ବୌଦ୍ଧ : ଚଳିତ ବର୍ଷ ଖରିଫ ଧାନକିଣା ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାର ଧାନ କିଣା ଟା​ର୍ଗେଟ ପୂରଣ ହେବାକୁ ଅଳ୍ପ କିଛି ବାକି ରହିଛି। ହେଲେ ଅନେକ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିଛି। କିଏ ୧ ମାସ ତ କିଏ ୧୫ ଦିନ ହେଲା ମଣ୍ଡିରେ ଧାନ ରଖି ଜଗି ରହିଛନ୍ତି। ହେଲେ ପ୍ରତି ଚାଷୀଙ୍କ ପାଖରୁ କେବଳ ୩୦ କ୍ବିଇଣ୍ଟାଲ ଧାନ କିଣା ହେବ ବୋଲି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ଫଳରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

Advertisment

ଧାର କରଜ କରି ଚାଷ କରିବା ପରେ ଉଚିତ ମୂଲ୍ୟ ନ ମିଳିବା ଭୟ ଚାଷୀଙ୍କୁ ଅସ୍ତବ୍ୟସ୍ତ କରିଛି। ଆଣିଥିବା ଋଣ ପରିଶୋଧ କରିବା ଅସମ୍ଭବ ହେବ। ତେଣୁ ଗତ ଦୁଇ ଦିନରେ ବିଭିନ୍ନ ମଣ୍ଡିର ଚାଷୀ ଜିଲ୍ଲାପାଳଙ୍କ ଅଫିସକୁ ଆସି ସିଏସଓଙ୍କୁ ସାକ୍ଷାତ କରି ଗୁହାରି କରୁଥିବା ଦେଖାଯାଇଛି। ଗୁହାରି କରିବା ପରେ ଯୋଗାଣ ବିଭାଗ ପକ୍ଷରୁ ତାଙ୍କ ସମସ୍ତ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ମିଳୁଛି। ଫଳରେ ଏବେ ମଣ୍ଡିରେ ଧାନ ରଖିଥିବା ଚାଷୀ ଜିଲ୍ଲାପାଳଙ୍କ ଅଫିସମୁହାଁ। ବହିରା ମଣ୍ଡିର ମୁରଲୀଧର ସାହୁ, ବିହାରୀ ପ୍ରଧାନ, ଶ୍ୟାମସୁନ୍ଦର ଖଟୁଆ, ଗୀତାଞ୍ଜଳି କ୍ଷେତି, ପ୍ରକାଶ ନାଏକ ଓ ଦୈତ୍ୟାରି ନାଏକ ପୂରା ଧାନ ବିକ୍ରି କରି ନପାରି ବୁଧବାର ସିଏସ୍‌ଓଙ୍କ ନିକଟରେ ନେହୁରା ହୋଇଥିଲେ। ଟୋକନ ଅନୁସାରେ ସେମାନଙ୍କ ସମସ୍ତ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆଶ୍ବସ୍ତ ​ହୋଇଛନ୍ତି।