ପଶ୍ଚିମ ଓଡ଼ିଶାରେ ଧାନ ବିକ୍ରିର ଅସଲ ଚିତ୍ର : ମଣ୍ଡିରେ ବି ମିଲର୍ସ ମାଲିକ!

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଧାନ କିଣା ଆରମ୍ଭରୁ ହିଁ ବିଭ୍ରାଟ‌ ଦେଖା ଦେଇଛି। ଧାନ କିଣା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲି ସାରିଥିଲେ ବି ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ମିଲ୍‌ ମାଲିକମାନଙ୍କ ଆନ୍ଦୋଳନ ପଦାରେ ପକାଇଦେଇଛି ରାଜ୍ୟ ସରକାରଙ୍କ ଧାନ କିଣା ବ୍ୟବସ୍ଥାର ଅସଲ ଚେହେରା। ରାଜ୍ୟ ସରକାର ନୁହେଁ ବରଂ ମିଲ ମାଲିକ ହିଁ ଧାନ କ୍ରୟ କରୁଛନ୍ତି ଏହା କ୍ରମେ ସ୍ପଷ୍ଟ ହୋଇଛି। ଏଥିସହିତ ମଣ୍ଡି ହେଣ୍ଡଲିଂ ବାବଦରେ ଆସୁଥିବା କୋଟି କୋଟି ଟଙ୍କା କେଉଁ ଆଡ଼େ ଖର୍ଚ ହେଉଛି ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଚାଷୀଙ୍କୁ ଧାନର ନ୍ୟୂନତମ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେବା ପାଇଁ ୨୦୦୩ ମସିହାରୁ ଯୋଗାଣ ବିଭାଗ ଧାନ କ୍ରୟ ଆରମ୍ଭ କରିଥିଲା। ପୂର୍ବରୁ ମିଲ ମାଲିକମାନେ ଲେଭିରେ ଚାଷୀଙ୍କ ଠାରୁ ଧାନ କିଣୁଥିଲେ। ଏଥି ଅନୁଯାୟୀ, ମିଲ ମାଲିକ ଚାଷୀଙ୍କ ଠାରୁ ଧାନ କିଣି ୧୦୦ କ୍ବିଣ୍ଟାଲ ହିସାବରେ ଲେଭିରେ ଏଫସିଆଇକୁ ୭୫ ପ୍ରତିଶତ ଚାଉଳ ଦେଇ ବାକି ୨୫ ପ୍ରତିଶତ ଖୋଲା ବଜାରରେ ବିକ୍ରି କରୁଥିଲା। ଏହି ପ୍ରକ୍ରିୟାରେ ଚାଷୀକୁ ନ୍ୟୂନତମ ସହାୟକ ମୂଲ୍ୟ କଥା ଦୂରରେ ଥାଉ ଚାଷ ଖର୍ଚ ମଧ୍ୟ ମିଳି ପାରୁନଥିଲା।

ଏବେ ଚାଷୀ ମଣ୍ଡିକୁ ଧାନ ଆଣିଲେ ମଧ୍ୟ ମଣ୍ଡିରେ ଧାନ ରଖାଯାଉ ନାହିଁ। ଏହା ସିଧାସଳଖ ମିଲ୍‌କୁ ଯାଉଛି। ମିଲର୍ସମାନେହିଁ ଧାନର ମାନ ଯାଞ୍ଚ ସହିତ ଓଜନ କରୁଛନ୍ତି। ଏହି ସମୟରେ ଧାନ ବସ୍ତା ମଧ୍ୟ ଚାଷୀଙ୍କୁ ଫେରସ୍ତ ମିଳୁନାହିଁ। ୨୦୦୯ ମସିହାରୁ ଧାନ ବିକ୍ରୟର ଏହି ସ୍ଥିତିକୁ ଆହୁରି ଜଟିଳ କରି ଦିଆଯାଇଛି। ସମବାୟ ସମିତି ଜରିଆରେ ଧାନ କିଣିବା ଆରମ୍ଭ ହୋଇଛି। ଏଥିପାଇଁ ସୋସାଇଟିଗୁଡ଼ିକ ଏମ୍‌ଏସ୍‌ପିର ୨.୫ ପ୍ରତିଶତ କମିସନ ନେଉଛନ୍ତି। ସମ୍ବଲପୁର ଜିଲ୍ଲାରେ ଖରିଫରେ ପ୍ରାୟ ୩ ଲକ୍ଷ ଏବଂ ରବିରେ ୧ରୁଦେଢ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ-ବିକ୍ରୟ ହେଉଛି। ୨୦୦୯ ମସିହାରୁ ସୋସାଇଟିଗୁଡ଼ିକ ଏତେ ପରିମାଣର ଧାନ କ୍ରୟ-ବିକ୍ରୟରେ କୋଟି କୋଟି ଟଙ୍କା କମିସନ ପାଇଛନ୍ତି। କିନ୍ତୁ ଏହି ଟଙ୍କା ହେଉଛି କ’ଣ ବୋଲି ପ୍ରଶ୍ନ ଉଠୁଛି।

ଯଦି ମିଲର୍ସଙ୍କ ବିନା ସୋସାଇଟି ବସ୍ତାଏ ଧାନ କିଣି ପାରୁ ନାହିଁ ଏତେ ଟଙ୍କା ସୋସାଇଟିକୁ ଦିଆଯିବାର ଉଦ୍ଦେଶ୍ୟ କଣ ବୋଲି ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଏବେ ପ୍ରଶ୍ନ କରାଯାଉଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସମ୍ବଲପୁର ଜିଲ୍ଲା ସମେତ ସାରା ରାଜ୍ୟରେ ଗୋଦାମ ଅଭାବ ଧାନ ବିକ୍ରି ବ୍ୟବସ୍ଥାକୁ ମିଲର୍ସ ସର୍ବସ୍ବ କରି ଦେଇଛି। ମଣ୍ଡି ହେଣ୍ଡଲିଂ ବାବଦରେ କେନ୍ଦ୍ରରୁ ଆସୁଥିବା ଅର୍ଥକୁ ମଧ୍ୟ ଉପଯୋଗ କରାଯାଉ ନାହିଁ। ୨୦୧୨ ମସିହାରେ ତତ୍‌କାଳୀନ ଯୋଗାଣ ବିଭାଗ ସଚିବ ମଧୁସୂଦନ ପାଢୀ ଘୋଷଣା କରିଥିଲେ ଯେ ୩ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ଧାନ ଗୋଦାମ କରି ଦିଆଯିବ। ମାତ୍ର ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଗୋଦାମର ଦେଖା ନାହିଁ। କିଛି କିଛି ସ୍ଥାନରେ ଗୋଦାମ ରହିଥିଲେ ମଧ୍ୟ ଏହା ଯଥେଷ୍ଟ ନଥିବା ତଥା ଏହାର ଉପଯୁକ୍ତ ଉପଯୋଗ ହେଉନଥିବା ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ଅଭିଯୋଗ କରିଛି।

ଏହାଛଡ଼ା ୨୦୦୧ ମସିହାରୁ ମଣ୍ଡି ହେଣ୍ଡଲିଂ ବାବଦରେ ଆସିଥିବା ଅର୍ଥର ବ୍ୟାପକ ଦୁରୂପଯୋଗ ହୋଇଥିବା ନେଇ ଚାଷୀ ସଙ୍ଗଠନ ବିଭିନ୍ନ ସମୟରେ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର