ଗଞ୍ଜାମରେ ୬୦ ହଜାର ଚାଷୀ ଅଭାବୀ ବିକ୍ରିର ଶିକାର

ବଳକା ଧାନ କିଣିବାକୁ ଚିଠି ଲେଖିଲେ ଜିଲ୍ଲାପାଳ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ଯେତିକି ଧାନ ଉତ୍ପାଦନ ହେଉଛି ତାର ଅଧା ସରକାର କିଣୁଛନ୍ତି। ଚାଷୀ ପ୍ରତିବର୍ଷ ସରକାରଙ୍କୁ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି।

ଚଳିତବର୍ଷ ଜିଲ୍ଲାରେ ଚାଷୀଙ୍କ ସ୍ଥିତି ଦୟନୀୟ। ଏପ୍ରିଲ ଯାଏ ଧାନ କିଣା ଯାଉଥିବାବେଳେ ଫେବ୍ରୁଆରି ୨୮ ମଧ୍ୟରାତ୍ରିରୁ ଧାନ କିଣା ବନ୍ଦ ହୋଇଛି। ଫଳରେ ସରକାରଙ୍କୁ ଧାନ ବିକିବାରୁ ଜିଲ୍ଲାର ପ୍ରାୟ ୬୦ହଜାର ଚାଷୀ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ଚାଷୀ କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଧାନ ବସ୍ତା ପିଛା(୭୭ କେଜି) ୧୧ ଶହରୁ ୧୧୫୦ ଟଙ୍କାରେ ବିକ୍ରି କଲେ ବି ମିଲର୍‌ ନେବାକୁ ଅନିଚ୍ଛୁକ। ଅଭାବୀ ଧାନ ବିକ୍ରିକୁ କେନ୍ଦ୍ରକରି ଋଷିକୁଲ୍ୟା ରୟତ ମହାସଭା ଚାଷୀଙ୍କ ପାଖରେ ଥିବା ଧାନ କିଣିବାକୁ ଦାବି କରି ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ‌ଶେଷରେ ଗଞ୍ଜମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୩ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଧାନ ବିକ୍ରି କରିବା ଲାଗି ପଞ୍ଜୀକୃତ ଚାଷୀଙ୍କ ଠାରୁ ବଳକା ଧାନ କଣିବାକୁ ଚିଠିରେ ଅନୁରୋଧ କରିଛନ୍ତି। ରାଜ୍ୟ ‌ଯୋଗାଣ ସଚିବଙ୍କୁ ଜିଲ୍ଲାପାଳ ଏଭଳି ମର୍ମରେ ଚିଠି ଲେଖିଛନ୍ତି।

ଚଳିତବର୍ଷ ପ୍ରଥମ ଥର ଲାଗି ଫେବ୍ରୁଆରି ୨୮ମଧ୍ୟରାତ୍ରିରୁ ଧାନକିଣା ବନ୍ଦ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ଡିସେମ୍ବର ୧୫ରୁ ଧାନ କିଣା ଆରମ୍ଭ ହୋଇଥିଲା। ସରକାରଙ୍କୁ ଧାନ ବିକ୍ରି କରିବା ଲାଗି ଜିଲ୍ଲାର ୧ଲକ୍ଷ ୨୮ହଜାର ୭ଶହ ଚାଷୀ ପଞ୍ଜୀକୃତ ହୋଇଥିଲେ। ବର୍ତମାନ ୬୬ଲକ୍ଷ ୫ହଜାର କୁଇଣ୍ଟାଲ ବିକ୍ରିଯୋଗ୍ୟ ଧାନ ବଳକା ଥିବା କୃଷି ଏବ˚ ସମବାୟ ବିଭାଗ ଆକଳନରୁ ଜଣାପଡିଛି। ଚଳିତ ବର୍ଷ ଜିଲ୍ଲାରୁ ରାଜ୍ୟ ଯୋଗାଣ ନିଗମ ଓ ମାର୍କଫେଡ ମିଳିତ ଭାବେ ଧାନ କିଣିଛନ୍ତି। ଜିଲ୍ଲାରେ ୩୯୦ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଜରିଆରେ ମଣ୍ତି ଖୋଲା ଯାଇଥିଲା। ଆଉ ଧାନ କ୍ରୟ ପ୍ରକ୍ରିୟାରେ ଜିଲ୍ଲାର ୩୭୦ ମିଲର ସାମିଲ ହୋଇଥିଲେ। ଜିଲ୍ଲାର ପ୍ରାୟ ୬୯ହଜାର ଚାଷୀଙ୍କ ଠାରୁ ପ୍ରାୟ ୩୫ ଲକ୍ଷ କୁଇଣ୍ଟାଲ ଧାନ କିଣା ଯାଇଥିବା ଜଣାପଡିଛି। ଏଥିରୁ ଯୋଗାଣ ନିଗମ ୩୦ ଲକ୍ଷ କୁଇଣ୍ଟାଲ କିଣିଥିବା ବେଳେ ମାର୍କଫେଡ ପ୍ରାୟ ୪.୫ ଲକ୍ଷ କୁଇଣ୍ଟାଲ ଧାନ କିଣିଛି। ଫେବ୍ରୁଆରି ୨୮ରୁ ଧାନ କିଣା ବନ୍ଦ ହୋଇଥିବା ବେଳେ ଜିଲ୍ଲାର ପଞ୍ଜୀକରଣ କରିଥିବା ଚାଷୀଙ୍କ ମଧ୍ୟରୁ ପ୍ରାୟ ୬୦ହଜାର ଜଣ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲାର ଆହୁରି ପ୍ରାୟ ୨୮ଲକ୍ଷ କୁଇଣ୍ଟାଲ ବିକ୍ରିଲବ୍ଧ ଧାନ ରହିଥିବା ଜଣାପଡିଛି।। ଚାଷୀମାନେ ଏବେ ଧାନ ବିକ୍ରି କରି ନ ପାରି ହଟହଟା ହେଉଛନ୍ତି। ଅନ୍ୟପକ୍ଷରେ ଆଉ ଏକ ବଡ ସମସ୍ୟା ଜିଲ୍ଲାରେ ଦେଖାଦେଇଛି। ଯୋଗାଣ ନିଗମ ଧାନ କିଣି ମିଲରଙ୍କୁ ଦେଇଛି। ମିଲରଙ୍କ ଠାରୁ ଚାଉଳ ସଂଗ୍ରହ କରଯିବ। କିନ୍ତୁ ଜିଲ୍ଲାରେ ରହିଥିବା ଯୋଗାଣ ନିଗମର ଗୋଦାମ ରଖିବାକୁ ଆବଶ୍ୟକ ଜାଗା ନ ଥିବାରୁ ଯୋଗାଣ ନିଗମ ଚାଉଳ ନେଉନାହିଁ। ଅନ୍ୟପକ୍ଷରେ ଫୁଡ୍‌ କର୍ପୋରେସନ ଅଫ ଇଣ୍ଡିଆ(ଏଫସିଆଇ) ମଧ୍ୟ ଏଥର ତ୍ବରିତ ଧାନ ନେଉନାହିଁ। ଫଳରେ ମିଲର ମଧ୍ୟ ଚାଉଳ ଦେଇ ନ ପାରି ସମସ୍ୟାରେ ପଡିଛନ୍ତି। ମିଲର ମାନଙ୍କ ମଧ୍ୟ ପର୍ଯ୍ୟାପ୍ତ ଗୋଦାମ ନାହିଁ। କିଛି ମିଲର ଖଳାରେ ବି ପାଲ ଢାଙ୍କି ଧାନ ରଖୁଛନ୍ତି। କାଳବୈଶାଖୀ ଜନିତ ବର୍ଷା ହେଉଥିବାରୁ ମଲିର ମହଜୁଦ ରଖିବା ଧାନ ନଷ୍ଟ ହେବାର ଆଶଙ୍କାରେ ଦିନ କାଟୁଛି।

ଅନ୍ୟପକ୍ଷରେ, ୨୦୧୭-୧୮ ଖରିଫରେ ଜିଲ୍ଲାରେ ୩୮୮ଗୋଟି ମଣ୍ତି ଖୋଲାଯାଇ ଧାନ କିଣାଯାଇଥିଲା। ୧ଲକ୍ଷ ୧୧ହଜାର ୬୬୬ଜଣ ଚାଷୀ ଧାନ ବିକ୍ରୀ କରିବା ଲାଗି ପଞ୍ଜୀକରଣ କରିଥିଲେ। ଗତ ବର୍ଷ ଏପ୍ରିଲ ଯାଏ ଧାନ କିଣାଯାଇଥିଲେ ହେଁ ସରକାର ପଞ୍ଜୀକରଣ କରିଥିବା ଚାଷୀଙ୍କ ମଧ୍ୟରୁ ୫୭ହଜାର ୫୭୯ଜଣ ଚାଷୀଙ୍କ ଠାରୁ ଧାନ କିଣିଥିଲେ। ଜିଲ୍ଲାର ଅଧା ଚାଷୀ ସରକାରଙ୍କୁ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର