ରାଜ୍ୟରେ ଧାନ ସଂଗ୍ରହ ଅବ୍ୟବସ୍ଥା ସୀମା ଟପିଲା: ଏମ୍‌ଏସ୍‌ପି ପ୍ରହସନ, ସବୁଠି କଟ୍‌ନି ଛଟ୍‌ନି

ମାଲକାନଗିରିରେ ଦଲାଲ ସକ୍ରିୟ, ଏକ ସପ୍ତାହ ପାଇଁ ଧାନ ସଂଗ୍ରହ ବନ୍ଦ
ସୁନ୍ଦରଗଡ଼ରେ ଟୋକନ ଅବଧି ଶେଷ ପରେ ବି ହେଲାନି ସଂଗ୍ରହ
ବ୍ରହ୍ମପୁରକୁ ଘାରିଛି ଟୋକନ ଲାପ୍ସ୍‌ର ଭୟ, ପୁରୀରେ ଧାନ ସଂଗ୍ରହ ବିଳମ୍ବିତ

ଭୁବନେଶ୍ୱର : ରାଜ୍ୟରେ ଧାନ ସଂଗ୍ରହ ସ୍ଥିତିରେ ସୁଧାର ହେବାର ନାଁ ନେଉ ନାହିଁ। ପ୍ରତିବର୍ଷ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ମନ୍ଥର ଗତିରେ ଧାନ ସଂଗ୍ରହ ହେବା ସହିତ କଟ୍‌ନି ଛଟ୍‌ନି ନାଁରେ ବଡ଼ଧରଣର ଏମ୍‌ଏସପିରେ କେଳେଙ୍କାରୀ ଅଭିଯୋଗ କଲେଣି ବିଭିନ୍ନ ଜିଲ୍ଲାର ଚାଷୀ ସଙ୍ଗଠନ। ଏମ୍‌ଏସପିରେ ଅର୍ଥାତ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କାରେ ଧାନ ସଂଗ୍ରହ କରାଯାଉଥିବା କହୁଛନ୍ତି ରାଜ୍ୟ ସରକାର। ମାତ୍ର ୩୦ଟି ଯାକ ଜିଲ୍ଲାରେ ଧାନ ଗୁଣାତ୍ମକମାନକୁ ଆଳ କରି କ୍ବିଣ୍ଟାଲ ପିଛା ୫ରୁ ୧୦ କେଜି ଧାନ କାଟି ଦିଆଯାଉଛି। ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲା ଗଞ୍ଜାମ, ବରଗଡ଼, କଳାହାଣ୍ଡି, ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଧା, କଟକ ହେଉକି ଆଭ୍ୟନ୍ତରୀଣ ଅଞ୍ଚଳ ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ କୌଣସି ଅଞ୍ଚଳ ମିଲର୍‌ ଶୋଷଣରୁ ବାଦ ପଡ଼ୁନାହିଁ। ଯୋଗାଣ ବିଭାଗ ସେମାନଙ୍କ ଆଗରେ ହାର ମାନୁଛି ନଚେତ ମିଲରଙ୍କୁ ହିଁ ସହଯୋଗ କରୁଛି। ଯେଉଁଠି ଚାଷୀ କଟ୍‌ନି ଛଟ୍‌ନିକୁ ବିରୋଧ କରୁଛନ୍ତି ସେଠାରେ ମିଲର ଧାନ ଉଠାଉ ନାହାନ୍ତି। ଚଳିତ ବର୍ଷ ଯେଉଁଭଳି ଅଦିନିଆ ବର୍ଷା ଲାଗି ରହିଛି, ଅଧିକାଂଶ ମଣ୍ଡିରେ ଧାନ ରଖିବା ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ, ତେଣୁ ଚାଷୀ ବାଧ୍ୟ ହୋଇ ଯେତେ ପାଉଛନ୍ତି ସେତିକିରେ ବିକ୍ରି କରି ଦେଉଛନ୍ତି। ସେଥିରେ ପୁଣି ଦଲାଲଙ୍କ ସକ୍ରିୟତା, ଟୋକନ ସମସ୍ୟା ଚାଷୀଙ୍କ ନିଦ ହଜାଇ ଦେଇଛି।

Sambad

ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୧-୨୨ ଖରିଫ ପାଇଁ ରାଜ୍ୟରେ ୩୧ ଲକ୍ଷ ୧୫ ହଜାର ୨୯୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହେଲାଣି। ରାଜ୍ୟର ୨୦୯୧ ପ୍ୟାକ୍ସ, ୫୬୧ ଏସ୍‌ଏଚଜି ମାଧ୍ୟମରେ ପଞ୍ଜୀକୃତ ୧୫ ଲକ୍ଷ ୪୨ ହଜାର ୬୦୯ ଚାଷୀଙ୍କ ମଧ୍ୟରୁ ୬ ଲକ୍ଷ ୩୦ ହଜାର ୯୭୭ ଚାଷୀ ଧାନ ବିକ୍ରୟ କରିଛନ୍ତି। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନଭେମ୍ବର ୧୫ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଟୋକନ ସମସ୍ୟା, ପ୍ୟାକ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଆରମ୍ଭରୁ ହିଁ ଧାନ ସଂଗ୍ରହ ମନ୍ଥର ହୋଇଛି। ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷ ୪୧ ହଜାର ଧାନ ସଂଗ୍ରହ ହେଲାଣି। ଏଠାରେ ୨୦ ହଜାରରୁ ଊର୍ଧ୍ବ ଚାଷୀ ବର୍ତ୍ତମାନ ମଧ୍ୟ ଧାନ ବିକ୍ରି କରି ନାହାନ୍ତି।

ଜୟକିଷାନ ଚାଷୀ ସଂଗଠନର ଅଭିଯୋଗ ଅନୁସାରେ, ଧାନ ବିକ୍ରିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଅନେକ ଚାଷୀଙ୍କ ଟୋକନ ଆସିନାହିଁ। ଅମ୍ଭାଭନା, ଭଟଲି, ପାଇକମାଲ, ଝାରବନ୍ଧ ସମେତ ବିଭିନ୍ନ ଅଞ୍ଚଳରେ କ୍ବିଣ୍ଟାଲରୁ ୫ କେଜି ଧାନ କଟାଯାଇଛି। ଏହାର ବିରୋଧ ହେବାରୁ ଝାରବନ୍ଧର ଲହୁଡ଼ିଧରା ଭଳି ଅନେକ ସ୍ଥାନରେ ୫ ହଜାର ପ୍ୟାକେଟ ଧାନ ୧୫ ଦିନରୁ ଊର୍ଧ୍ବ ସମୟ ହେଲା ବିକ୍ରି ନହୋଇ ପଡ଼ିଛି। ପାଇକମାଲ ବ୍ଲକର ଝିଟିକାମୁଣ୍ଡାରେ ଆରମ୍ଭରୁ ମନ୍ଥର ଗତିରେ ଧାନ ସଂଗ୍ରହ ହୋଇଥିବା ବେଳେ ବରଗଡ଼ ଯୋଗାଣ ଅଧିକାରୀଙ୍କ କଥା ମଧ୍ୟ ମିଲରମାନେ ଶୁଣୁନଥିବା ଦେଖାଯାଉଛି। କଟ୍‌ନି ଛଟ୍‌ନି ନାଁରେ ଧର୍ମଗଡ଼ ବ୍ଲକରେ ୯ କେଜି ପର୍ଯ୍ୟନ୍ତ ମଧ୍ୟ ଧାନ କଟାଯାଇଛି। ଚାଷୀ ଧାନ ବିକ୍ରି ବେଳକୁ ନାକେଦମ ହେଉଛି କିନ୍ତୁ ଦଲାଲ ଚାଷୀ କାର୍ଡ ଜରିଆରେ ବିନା ସମସ୍ୟାରେ ଧାନ ବିକ୍ରି କରି ଦେଉଛି। ଧାନ ସଂଗ୍ରହରେ ଏମ୍‌ଏସପିର ସର୍ବାଧିକ ଲାଭ ନେଉଥିବା ସମ୍ବଲପୁର ଚାଷୀଙ୍କ ପାଇଁ ମଧ୍ୟ ସ୍ଥିତି ପୂର୍ବଭଳି ନାହିଁ। କିଛି ବର୍ଷ ହେଲା ଏଠାରେ ବ୍ୟାପକ କଟ୍‌ନି ଛଟ୍‌ନି ହେଉଛି। ଚଳିତ ବର୍ଷ କୁଚିଣ୍ଡାରେ ୫ରୁ୬ କେଜି ଧାନ କଟା ଯାଇଛି।

ନଭେମ୍ବର ମଝି ସପ୍ତାହରୁ ମାଲକାନଗିରି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ମାତ୍ର ଏଠାରେ ଏତେ ପରିମାଣରେ ଦଲାଲ ସକ୍ରିୟ ହୋଇପଡ଼ିଛନ୍ତି ଯେ ଆଜି ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଧାନ ସଂଗ୍ରହ ବନ୍ଦ କରି ଦିଆଯାଇଛି। କୋରାପୁଟ ଜିଲ୍ଲା ଚାଷୀ ନିଜ ଅଞ୍ଚଳରେ ଧାନ ବିକ୍ରି ପାଇଁ ସମସ୍ୟା ସମ୍ମୁଖୀନ ହେବାରୁ ଛତିଶଗଡ଼ ଏବଂ ଆନ୍ଧ୍ରମୁହାଁ ହେଉଛନ୍ତି। ଏଠାରେ ୩ରୁ୫ କେଜି ଧାନ କଟାଯାଉଛି।

ଋଷିକୁଲ୍ୟା ରୟତ ମହାସଭା ଚାଷୀ ସଙ୍ଗଠନର ଅଭିଯୋଗ ଅନୁସାରେ, ଗଞ୍ଜାମ ଜିଲ୍ଲାରେ ମନ୍ଥର ଧାନ ସଂଗ୍ରହ ପ୍ରକ୍ରିୟା ଯୋଗୁଁ ୨୦ ହଜାର ଚାଷୀଙ୍କ ଟୋକନ ଲାପ୍ସ ହେବା ନେଇ ଆଶଙ୍କା ରହିଛି। ଏଠାରେ ୫ରୁ୭ କେଜି ପର୍ଯ୍ୟନ୍ତ ଧାନ କଟାଯାଉଛି। ବେଗୁନିଆପଡ଼ା ବ୍ଲକର ଗୋରୁଝରି ପଞ୍ଚାୟତରେ ୧୫ ଦିନ ହେଲା ଧାନ ନଉଠିବାରୁ ଆଜିଠାରୁ ଚାଷୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଭଞ୍ଜନଗର, ଜଗନ୍ନାଥପ୍ରସାଦ, ସୋରଡ଼ା, ଧରାକୋଟ ବ୍ଲକରେ କଟ୍‌ନି ଛଟ୍‌ନି ଅଧିକ ରହିଛି। ସୁନ୍ଦରଗଡ଼ରେ ବିନା କଟ୍‌ନିରେ ଧାନ ଉଠୁନାହିଁ। ଏଠାରେ ଟାଙ୍ଗରପାଲି ବ୍ଲକର ମଙ୍ଗସପୁରରେ ୧୦ କେଜି କଟା ଯାଉଥିବାରୁ ଚାଷୀ ପ୍ରତିବାଦ କରିଥିଲେ। ମାତ୍ର ମିଲର କିଛି ଶୁଣି ନଥିଲେ। ଶଙ୍କରାପୋଷ, ସିଙ୍ଗରମୁଣ୍ଡା, ଦରମଲା, ସାହାଜବାହାଲରେ ୭ କେଜି କାଟି ଧାନ କ୍ରୟ କରୁଛନ୍ତି। ଟୋକନ ଅନୁସାରେ ଉଜ୍ଜନପୁର ମଣ୍ଡିରେ ଡିସେମ୍ବର ୨୫ ସୁଦ୍ଧା ଧାନ ସଂଗ୍ରହର ତାରିଖ ଥିଲା। କିନ୍ତୁ ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ସଂଗ୍ରହ ହୋଇନାହିଁ। ଏଠାରେ ଧାନ ସଂଗ୍ରହ ପାଇଁ ବିଧାୟିକା କୁସୁମ ଟେଟେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଆରଏମସି ଗୋଦାମକୁ ଚାଷୀଙ୍କ ପାଇଁ ବ୍ୟବହାର ପାଇଁ ଅନୁରୋଧ କରାଯାଇଛି। ପୁରୀ ଜିଲ୍ଲାରେ ଜାନୁଆରି ୩ ତାରିଖରୁ ଧାନ ସଂଗ୍ରହ ହେବାର ଥିଲା। ଏଠାରେ ୧୫ରୁ ୨୦ ଦିନ ବିଳମ୍ବରେ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି। ନବନିର୍ମାଣ ଚାଷୀ ସଂଗଠନର ଅଭିଯୋଗ ଅନୁସାରେ, ଅଦିନିଆ ବର୍ଷା ଯୋଗୁଁ ଚାଷୀ ଧାନ ବିକ୍ରି ନେଇ ଚିନ୍ତାରେ ରହିଛି। ଏହାର ଫାଇଦା ଉଠାଇ ବ୍ୟାପକ କଟ୍‌ନି ଛଟ୍‌ନି ହେଉଛି। ଏପଟେ ଧାନ ବିକ୍ରି ହୋଇ ନପାରିଲେ କ୍ବିଣ୍ଟାଲ ପିଛା ୧୨୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ କହିଛନ୍ତି।

କଟକ ଜିଲ୍ଲାରେ ୧୬ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ୬ ମିଲରଙ୍କୁ ଟ୍ୟାଗ କରାଯାଇଛି। ଏହା ଯଥେଷ୍ଟ ନହେବାରୁ ଆଉ ଅଧିକ ମିଲରଙ୍କୁ ଟ୍ୟାଗ କରିବାକୁ ଜିଲ୍ଲାପାଳ ରାଜ୍ୟ ଯୋଗାଣ ବିଭାଗକୁ ଅନୁରୋଧ କରିଛନ୍ତି। ଗତବର୍ଷ ଏଠାରେ ବିକ୍ରି ସମସ୍ୟା ଯୋଗୁଁ ଅନେକ ଚାଷୀଙ୍କ ଟୋକନ ଲାପ୍ସ ହୋଇଥିଲା। ବାଲେଶ୍ବର ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ଆରମ୍ଭରୁ ହିଁ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଏଠାରେ କଟ୍‌ନି ଛଟ୍‌ନି ହେଲେ ମଧ୍ୟ ଯାହା ଯେତେ ମିଳିଲା ସେହି ଅନୁଯାୟୀ ଧାନ ବିକ୍ରି କରି ଦେଉଛନ୍ତି। ଖୋର୍ଦ୍ଧା‌ ଜିଲ୍ଲା ବାଲିଅନ୍ତା ଏବଂ ବାଲିପାଟଣାରେ ମଧ୍ୟ ୫ କେଜି ଲେଖାଏ ଧାନ କଟ୍‌ନି ଛଟ୍‌ନି ହୋଇଛି। ଚାଷୀ ବିରୋଧ କରିବାରୁ ଧାନ ବିକ୍ରି ବାଧାପ୍ରାପ୍ତ ହୋଇଥିଲା।

ଏହା କେବଳ ଉଦାହରଣ ମାତ୍ର। ସମଗ୍ର ରାଜ୍ୟରେ ଧାନ ବିକ୍ରିର ଏହାଠାରୁ ଆହୁରି ଶୋଚନୀୟ ଅବସ୍ଥା ରହିଥିବା ଚାଷୀମାନେ କହିଛନ୍ତି। ଯଦି ନିର୍ବାଚନ ବର୍ଷରେ ଧାନ ବିକ୍ରିର ଏଭଳି ସ୍ଥିତି ତେବେ ଆଗାମୀ ସମୟରେ ଅବସ୍ଥା କ’ଣ ହେବ ତାହା ଅନୁମାନ କରାଯାଇପାରେ। ଅପରପକ୍ଷରେ ଧାନ ସଂଗ୍ରହ ଦାୟିତ୍ବରୁ ସରକାର ଓହରିବାକୁ ଚାହୁଁଛନ୍ତି। ସିଧାସଳଖ ଧାନ ସଂଗ୍ରହ କରାନଗଲେ ଚାଷୀ ଅସନ୍ତୋଷର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେଣୁ ଏଭଳି ଅବ୍ୟବସ୍ଥା ସୃଷ୍ଟି କରାଯାଉଛି ଯେପରିକି ଚାଷୀ ଆଉ ମଣ୍ଡି ମୁହାଁ ହେବେ ନାହିଁ। କ୍ଷେତରେ ହିଁ କମ ମୂଲ୍ୟରେ ଧାନ ବିକ୍ରି କରି ଦେବ।

ସମ୍ବନ୍ଧିତ ଖବର