ମିଠା କଥା କହି ଭଣ୍ଡେଇଲେ, ମୟୂରଭଞ୍ଜ ଜିଲ୍ଲାର ୩୦ ହଜାର ଚାଷୀ ଏବେ କଣ କରିବେ?

ମଣ୍ଡି ବନ୍ଦ ହେବାକୁ ଆଉ ୨୩ ଦିନ ବାକି, ଧରାଛୁଆଁ ଦେଉନି ପ୍ରଶାସନ

ବାରିପଦା : ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚଳିତବର୍ଷ ମୟୂରଭଞ୍ଜ ଜିଲ୍ଲାରେ ଖରିଫ୍ ଧାନଖର୍ଦ୍ଦି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ସମୟ ଗଡ଼ିଯାଇଥିଲେ ମଧ୍ୟ ପଞ୍ଜୀକୃତ ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। ହେଲେ ଯୋଗାଣ ବିଭାଗର ଅବହେଳା ପାଇଁ ସେ ଲକ୍ଷ୍ୟ ପୂରଣ ହୋଇପାରିନି। ଏବେ ବି ଜିଲ୍ଲାର ୩୦ ହଜାର ଚାଷୀ ଧାନବିକ୍ରି ଅପେକ୍ଷାରେ ଅଛନ୍ତି। ୨ ମାସ ମଧ୍ୟରେ ପଞ୍ଜିକୃତ ୭୧ ହଜାର ଚା‌ଷୀଙ୍କ ମଧ୍ୟରୁ ୪୧ ହଜାର ଚାଷୀ ମଣ୍ଡିରେ ଧାନବିକ୍ରି କରିଛନ୍ତି। ମାର୍ଚ୍ଚ ୨୮ରେ ଧାନଖର୍ଦ୍ଦି ପ୍ରକ୍ରିୟା ବନ୍ଦ ହେବାକୁ ଥିବା ବେଳେ ଆଉ ୨୩ ଦିନ ଭିତରେ ୩୦ ହଜାର ଚାଷୀଙ୍କ ଧାନ କିଣାଯିବା ନେଇ ଅନିଶ୍ଚିତତା ଦେଖାଦେଇଛି। ସେପଟେ ଧାନକିଣା ଅବଧି ସରି ଆସୁଥିବାରୁ ଅଧିକାଂଶ ମଣ୍ଡି ବନ୍ଦ ହେବାକୁ ବସିଲାଣି। ଯେଉଁଠି ‌ଖୋଲା ଅଛି, ସେଠାରେ ଆଉ ଧାନ କିଣାଯାଉନି। ଟାର୍ଗେଟ୍‌ ନାହିଁ କହି ଚାଷୀଙ୍କୁ ଫେରାଇ ଦିଆଯାଉଛି। ଧାନକିଣା ଟାର୍ଗେଟ୍‌ କିଏ ଦେବ, କେବେ ଆସିବ ସେ ଉତ୍ତର ମଧ୍ୟ ଯୋଗାଣ ବିଭାଗ ପାଖରେ ନାହିଁ। ଏସବୁ ଅବ୍ୟବସ୍ଥା ଭିତରେ ଚା‌ଷୀମାନେ ପେଷି ହୋଇଗଲେଣି। ଜିଲ୍ଲାପାଳ ଓ ଯୋଗାଣ ବିଭାଗ ସେମାନଙ୍କ ସମସ୍ୟା ପ୍ରତି ଆଦୌ ଗୁରୁତ୍ବ ଦେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଚଳିତ ଖରିଫ ଋତୁରେ ଧାନବିକ୍ରି ଲାଗି ଜିଲ୍ଲାର ୭୧ ହଜାର ଚାଷୀ ନାମ ପଞ୍ଜୀକରଣ କରିଥିଲେ। ୧୦୨ ମଣ୍ଡି ଓ ୫୨ଟି ସମବାୟ ସମିତି ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କଠାରୁ ମୋଟ୍ ୧୪ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରହିଥିଲା। ଆଜି ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୪୧ ହଜାର ଚାଷୀଙ୍କଠାରୁ ଧାନକିଣା ହୋଇଛି। ଅବଶିଷ୍ଟ ୩୦ ହଜାର ଚାଷୀ ଟୋକନ୍‌ ଧରି ମଣ୍ଡି ଓ ଲ୍ୟାମ୍ପ୍‌ସର ଚକର୍‌ କାଟୁଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢୀଙ୍କୁ ପଚରାଯିବାରୁ ସେ କହିଥିଲେ, ଧାନକିଣା ଟାର୍ଗେଟ୍‌ ଆସିଲେ ସବୁ ଚାଷୀଙ୍କଠାରୁ ଧାନଖର୍ଦ୍ଦି ହେବ। ଯଦି ସରକାର ଅନୁମତି ନ ଦିଅନ୍ତି ତେବେ କିଛି କରିହେବନି। ଯୋଗାଣ ଅଧିକାରୀଙ୍କ କଥାରୁ ସ୍ପଷ୍ଟ, ଏ ବର୍ଷ ଆଉ ଟାର୍ଗେଟ୍‌ ଆସିବାର ନାହିଁ। ଫଳରେ ଜିଲ୍ଲାର ୩୦ ହଜାର ଚାଷୀ ନିଜ ଝାଳବୁହା ପରିଶ୍ରମର ଫଳକୁ ପଡ଼ୋଶୀ ରାଜ୍ୟର ଦଲାଲ ଓ ବେପାରୀଙ୍କୁ ଶାଗମାଛ ଦରରେ ଟେକିଦେବା ଏକପ୍ରକାର ନିଶ୍ଚିତ।

ପଞ୍ଚାୟତ ନିର୍ବାଚନ ଆଳରେ ଜିଲ୍ଲା ପ୍ରଶାସନ ମାସେ ହେଲା ଧାନକିଣା କଥା ସମ୍ପୂର୍ଣ୍ଣ ପାଶୋରି ଦେଇଥିଲା। ପଞ୍ଚାୟତ ଭୋଟ୍‌ ସରିବା ପରେ ଏବେ ପୌର ନିର୍ବାଚନକୁ ଆଳ କରାଗଲାଣି। ଆଜି କିଛି କୃଷକ ନେତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏହି ସମସ୍ୟା ବିଷୟରେ ଜଣାଇବାକୁ ଆସିଥିଲେ ମଧ୍ୟ ତାଙ୍କ ଦେଖା ନପାଇ ଫେରିଯାଇଛନ୍ତି। ତେବେ ସପ୍ତାହେ ଭିତରେ ଧାନକିଣା ସମସ୍ୟାର ସମାଧାନ ନ ହେଲେ କୃଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚା‌ଷୀନେତା ଦୀପକ କୁମାର ବିଶୋଇ ଓ ସନାତନ ମହନ୍ତ ଚେତାବନୀ ଦେଇଛନ୍ତି। ସେହିପରି କୁଳିଅଣା, ଶ୍ୟାମାଖୁଣ୍ଟା ଅଞ୍ଚଳର ଚାଷୀ ଇନ୍ଦ୍ରଜିତ ନାୟକ, ଗୋପୀନାଥ ବେହେରା, ରାଜେଶ ମହନ୍ତ, ଉତ୍ତମ ମହନ୍ତ, ଦେବେନ୍ଦ୍ର ବେହେରା, ନୀଳମଣି ନାୟକ, ଦେବୀ ପ୍ରସାଦ ବିଶୋଇଙ୍କ କହିବା କଥା ହେଲା; ଆମକୁ ମିଳିଥିବା ଟୋକନ୍‌ ଅବଧି ଶେଷ ହୋଇଗଲା। ଏବେ ଲ୍ୟାମ୍ପ୍‌ସ ଧାନ କିଣୁନି। ଧାନ ବିକିବାକୁ ଯିବା ବେଳକୁ କେହି ଧରାଛୁଆଁ ଦେଉନାହାନ୍ତି।

ସମ୍ବନ୍ଧିତ ଖବର