ସମାଧାନ ବାଟ ଫିଟିଲା : ହୀରାକୁଦ ଅଞ୍ଚଳ ଚାଷୀ ପାଇଁ ଟୋକନ୍‌ କଟକଣା ରହିବନି

ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ ସୁଶାନ୍ତ ଓ ବିଧାୟକ ରୋହିତ, ଦୂର ହେଲା ଅଚଳାବସ୍ଥା, ଧାନ ସଂଗ୍ରହ ଆରମ୍ଭ

ସମ୍ବଲପୁର/ଗୋଡ଼ଭଗା : ଉଚ୍ଛେଦ ହେବ ନାହିଁ ଭୁବନେଶ୍ବରରୁ ଜାରି ଅନଲାଇନ୍‌ ଟୋକନ ବ୍ୟବସ୍ଥା। କିନ୍ତୁ ହୀରାକୁଦ କମାଣ୍ଡ ଅଞ୍ଚଳରେ ଚାଷୀଙ୍କ ଧାନ ସଂଗ୍ରହ ଏବଂ ମଣ୍ଡିରେ ଧାନ କାରବାର ଉପରେ କଟକଣା ରହିବ ନାହିଁ। ଏପରିକି ଅନ୍‌ଲାଇନ୍‌ ଟୋକନ୍‌ ଆଣି ନଥିବା ଚାଷୀ ବି ମଣ୍ଡିରୁ ଟୋକନ୍‌ ନେଇ ଧାନ ବିକିପାରିବେ।

ଭୁବନେଶ୍ବରରୁ ଜାରି ଅନଲାଇନ୍‌ ଟୋକନ ବ୍ୟବସ୍ଥା ବିରୋଧରେ ଗୁରୁବାର ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ ଚାଲିଥିବା ବେଳେ ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା କରି ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ରେଢାଖୋଲ ବିଧାୟକ ରୋହିତ ପୂଜାରୀ। ଏଥିସହିତ ୬ ଦିନ ଧରି ସମ୍ବଲପୁର ଜିଲ୍ଲାରେ ଚାଲିଥିବା ଧାନ ବିକ୍ରି ଅଚଳାବସ୍ଥା ଗୁରୁବାର ଦୂର ହୋଇଛି। ଅନ୍‌ଲାଇନ୍‌ ଟୋକନ୍‌ ବିନା ୪ ଚାଷୀଙ୍କ ୮୨ ପ୍ୟାକେଟ ସମେତ ସମୁଦାୟ ୧୦ ଚାଷୀଙ୍କ ୧୫୦୪ ବସ୍ତା ଧାନ ସଂଗ୍ରହ ହୋଇଛି। ସପ୍ତାହବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଘୋଷଣା କରିଛନ୍ତି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ପରାମର୍ଶଦାତା ଅଶୋକ ପ୍ରଧାନ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର କର୍ମକର୍ତ୍ତାମାନେ ବରେଇପାଲି ଛକ ସ୍ଥିତ ଜାତୀୟ ରାଜପଥକୁ ଗୁରୁବାର ସକାଳୁ ଅବରୋଧ କରିଥିଲେ।

ସେହିପରି ବରଗଡ଼ ଜିଲ୍ଲା ଗୋଡ଼ଭଗାରେ ବି ଗୁରୁବାର ସକା‌େଳ ଚାଷୀମାନେ ୫୩ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ହଜାର ହଜାର ଧାନବସ୍ତା ପକାଇ ଅବରୋଧ କରିଥିଲେ।

ମନ୍ତ୍ରୀ ସୁଶାନ୍ତ ସିଂ ଓ ଶାସକ ଦଳ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଆନ୍ଦୋଳନସ୍ଥଳରେ ପହଁଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଧାୟକ ରୋହିତ ପୂଜାରୀ ଘୋଷଣା କରିଥିଲେ ଯେ ଚାଷୀ ଆନ୍ଦୋଳନ ସମ୍ମୁଖରେ ସରକାର ନରମିଛନ୍ତି। ଚାଷୀ ପୂର୍ବଭଳି ଧାନ ବିକ୍ରି କରିପାରିବ। ବିନା ଟୋକନ୍‌ରେ ଚାଷୀ ମଣ୍ଡିରେ ପହଞ୍ଚିଲେ ବି ଧାନ ବିକ୍ରି କରିବାରେ କୌଣସି ଅସୁବିଧା ହେବ ନାହିଁ। ପଞ୍ଜୀକରଣ ଆଧାରରେ ମଣ୍ଡିରେ ହିଁ ତାଙ୍କ ନାଁରେ ଟୋକନ୍‌ ଜେନେରେଟ୍‌ କରିହେବ। ମନ୍ତ୍ରୀଙ୍କ ଘୋଷଣାକୁ ଆଜିହିଁ କାର୍ଯ୍ୟକାରୀ କରିବାକୁ କିଛି ଚାଷୀ ଅଡ଼ି ବସିବାରୁ ଅନ୍‌ଲାଇନ ଟୋକନ ବିନା ୮୨ ପ୍ୟାକେଟ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷରୁ ମଣ୍ଡିରେ ମଧ୍ୟ ଧାନ ସଂଗ୍ରହର କଟକଣା ଆରମ୍ଭ ହୋଇଥିଲା। ଏହା ମଧ୍ୟ ପ୍ରତ୍ୟାହାର ହୋଇଛି। ଏକର ପିଛା ଧାନ ବିକ୍ରି ସୀମା ବୃଦ୍ଧି ପାଇଁ ଏଫ୍‌ସିଆଇକୁ ଲିଖିତ ଭାବରେ ଆବେଦନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଏଥିସଂକ୍ରାନ୍ତରେ କିଛି ଦିନ ମଧ୍ୟରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ପ୍ରତିନିଧି ଉପସ୍ଥିତିରେ ଭୁବନେଶ୍ବରରେ ବୈଠକ ହେବ। ଚାଷୀ ମଣ୍ଡିକୁ ଧାନ ଆଣିବାର ୪ ଘଣ୍ଟା ମଧ୍ୟରେ ଏହା ଉଠିଯିବ ଏବଂ ୨୪ ଘଣ୍ଟାରୁ ୨ ଦିନ ମଧ୍ୟରେ ଚାଷୀ ପ୍ରାପ୍ୟ ମଧ୍ୟ ପାଇଯିବ ବୋଲି ସରକାରୀ ପ୍ରତିନିଧି ଘୋଷଣା କରିଥିଲେ। ଉପଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏବଂ ସିଏସ୍‌ଓ ରଂଜନ ସେଠ ବି ଉପରୋକ୍ତ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୪ଟାରେ ଜାତୀୟ ରାଜପଥ ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର