ମଣ୍ଡି ପାଇଁ କଟକଣା : ସାମାଜିକ ଦୂରତ୍ୱ ରଖି ରବି ଧାନ ସଂଗ୍ରହ

ଦୈନିକ ୩୦ ଚାଷୀଙ୍କ ଧାନସଂଗ୍ରହ, ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଧାନ ସଂଗ୍ରହ

ମାସ୍କ ପିନ୍ଧିନଥିଲେ ମଣ୍ଡିରେ ପଶିପାରିବେନି
ଅପରାହ୍ନରେ ମଣ୍ଡିରୁ ମିଲର ଧାନ ନେବେ

ଭୁବନେଶ୍ବର : ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ଯେପରି ସାମାଜିକ ଦୂରତ୍ୱ ରଖି କରାଯାଇପାରିବ ସେଥିନିମନ୍ତେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଆଜି ଏହି ମର୍ମରେ ବିଭାଗ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇଛି। ବିଶେଷକରି ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଏବଂ ଗହଳି ଏଡ଼ାଇବା ପାଇଁ ପର୍ଯ୍ୟାପ୍ତ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବ। ଏଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ବିଶେଷ ଦୃଷ୍ଟି ଦେବା ପାଇଁ କୁହାଯାଇଛି।

ସରକାର କହିଛନ୍ତି, ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ପ୍ରଚଳନ କରାଯାଇଥିବା ଅନ୍‌ଲାଇନ୍‌ ଟୋକେନ୍‌ ବ୍ୟବସ୍ଥା ରବିଧାନ ସଂଗ୍ରହ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ। ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଧାନସଂଗ୍ରହ କେନ୍ଦ୍ରରେ ସମସ୍ତ ଚାଷୀ, ପ୍ରାଥମିକ କୃଷି ସମବାୟ ସମିତିର ଅଧିକାରୀ, ମିଲର କିମ୍ବା ସେମାନଙ୍କର ପ୍ରତିନିଧି ଏବଂ କାର୍ଯ୍ୟରତ ଶ୍ରମିକମାନେ କଡ଼ାକଡ଼ି ଭାବରେ ଅନୁପାଳନ କରିବାକୁ ବାଧ୍ୟ।

ଗହଳି ଏଡ଼ାଇବା ପାଇଁ କୌଣସି କେନ୍ଦ୍ରରେ ଦୈନିକ ୩୦ ଜଣରୁ ଅଧିକ ଚାଷୀଙ୍କ ଠାରୁ ଧାନସଂଗ୍ରହ କରାଯିବ ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୧୦ ଜଣ ଚାଷୀ କେନ୍ଦ୍ରକୁ ଧାନ ନେଇ ଆସିବେ। ଆବଶ୍ୟକ ସ୍ଥଳେ ଅଧିକ ମଣ୍ଡି ଖୋଲା ଯାଇପାରିବ। ପ୍ରତ୍ୟେକଙ୍କ ବ୍ୟବହାର ନିମନ୍ତେ କେନ୍ଦ୍ରଗୁଡ଼ିକରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ ହେବ।

ସେହିଭଳି ସକାଳ ୭ଟାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଧାନ ସଂଗ୍ରହ କାର୍ଯ୍ୟ କରାଯିବ। ଯଦି କୌଣସି କେନ୍ଦ୍ର ଗହଳି ଏଡ଼ାଇବାକୁ ବିଫଳ ହୁଏ ତେବେ ସେହି କେନ୍ଦ୍ରରେ ଧାନ ସଂଗ୍ରହ କରିବାକୁ ଅନୁମତି ଦିଆଯିବ ନାହିଁ। ଅପରାହ୍ନରେ କଷ୍ଟମ୍‌ ମିଲରମାନଙ୍କ ଦ୍ୱାରା ଧାନ ଉଠାଣ କରାଯିବ। ଚାଷୀମାନଙ୍କ କ୍ଷେତ୍ରରେ ଆଇରିସ୍‌ ସ୍କାନ୍‌ର ବ୍ୟବହାର ସମୟରେ ପ୍ରତ୍ୟେକ ଥର ଏହାକୁ ସାନିଟାଇଜ୍‌ କରାଯିବ। ଏଥି ନିମନ୍ତେ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରକୁ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର ଯୋଗାଇ ଦିଆଯିବ।

ଧାନ ସଂଗ୍ରହ କେନ୍ଦ୍ରରେ କେବଳ ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀ, ମିଲରମାନଙ୍କ ପ୍ରତିନିଧି, କାର୍ଯ୍ୟରତ ଶ୍ରମିକ ଏବଂ ଗାଡ଼ିଚାଳକ, ହେଲପରଙ୍କ ପ୍ରବେଶର ଅନୁମତି ଦିଆଯିବ। ଅନ୍ୟ କୌଣସି ବ୍ୟକ୍ତି ଯଦି ମଣ୍ଡିରେ ପ୍ରବେଶ କରନ୍ତି ତେବେ ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପ୍ରଶାସନକୁ ତୁରନ୍ତ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମଣ୍ଡିରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଏବଂ ସାମାଜିକ ଦୂରତ୍ୱ ଅନୁପାଳନ ସଂପର୍କରେ ସମବାୟ ବିଭାଗର ଡିଭିଜନାଲ୍‌ ରେଜିଷ୍ଟ୍ରାର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସଂପୃକ୍ତ ଅଧିକାରୀମାନଙ୍କୁ ନିୟମିତ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସରକାର କହିଛନ୍ତି, ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ। ମାସ୍କ ପିନ୍ଧି ନଥିବା କିମ୍ବା ପାଟି ଓ ନାକ ଘୋଡ଼ାଇ ଆସିନଥିବା କୌଣସି ବ୍ୟକ୍ତିଙ୍କୁ ଧାନ ସଂଗ୍ରହ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ପାଇଁ ଦିଆଯିବ ନାହିଁ।

ସୂଚନାଯୋଗ୍ୟ, ମେ’ ମାସ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ। ଏଥି ନିମନ୍ତେ ଆଜି ସୁଦ୍ଧା ୨ ଲକ୍ଷ ୪୫ ହଜାରରୁ ଅଧିକ ଚାଷୀ ପ୍ୟାକ୍‌ସ୍‌/ଲ୍ୟାମ୍ପସ୍‌ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କର ନାମ ପଞ୍ଜୀକୃତ କରିଛନ୍ତି। ୧୭ଟି ଜିଲ୍ଲାରେ ୮୧୨ଟି ଧାନ ସଂଗ୍ରହ କେନ୍ଦ୍ରରେ ରବିଧାନ ସଂଗ୍ରହ କରାଯିବ।

ସମ୍ବନ୍ଧିତ ଖବର