କେବଳ ଶ୍ରୀମନ୍ଦିର ଟଙ୍କା ନୁହେଁ, ଧାନକିଣାରେ ବି ୟେସ୍‌ ବ୍ୟାଙ୍କ

ସମ୍ବଲପୁର : କାଳିଆ ଠାକୁରଙ୍କ ଟଙ୍କା ପାଇଁ ଚର୍ଚ୍ଚା ଓ ବିବାଦରେ ରହିଆସିଥିବା ୟେସ୍‌ ବ୍ୟାଙ୍କ ଉପରେ ରାଜ୍ୟ ସରକାରଙ୍କ ମେହରବାନିର ଆଉ ଏକ ଫର୍ଦ୍ଦ ମଧ୍ୟ ଉନ୍ମୋଚିତ ହୋଇଛି। ରାଜ୍ୟରେ ଚଳିତ ବର୍ଷର ସମଗ୍ର ଧାନକିଣା ପ୍ରକ୍ରିୟାକୁ ମଧ୍ୟ ସରକାର ଏହି ବ୍ୟାଙ୍କ ମାର୍ଫତରେ ଛାଡ଼ି ଦେଇଥିଲେ। ଦେଢ଼ବର୍ଷ ତଳେ ଏହି ବ୍ୟାଙ୍କର ଅନିୟମିତତା ସଂପର୍କରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ସମୟରେ ହିଁ କୋଟି କୋଟି ଟଙ୍କାର ଧାନକ୍ରୟ ପ୍ରକ୍ରିୟାକୁ ଏହି ବ୍ୟାଙ୍କ ଭରସାରେ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ଏବେ ରିଜର୍ଭ ବ୍ୟାଙ୍କର କଟକଣା ପରେ ଏହି ବ୍ୟାଙ୍କ ଜରିଆରେ କାରବାର କରିଥିବା ରାଜ୍ୟର ଅଧିକାଂଶ ସମବାୟ ବ୍ୟାଙ୍କ ମଧ୍ୟ ଅଡ଼ୁଆରେ ପଡ଼ିଛନ୍ତି। କାରଣ ସେମାନଙ୍କ ଚେକ୍‌ ଓ ଏନ୍‌ଇଏଫ୍‌ଟି ୟେସ୍‌ ବ୍ୟାଙ୍କ ଜରିଆରେ ହିଁ ହେଉଥିଲା।

୨୦୧୯-୨୦ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖରିଫରେ ୬୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିରେ କ୍ବିଣ୍ଟାଲ ପିଛା ଚାଷୀଙ୍କୁ ୧୮୧୫ ଟଙ୍କା ପ୍ରଦାନ ନିର୍ଦେଶ ରହିଥିଲା। କେବଳ ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ ୧୫୦୦ କୋଟି ଟଙ୍କାର ଧାନ କିଣା ହୋଇଥିଲା। ଏହି ଧାନର ପ୍ରାପ୍ୟ ୟେସ୍‌ ବ୍ୟାଙ୍କ ଜରିଆରେ ଆସି ସମବାୟ ବ୍ୟାଙ୍କ୍‌ଗୁଡ଼ିକୁ ଦିଆଯାଇଥିଲା ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସମବାୟ ସମିତି ପକ୍ଷରୁ ଧାନ ସଂଗ୍ରହ ପରେ ଓଜନ କରାଯାଇ ସ୍ବତନ୍ତ୍ର ବ୍ୟବସ୍ଥାରେ ମିଲ୍‌କୁ ଦିଆଯାଏ। ମିଲରଙ୍କ ପକ୍ଷରୁ ଏସି ନୋଟ୍‌ ଦିଆଯାଏ। ଏହାପରେ ପଞ୍ଜୀକରଣ ସମୟରେ ଚାଷୀ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ପ୍ରାପ୍ୟ ଜମା ହୋଇଥାଏ। ପୂର୍ବରୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଜରିଆରେ ଏହି କାରବାର ହେଉଥିଲା। ତେବେ ସମବାୟ ବ୍ୟାଙ୍କର ଏନ୍‌ଇଏଫ୍‌ଟି କ୍ଷମତା ନଥିବାରୁ ଆଇସିଆଇସିଆଇ ଏବଂ ଏକ୍ସିସ ବ୍ୟାଙ୍କ ଜରିଆରେ ପୂର୍ବରୁ ଏହା କରାଯାଉଥିଲା। ତେବେ ଦେଢ଼ ବର୍ଷ ହେଲା, ରାଜ୍ୟ ସରକାରଙ୍କ ପକ୍ଷରୁ ୟେସ ବ୍ୟାଙ୍କ ଜରିଆରେ ଏହି ଅର୍ଥ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଅବଶ୍ୟ ବର୍ଷେରୁ ଅଧିକ ସମୟ ହେଲା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ପହଞ୍ଚୁଥିବାରୁ ଚେକ୍‌ କାରବାର ହେଉ ନାହିଁ। ତେଣୁ ୟେସ୍‌ ବ୍ୟାଙ୍କ ସଂକ୍ରାନ୍ତରେ ଯେଉଁ ବିବାଦ ଉତ୍ପନ୍ନ ହୋଇଛି, ସେଥିରେ ଚାଷୀମାନେ ବିଶେଷ ପ୍ରଭାବିତ ହେବେ ନାହିଁ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ଆଶା ରହିଛି। ୨୦୦୩ ମସିହାରେ ସ୍ଥାପିତ ୟେସ ବ୍ୟାଙ୍କକୁ ନେଇ ଦୁଇ ବର୍ଷ ହେଲା ବିବାଦ ଉତ୍ପନ୍ନ ହୋଇଛି। ଏହା ସତ୍ତ୍ବେ ରାଜ୍ୟ ସରକାର କାହିଁକି ୟେସ ବ୍ୟାଙ୍କ ଜରିଆରେ ଧାନ ବିକ୍ରି ନିଷ୍ପତ୍ତି ନେଲେ ଏହାକୁ ନେଇ ପ୍ରଶ୍ନବାଚୀ ରହିଛି। ରାଜ୍ୟରେ ଅନେକ ଜାତୀୟ କରଣ ବ୍ୟାଙ୍କ ରହିଛି। କୋଟି-କୋଟି ଟଙ୍କାର ଧାନ ବିକ୍ରି କାରବାର କାହିଁକି ଘରୋଇ ବ୍ୟାଙ୍କ ଜରିଆରେ କରାଯାଉଛି, ଏହା ପଛରେ କାହାର ସ୍ବାର୍ଥ ରହିଛି ଏହା ମଧ୍ୟ ପ୍ରଶ୍ନ ଘେରରେ ରହିଛି।

ତ‌େବେ ୟେସ୍‌ ବ୍ୟାଙ୍କ ଜରିଆରେ ଚାଷୀଙ୍କ ଧାନବିକ୍ରି ପ୍ରାପ୍ୟ ପ୍ରଦାନ ଯୋଗୁଁ କୌଣସି ସ୍ଥାନରେ ଚାଷୀ ହଇରାଣର ସମ୍ମୁଖୀନ ହୋଇଛନ୍ତି କି ନା ତାହା ଜଣାପଡ଼ିନାହିଁ। ଏ ବିଷୟରେ ତର୍ଜମା ଚାଲିଛି ଓ ସୋମବାର ଏ ସଂପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର