ସୁନ୍ଦରଗଡ ଜିଲ୍ଲାରେ ଧାନ ସଂଗ୍ରହରେ ଅବହେଳା : ୫ ହଜାର ୬ ଶହ ଚାଷୀ ଟୋକନ ଧରି ବସିଛନ୍ତି

୪ ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ : କରୋନା ଭୂତାଣୁ ସଂକ୍ରମଣ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଆଳ ଦେଖାଇ ସୁନ୍ଦରଗଡ ଜିଲ୍ଲାରେ ଚାଷୀଙ୍କ ନିକଟରୁ ଧାନ ସଂଗ୍ରହ କରାଯାଉ ନାହିଁ। ଟୋକନ ଧରି ଚଷୀ ବସି ରହିଛନ୍ତି। ଏବେ ଧାନ ସଂଗ୍ରହ କ୍ଷେତ୍ର ସଂପୂର୍ଣ୍ଣ ଭାବେ କଟକଣାମୁକ୍ତ ରହିଥିବା ବେଳେ ଚାଷୀଙ୍କ ନିକଟରୁ କିନ୍ତୁ ଖରିଫ ଧାନ କିଣା ଯାଉ ନାହିଁ। ଚାଷୀଙ୍କ ନିକଟରୁ ଧାନ ସଂଗ୍ରହ କ୍ଷେତ୍ରରେ ସରକାରୀ ନିଷ୍କ୍ରିୟତା ଅଭିଯୋଗ କରି ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ପ୍ରସଂଗରେ ଚାରି ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ସୁରନ୍ଦରଗଡ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୁଷୋତ୍ତମ ସାହୁଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଗତ ମେ ୨୭ରେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଚାଷୀଙ୍କ ସମସ୍ୟା ସଂପର୍କରେ ଅବଗତ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଜିଲ୍ଲାପାଳଙ୍କ ନିକଟରେ ଚାଷୀଙ୍କ ନିକଟରୁ ଧାନ କିଣା ପ୍ରସଂଗକୁ ନେଇ ବିଚାରାଧୀନ ରହିଥିବା ଅଭିଯୋଗ ଉପରେ ହାଇକୋର୍ଟଙ୍କ ନ‌ିର୍ଦ୍ଦେଶର କପି ପାଇବାର ଚାରି ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାରେ ରାଜ୍ୟ ସରକାର, ସୁନ୍ଦରଗଡ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ମିଶ୍ର ଓ ମହେଶ୍ବତା ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର