍କରଜ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଦୃଷ୍ଟିରେ ରଖି ବାଧ୍ୟ ହୋଇ କମ୍ ମୂଲ୍ୟରେ ଧାନ ବିକ୍ରି କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମବାୟ ବିଭାଗ ତରଫରୁ ଚାଷୀମାନଙ୍କୁ ଏ ଯାଏଁ ରବି ଫସଲ ପାଇଁ ବିହନ କିମ୍ବା ସାରର କୌଣସି ବ୍ୟବସ୍ଥା କରାଯାଇନାହିଁ। ଏପରି ସ୍ଥଳେ ଜିଲ୍ଲା ସ୍ତରରେ ଏବଂ ସମବାୟ ସମିତିରେ କେବେ ଧାନମଣ୍ଡି ଖୋଲିବ ଓ ଚାଷୀ ଉଚିତ ସମର୍ଥନ ମୂଲ୍ୟ ପାଇବ ସେ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କଥା ସ୍ଥାନୀୟ ଜନପ୍ରତିନିଧି କହିଛନ୍ତି। ତେବେ ପ୍ରଶାସନ ତୁରନ୍ତ ମଣ୍ଡି ଖୋଲିବା ତଥା ଦଲାଲମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଚାଷୀ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/paddy-aa.jpg)