ବିଧାନସଭାରେ ହୋହଲ୍ଲା, ବାବୁ କିନ୍ତୁ ଢିଲା : ସରକାର ଅସହାୟ, ଚାଷୀ ହତାଶ

ଧାନ କିଣା ବ୍ୟବସ୍ଥାରେ ବଡ଼ ଘଳିଆ

ମିଲର-ଦଲାଲ-ବାବୁଙ୍କ ମଧୁଚନ୍ଦ୍ରିକା
କଣ୍ଟ ପୂରିଲା ପରେ ମାତ୍ର ୫ଟି ଜିଲ୍ଲାରୁ ରିପୋର୍ଟ ଆସିଛି

ଭୁବନେଶ୍ବର : ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଲା। ବାଚସ୍ପତି ନିଜେ ହସ୍ତକ୍ଷେପ କଲେ। ରୁଲିଂ ଦେଲେ। ଜିଲ୍ଲାପାଳ ଓ ଯୋଗାଣ ବିଭାଗର ବାବୁମାନେ କିନ୍ତୁ ଏତେ ବେଫିକର ଯେ ଗତ ୧୦ ଦିନ ଭିତରେ ସ୍ଥିତିରେ ସାମାନ୍ୟତମ ଉନ୍ନତି ପରିଲକ୍ଷିତ ହେଲାନାହିଁ। ଏବେ ବି ରାଜ୍ୟର ବିଭିନ୍ନ ମଣ୍ଡିରେ ଶହ ଶହ କ୍ବିଣ୍ଟାଲ ଧାନ ପଡିରହିଛି। ଟୋକନ୍ ମିଳିନି ବୋଲି ଚାଷୀ ହଜାର ହଜାର କ୍ବିଣ୍ଟାଲ ଧରି ଘରେ ବସିଛନ୍ତି। ମିଲର ଓ ଯୋଗାଣ ଅଧିକାରୀଙ୍କ ମନମାନି କାରଣରୁ ସମଗ୍ର ରାଜ୍ୟରେ ଧାନକିଣା ବ୍ୟବସ୍ଥା ଏକଦମ ଠପ୍ ହୋଇଯାଇଛି। ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ ସରକାରଙ୍କ ନିର୍ଦେଶକୁ ଜିଲ୍ଲାପାଳମାନେ ବେଖାତିର୍ କରିଛନ୍ତି। ଜଣେ କି ଦୁଇଜଣ ନୁହେଁ, ପୂରା ୨୪ ଜଣ ଜିଲ୍ଲାପାଳ ସରକାରଙ୍କୁ ଧାନ କିଣା ସଂପର୍କରେ ରିପୋର୍ଟ ଦେଇନାହାନ୍ତି। ଯୋଗାଣ ସଚିବ ଏକଥା ଜାଣିଛନ୍ତି, ମୁଖ୍ୟଶାସନ ସଚିବ ବି। ହେଲେ ଅଦୃଶ୍ୟ କ୍ଷମତା ବଳରେ ଏମାନେ ଏତେ ବଳିୟାନ୍ ହୋଇଯାଇଛନ୍ତି ଯେ କାହା ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ଯେଉଁ ଚାଷୀଙ୍କ ପାଇଁ ସରକାର ଏତେ ଚିନ୍ତା ବ୍ୟକ୍ତ କରିଥିବା କହୁଛନ୍ତି, ସ୍ବତନ୍ତ୍ର କୃଷି ବଜେଟ୍ କଥା କୁହାଯାଉଛି, ଚାଷ ପାଇଁ ଆଗୁଆ ବୈଠକ କରିବା ଲାଗି ଏବେ ତନାଘନା ଚାଲିଛି, ସେହି ଚାଷୀମାନଙ୍କ ଉତ୍ପାଦନକୁ କିଣିବା କ୍ଷେତ୍ରରେ ସରକାରୀ ବିଫଳତା ଏବେ ସମଗ୍ର ରାଜ୍ୟରେ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହେଲାଣି। ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ପୁଣି ଥରେ ଧାନ କିଣା ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ।

ଖବର ଅନୁସାରେ, ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଋତୁରେ ମଣ୍ଡିରେ ଧାନ ପଡ଼ିରହିଥିବା ନେଇ ବିଧାନସଭାରେ ଦୁଇଦିନ ଧରି ଗୃହ ଅଚଳ ହେଲା। ବାଚସ୍ପତିଙ୍କ ନିର୍ଦ୍ଦେଶରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୩ ଦିନ ଧରି ୧୪୭ ବିଧାୟକଙ୍କ ସହ ଆଲୋଚନା କରି ତୁରନ୍ତ ପଡ଼ିରହିଥିବା ଧାନକୁ କିଣିବାକୁ ନିର୍ଦ୍ଦେଶ ଦେଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରରେ ଡିଏଲ୍‌ପିସି ବୈଠକ କରି ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଗତ ୨ ତାରିଖ ସୁଦ୍ଧା ଧାନ କିଣା ରିପୋର୍ଟ ପଠାଇବାକୁ ବିଭାଗ ପକ୍ଷରୁ ୨୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଥିଲା। କିନ୍ତୁ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆଜି ସୁଦ୍ଧା ମାତ୍ର ୫ଟି ଜିଲ୍ଲାକୁ ଛାଡ଼ିଦେଲେ ବାକି ୨୪ଟି ଜିଲ୍ଲା ରିପୋର୍ଟ ପଠାଇନାହାନ୍ତି। ଆହୁରି ସାଂଘାତିକ କଥା ହେଲା, ଧାନ ହୋର୍ଡିଂ କରିଥିବା ଅସାଧୁ ମିଲର ଓ ଦଲାଲଙ୍କୁ ଧରିବାକୁ ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ ବାବୁମାନେ ଅଧାରୁ ଅଧିକ ଜିଲ୍ଲାରେ ଏଯାଏ ଉଦ୍ୟମ କରିନାହାନ୍ତି।

ଧାନ କିଣା ଦୁର୍ନୀତି ରୋକିବା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ଗଠନ କରାଯାଇଛି। ହେଲେ ସମଗ୍ର ରାଜ୍ୟରେ ହଜାର ହଜାର କ୍ବିଣ୍ଟାଲ ଧାନ ମିଲର ଓ ଦଲାଲଙ୍କ କବଜାରେ ଥିଲେ ହେଁ ୭ଟି ଜିଲ୍ଲାରୁ ଏବେସୁଦ୍ଧା ୩ ହଜାର ୩୧୨ କ୍ବିଣ୍ଟାଲ ଧାନ ଜବତ କରାଯାଇଛି। ଜଗତସିଂହପୁର ଜିଲ୍ଲାରେ ଅସାଧୁ ମିଲର ଓ ଦଲାଲଙ୍କଠାରୁ ୨୨୫ କ୍ବିଣ୍ଟାଲ, କନ୍ଧମାଳ ୪୬୦ , କେନ୍ଦୁଝର ୨୩୫, କେନ୍ଦ୍ରାପଡ଼ା ୬୫, ସମ୍ବଲପୁର ୩୯୨, ସୁବର୍ଣ୍ଣପୁର ୮୩୫ ଓ ମାଲକାନଗିରି ଜିଲ୍ଲାରୁ ୧୧୦୦ କ୍ବିଣ୍ଟାଲ ଧାନ ଜବତ କରାଯାଇଛି। ନାମକୁ ମାତ୍ର ଦୋଷ ଛଡାଇବା ପାଇଁ ଏଭଳି ଉଦ୍ୟମ ହୋଇଥିବା ଚାଷୀମହଲରେ ଅଭିଯୋଗ ହୋଇଛି।

ଧାନ କିଣା କ୍ଷେତ୍ରରେ ଏତେ ଗମ୍ଭୀର ସମସ୍ୟା ଉପୁଜିଥିଲେ ହେଁ ମୁଖ୍ୟଶାସନ ସଚିବ ହସ୍ତକ୍ଷେପ କରୁନାହାନ୍ତି କି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଯେଉଁମାନେ ଧାନ ବିକ୍ରି କରି ସାରିଛନ୍ତି, ସେମାନେ ମଧ୍ୟ ଏଯାଏ ତାର ପ୍ରାପ୍ୟ ପାଇନାହାନ୍ତି। ଖରିଫ୍ ଧାନ ସଂଗ୍ରହର ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ପ୍ରାପ୍ୟ ମିଳିବ ବୋଲି ସରକାର ଘୋଷଣା କରିଥିବା ବେଳେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକର ଶହ ଶହ ଚାଷୀ ଏଯାଏଁ ସେମାନଙ୍କ ପ୍ରାପ୍ୟ ପାଇନଥିବା ସୂଚନା ମିଳିଛି। ସରକାରଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡ୍‌ଯନ୍ତ୍ର ନା ମିଲର ଓ ଦଲାଲଙ୍କ କବଜାରୁ ଯୋଗାଣ ବିଭାଗ ଚାଲିଯାଇଛି, ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି।

ଉଲ୍ଲେଖଯୋଗ୍ୟ ଯେ ଗତମାସ ୨୪, ୨୫, ୨୬ ତାରିଖରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଧାନ ମଣ୍ଡିରୁ ଧାନ ଉଠିବା ନେଇ ତନାଘନା କରିଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଫେବ୍ରୁଆରି ୨୯ ତାରିଖରେ ପୁରୀ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଇବାକୁ ଚିଠି ଲେଖିଥିଲେ। କଣ୍ଟ ପୂରିବାର ୪ ଦିନ ପରେ ଖୋର୍ଦ୍ଧା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ରିପୋର୍ଟ ପଠାଇଛନ୍ତି। ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଲୋକସେବା ଭବନରେ ଅନେକ ଏସ୍‌ସିଏସ୍‌ଓ କାର୍ଯ୍ୟାଳୟ ଆସି ବସି ବସି ଦରମା ନେଉଛନ୍ତି। କିନ୍ତୁ ସେମାନଙ୍କୁ ଏନ୍‌ଫୋର୍ସ୍‌ମେଣ୍ଟ ସ୍କ୍ବାଡ୍‌ରେ ପଠାଯାଉନି। ଏନ୍‌ଫୋର୍ସମେଣ୍ଟ୍‌କୁ ଜୋରଦାର କରିବାକୁ ବିଭାଗୀୟ ସଚିବ ଚିଠି ଲେଖିଲେ ବି କାର୍ଯ୍ୟକାରୀ ହେଉନି।

ସମ୍ବନ୍ଧିତ ଖବର