ଧାନ କିଣା ନସରିବା ଯାଏଁ ମଣ୍ଡି ଖୋଲାରହୁ: ବିଜେପି

ଭୁବନେଶ୍ବର : ଆସନ୍ତାକାଲିଠାରୁ ଆଉ ସରକାର ଚାଷୀଙ୍କଠୁ ରବି ଧାନ କିଣିବେନି। ଗତ ମାସ ପହିଲାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରବି ଧାନ କଣିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ବି ଚାଷୀଙ୍କର ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି। ଚାଷୀଙ୍କଠୁ ଧାନ କିଣା ନସରିବା ଯାଏ ମଣ୍ଡି ଖୋଲା ରଖିବାକୁ ବିଜେପି ଦାବି କରିଛି। ବିଜେପି କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି କହିଛନ୍ତି, ମଣ୍ଡିରେ ଧାନ ଗଦା ହୋଇରହିଥିବା ନେଇ ସରକାର ଅବଗତ ନାହାନ୍ତି। ଏବେ ବି ବରଗଡ଼ ଜିଲ୍ଲାରେ ୨୫ ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ିରହିଛି। ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହାନ୍ତି କହିଥିଲେ, ରବି ଧାନ କିଣିବା ପାଇଁ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି ଜିଲ୍ଲା ଗୁଡ଼ିକରେ ଏ ଯାଏଁ ଧାନମଣ୍ଡି ଖୋଲିନାହିଁ। ମଣ୍ଡି ନ ଖୋଲିବାରୁ ଏସବୁ ଜିଲ୍ଲାର ଚାଷୀ ଧାନ ଅମଳ କରି ଧାର୍ଯ୍ୟ ଏମଏସପିରେ ବିକ୍ରି କରିପାରୁନାହାନ୍ତି। ବର୍ଷାରେ ଧାନ ଓଦା ହେବା ଭୟରେ ବାଧ୍ୟ ହୋଇ ଅସାଧୁ ମିଲରମାନଙ୍କୁ ୯୦୦ରୁ ୧୦୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏବେବି ମଣ୍ଡି ଆଗରେ ଧାନ ବସ୍ତା ପଡ଼ି ରହିଥିବାବେଳେ ସରକାର ଧାନ ସଂଗ୍ରହ ଅବଧି ଶେଷ ହୋଇଛି ବୋଲି କହି ଦାୟିତ୍ବରୁ ଖସି ଯିବାକୁ ବସିଛନ୍ତି। ଏହା ସରକାରଙ୍କ ଚାଷୀ ବିରୋଧୀ ମନୋଭାବ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ।

ଶ୍ରୀ ମହାନ୍ତି ଆହୁରି କହିଥିଲେ, କଳାହାଣ୍ଡି ଜିଲ୍ଲାରେ ୧୮ ତାରିଖରୁ ଧାନ କିଣା ସରିଯାଇଛି ବୋଲି କହି ଚାଷୀମାନଙ୍କୁ ଟୋକନ ଇସ୍ୟୁ କରାଯାଇନାହିଁ। ବରଗଡ଼ ଜିଲ୍ଲାର ମହାଡ଼, ଅଗଲପୁର, ବରପାଲି ଓ ରେମଟା ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଛି। ସେହିପରି ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଧାନ ଗଜା ହେବାକୁ ବସିଲାଣି। ଏସବୁକୁ ଦୃଷ୍ଟିରେ ରଖି ଚାଷୀଙ୍କଠୁଁ ସମ୍ପୂର୍ଣ୍ଣ ଧାନ କିଣା ନହେବା ଯାଏଁ ମଣ୍ଡି ବନ୍ଦ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର