ରାଜ୍ୟରେ ମାର୍ଚ୍ଚ ଶେଷ ଯାଏ ଚାଲିବ ଖରିଫ ଧାନ ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ଚାଲିଥିବା ବେଳେ ଆଜି ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ୩୯ ଲକ୍ଷ ୫୦ ହଜାର ୭୮୫ କ୍ବିଣ୍ଟାଲ ଧାନ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ କରାଯାଇଛି। ଏହା ଧାର୍ଯ୍ୟ ଲକ୍ଷ୍ୟର ୭୯ ପ୍ରତିଶତରୁ ଅଧିକ। ଚଳିତ ବର୍ଷ ରାଜ୍ୟ ସରକାର ଖରିଫରେ ୫୦ ଲକ୍ଷ ଟନ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଚାଲିବ।

ସମସ୍ତ ୩୦ଟି ଜିଲ୍ଲାରେ ୩୫୪୨ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କ ପି-ପାସ୍ ଓ ଆଗୁଆ ଟୋକନ୍ ପ୍ରଦାନ ମାଧ୍ୟମରେ ଚଳିତ ଧାନ ସଂଗ୍ରହ କାର୍ଯ୍ୟ କରାଯାଉଛି। ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ ସମୁଦାୟ ୯ ଲକ୍ଷ ୫୪ ହଜାର ୮୭୦ଟି ଆଗୁଆ ଟୋକନ୍ ପ୍ରଦାନ କରାଯାଇଥିବା ବେଳେ ଆଜି ସୁଦ୍ଧା ୬ ଲକ୍ଷ ୮୦ ହଜାର ୧୦୧ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଗତ ବର୍ଷ ଆଜିର ଦିନରେ ମୋଟ ୩୯ ଲକ୍ଷ ୪୫ ହଜାର ୬୦୬ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ୨୦୨୦ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୯ ଲକ୍ଷ ୫୦ ହଜାର ୭୮୫ ଟନ ଧାନ ସଂଗ୍ରହ ହୋଇଛି।

ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରୁ ୬ ଲକ୍ଷ ୨୧ ହଜାର ୬୭୦ ଟନ, ବଲାଙ୍ଗୀରରୁ ୨ ଲକ୍ଷ ୭୫ ହଜାର ୨୩ ଟନ, ଗଞ୍ଜାମରୁ ୨ ଲକ୍ଷ ୩୭ ହଜାର ୬୫୬ ଟନ, କଳାହାଣ୍ଡିରୁ ୪ ଲକ୍ଷ ୨୩ ହଜାର ୫୬୮ ଟନ, କୋରାପୁଟରୁ ୧ ଲକ୍ଷ ୯୮ ହଜାର ୮୧୯ ଟନ, ନବରଙ୍ଗପୁରରୁ ୧ ଲକ୍ଷ ୨୪ ହଜାର ୧୬୭ ଟନ, ନୂଆପଡ଼ାରୁ ୧ ଲକ୍ଷ ୧୪ ହଜାର ୧୦୪ ଟନ, ସମ୍ବଲପୁରରୁ ୨ ଲକ୍ଷ ୯୦ ହଜାର ୫୯୧ ଟନ, ସୁବର୍ଣ୍ଣପୁରରୁ ୩ ଲକ୍ଷ ୯ ହଜାର ୫୨୬ ଟନ ଏବଂ ସୁନ୍ଦରଗଡ଼ରୁ ୧ ଲକ୍ଷ ୧୯ ହଜାର ୮୫୦ ଟନ ଧାନ ସଂଗ୍ରହ କରାଯାଇଛି। ଧାନ ସଂଗ୍ରହ ଅର୍ଥ ବାବଦକୁ ଚା‌ଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ସୁଦ୍ଧା ପ୍ରାୟ ୬୫୫୩ କୋଟି ୭୧ ଲକ୍ଷ ଟଙ୍କା ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର