ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମିଲର୍ସ ଓ ପ୍ରଶାସନର ଛକାପଞ୍ଝାରେ ପେଶି ହେଉଛନ୍ତି ଚାଷୀ । ସୋମବାର ମିଲର୍ମାନେ ଜିଲ୍ଲାପାଳଙ୍କୁ ଭେଟି ପୁନର୍ବାର ଦାବି ଜଣାଇବା ସହିତ ଧାନ କ୍ରୟରେ ସାମିଲ ହେବେ ନାହିଁ ବୋଲି ରୋକଠୋକ ମନା କରିଥିଲେ। ଏ ନେଇ ଜିଲ୍ଲାପାଳ ଯେଉଁ ମିଲର୍ସ ଚଳିତ ରବି ଋତୁରେ ଧାନକ୍ରୟ କରିବେ ନାହିଁ, ସେମାନଙ୍କୁ ଖରିଫରେ ମଧ୍ୟ ଧାନ କ୍ରୟ ସୁଯୋଗ ଦିଆଯିବ ନାହିଁ ବୋଲି ତାଗିଦ କରିଥିଲେ। ଜିଲ୍ଲାପାଳଙ୍କ ତାଗିଦ ପରେ ମିଲର୍ସଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି। ୭ ଜଣ ମିଲର୍ସ ଧାନ କ୍ରୟରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସେଇପାଇଁ ସେମାନେ ବ୍ୟାଙ୍କ ଗ୍ୟାରେଣ୍ଟି ବିଭାଗରୁ ଫେରସ୍ତ ନେଇ ନାହାନ୍ତି। ଅନ୍ୟପକ୍ଷରେ ଦିନେ ଦୁଇଦିନ ମଧ୍ୟରେ ଅନ୍ୟ ଜିଲ୍ଲାର ମିଲର୍ସଙ୍କୁ ଜିଲ୍ଲାରେ ଧାନ କ୍ରୟ ପାଇଁ ନିୟୋଜିତ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଉଛି। ମିଲର୍ସ ଓ ଯୋଗାଣ ବିଭାଗର ତୁତୁ ମେଁମେଁ ମଧ୍ୟରେ ମଣ୍ଡି ଆରମ୍ଭରେ ବିଳମ୍ବ ହେଉଛି। ଏଥିପାଇଁ ଅଡୁଆରେ ପଡ଼ିଛନ୍ତି ଚାଷୀ। ମଣ୍ଡି ବିଳମ୍ବ ଯୋଗୁଁ ଚାଷୀ ଅଣ୍ଡରରେଟରେ ଧାନ ବିକ୍ରି କରୁଥିବା ବେଳେ ଦଲାଲ ଯୋଗେ ଏହା ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଧାନ ମଣ୍ଡି ଖୋଲିବା ନେଇ ଅନିଶ୍ଚିତତା ଜାରି ରହିଛି। ଜିଲ୍ଲାର ୬୦ ଜଣ ମିଲର୍ସଙ୍କ ମଧ୍ୟରୁ ୩୪ ଜଣ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲେ ଏବଂ ୧୯ ଜଣ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ନଥିଲେ। ୨୭ ଜଣ ମିଲର୍ସ ଧାନ କିଣିବେ ନାହିଁ ବୋଲି ବ୍ୟାଙ୍କ ଗ୍ୟାରେଣ୍ଟି ଫେରସ୍ତ ଦେଇଥିବା ବେଳେ ୭ ଜଣଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ଫେରସ୍ତ ନେଇ ନାହାନ୍ତି। ବର୍ତ୍ତମାନ ଏହି ୭ ଜଣ ମିଲର୍ସ ଓ ଜିଲ୍ଲା ବାହାରୁ ଆସିବାକୁ ଥିବା ମିଲର୍ସଙ୍କୁ ନେଇ ଧାନ କ୍ରୟ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
କଳାହାଣ୍ଡି ଜିଲ୍ଲାରେ ଧାନକ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକରେ ମେ ୧ ପରିବର୍ତ୍ତେ ମେ ୧୫ ତାରିଖ ଧାର୍ଯ୍ୟ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ମେ ୧୫ ତାରିଖରୁ ଧାନ କ୍ରୟ କରିବା ପରିବର୍ତ୍ତେ ବର୍ତ୍ତମାନ କେବଳ ଚିଠି ଲେଖି ନିଜ ଦାୟିତ୍ବ ସାରି ଦେଇଛନ୍ତି। ମିଲର୍ମାନେ ରବି ଧାନ କିଣାରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ମନା କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ୨୫ ଜଣ ମିଲର୍ସ କଳାହାଣ୍ଡି ଜିଲ୍ଲାର ଧାନ ମଣ୍ଡିରୁ ଧାନ କ୍ରୟ କରିବା ପାଇଁ ରାଜ୍ୟ ଯୋଗାଣ ନିଗମକୁ ଚିଠି କରାଯାଇଛି। କେବେ ନିଗମ ପକ୍ଷରୁ ଜିଲ୍ଲା ବାହାର ମିଲର୍ସଙ୍କୁ ଧାନ କ୍ରୟ ପାଇଁ ନିର୍ଦ୍ଦେଶ ମିଳିବ ସେ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଜିଲ୍ଲାର ଚାଷ ଓ ଚାଷୀଙ୍କ ବିରୋଧରେ ଏହା ଏକ ସୁପରିକଳ୍ପିତ ଷଡ଼୍ଯନ୍ତ୍ର ବୋଲି ଚାଷୀ ମହଲରେ ଅଭିଯୋଗ ହୋଇଛି। ଜୁନ ମାସ ଦ୍ବିତୀୟ ସପ୍ତାହରେ ମୌସୁମୀ ବର୍ଷା ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଥିବା ବେଳେ ଏହା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବର୍ତ୍ତମାନ ମଣ୍ଡି ଆରମ୍ଭ ହୋଇ ନଥିବା ବେଳେ ଜୁନ ଦ୍ବିତୀୟ ସପ୍ତାହ ସୁଦ୍ଧା ମଣ୍ଡି ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ମଣ୍ଡି ଖୋଲା ନଗଲେ ଏକ ବଡ଼ଧରଣର ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ଛି ବୋଲି ଚର୍ଚ୍ଚା ହେଉଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦୋରାଙ୍କୁ ପଚାରିବାରୁ ଆଉ ଦିନେ ଦୁଇଦିନ ମଧ୍ୟରେ ଅନ୍ୟ ଜିଲ୍ଲାର ମିଲର୍ମାନେ କଳାହାଣ୍ଡି ଜିଲ୍ଲାରେ ଧାନ କ୍ରୟ କରିବା ପାଇଁ ଆସିବା ବୋଲି କମିସନର ସୂଚନା ଦେଇଥିବା କହିଛନ୍ତି। ଜିଲ୍ଲାର ୭ ଜଣ ମିଲର୍ସ ବ୍ୟାଙ୍କ ଗ୍ୟାରେଣ୍ଟି ନେଇ ନାହାନ୍ତି ଏବଂ ସେମାନେ ଧାନ କ୍ରୟରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି।