ଭୁବନେଶ୍ବର : ଧାନ କିଣା ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷକୁ ସାମୟିକ ଭାବେ ଟାଳି ଦିଆଯାଇଛି ସତ। କିନ୍ତୁ ଭିତରେ ଭିତରେ ଚାଷୀଙ୍କ ଅସନ୍ତୋଷ ରହିଥିବା ଧରାପଡ଼ିଯାଉଛି। ଆଜି ବିଧାନସଭାରେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଶାସକ ଦଳର ତିନି ଜଣ ସଭ୍ୟ ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ଯୋଗାଣ ମନ୍ତ୍ରୀଙ୍କୁ ଘେରିଥିଲେ। ଚାଷୀଙ୍କ ଭିତରେ ଆକ୍ରୋଶ ରହିଛି ବୋଲି ଯୁକ୍ତି ବାଢ଼ିଥିଲେ। ଧାନ ସଂଗ୍ରହ ଠିକ୍ ଚାଲିଛି ଓ ଟୋକନ୍ ବ୍ୟବସ୍ଥା ହିଁ ଏଥିରେ ସ୍ବଚ୍ଛତା ଆଣିଛି ବୋଲି ମନ୍ତ୍ରୀ ତାଙ୍କ ପୁରୁଣା ଯୁକ୍ତିକୁ ଦେ‌ାହରାଇ ଚାଷୀ ଆକ୍ରୋଶ ଅଭିଯୋଗକୁ ରୋକ୍‌ଠୋକ୍ ଅସ୍ବୀକାର କରିଥିଲେ। ଏହାକୁ ନେଇ ଶାସକ ଦଳ ସଭ୍ୟ ଓ ମନ୍ତ୍ରୀ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ।

Advertisment

ଆଜି ପ୍ରଶ୍ନକାଳରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ୨୦୧୮ ରବି ଧାନ ସଂଗ୍ରହ ସମୟରେ ହୋଇଥିବା ଅନିୟମିତତାରେ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ବୋଲି ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କାର୍ଯ୍ୟାନୁଷ୍ଠାନର ଲମ୍ବା ତାଲିକା ଦେଇଥିଲେ। ଅତିରିକ୍ତ ପ୍ରଶ୍ନ ପଚାରିଲା ବେଳେ ଶ୍ରୀ ଆଚାର୍ଯ୍ୟ ବର୍ତ୍ତମାନ ଧାନ କିଣା ଅବ୍ୟବସ୍ଥା ସମ୍ପର୍କରେ ଉଠାଇଥିଲେ। ସେ କହିଥିଲେ ଯେ ବରଗଡ଼ ହେଉଛି ଧାନ ସଂଗ୍ରହର ମୁଖ୍ୟ କେନ୍ଦ୍ର। ଏ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବହୁ ସ୍ଥାନରେ ମଣ୍ଡି ଖୋଲାଯାଇନି। ଚାଷୀ ଧାନ ଧରି ବସିଛି। ବରଗଡ଼ର ଅନେକ ସ୍ଥାନରେ ଇଣ୍ଟର୍‌ନେଟ୍‌ ସୁବିଧା ନାହିଁ। ଲାପ୍‌ଟପ୍‌ ଧରାଇ କର୍ମଚାରୀଙ୍କୁ ପଠାଯାଉଛି। କିନ୍ତୁ ଇଣ୍ଟର୍‌ନେଟ୍‌ ନ ଥିଲେ ଲାପ୍‌ଟପ୍‌ କି କାମ କରିବ ? ସରକାର ବାସ୍ତବ ସ୍ଥିତି ବୁଝନ୍ତୁ ଓ ତୁରନ୍ତ ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରନ୍ତୁ।

ମନ୍ତ୍ରୀ କହିଥିଲେ, ବିଧାୟକ ଭଲ ଭାବେ ତଥ୍ୟ ଦେଖନ୍ତୁ। ଠିକ୍ ତଥ୍ୟ ନ ଜାଣି ଗୃହରେ କହିବା ଠିକ୍ ନୁହେଁ। ବରଗଡ଼ ଜିଲ୍ଲାରେ ୧୬୯ଟି ଧାନକିଣା କେନ୍ଦ୍ର ମଧ୍ୟରୁ ୧୬୧ଟିରେ ଟୋକନ୍‌ ପ୍ରଦାନ କରାଯାଇଛି। ୩ ଲକ୍ଷ କ୍ବିଣ୍ଟାଲ୍‌ରୁ ଅଧିକ ଧାନ ସଂଗ୍ରହ ହେଲାଣି।

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା ମଧ୍ୟ ଧାନ କିଣା ଅବ୍ୟବସ୍ଥା କଥା ଉଠାଇଥିଲେ। ମଣ୍ଡିରେ ଶ୍ରମିକ ଦେୟ ଓ ଅଖା ଯୋଗାଣରେ ଦୁର୍ନୀତି ହୋଇଛି କି ନାହିଁ ସେ ଜାଣିବାକୁ ଚାହିଁଥିଲେ। ତେବେ ମନ୍ତ୍ରୀ ଧାନ କିଣା ଅବ୍ୟବସ୍ଥା ଓ ଦୁର୍ନୀତିକୁ ଅସ୍ବୀକାର କରିଥିଲେ।

ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେ‌ଢ଼ାଖୋଲ ବିଧାୟକ ରୋହିତ ପୂଜାରୀ କହିଥିଲେ ଯେ ଟୋକନ୍ ବ୍ୟବସ୍ଥାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। କିନ୍ତୁ ଚାଷୀ ଦୁଃଖରେ ଅଛନ୍ତି। ଟୋକନ୍ ଦେଇ ସରକାର ଯେତିକି ଧାନ ନେଉଛନ୍ତି, ଅବଶିଷ୍ଟ ଧାନ ଚାଷୀଙ୍କ ଠାରୁ କିଣାଯିବ କି ନାହିଁ ତାହା ସ୍ପଷ୍ଟ ହେଉନି। ଯଦି କିଣାଯିବ, କେତେଦିନ ମଧ୍ୟରେ କିଣାଯିବ ତାହା ଚାଷୀ ଜାଣିପାରୁ ନାହାନ୍ତି। ଫଳରେ ଚାଷୀଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହେଉଛି। ଯୋଗାଣ ମନ୍ତ୍ରୀ ଚଢ଼ା ଗଳାରେ କହିଥିଲେ ଯେ ଚାଷୀଙ୍କ ଭି‌ତରେ କିଛି ଆକ୍ରୋଶ ନାହିଁ। ଓଡ଼ିଶାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ନଷ୍ଟ କରିବାକୁ ସୀମା ବାହାରୁ ଷଡ଼ଯନ୍ତ୍ର କରାଯାଉଛି। ଯଦି ବାଟ ଖୋଲି ଦିଆଯିବ, ତେବେ ବେପାରୀ ଓ ଦଲାଲ ପଶିଯିବେ। ଟୋକନ୍ ବ୍ୟବସ୍ଥାରେ ପୂରା ସ୍ବଚ୍ଛ ଉପାୟରେ ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣା ଚାଲିଛି।

ଶେଷରେ ମୂଳ ପ୍ରଶ୍ନକର୍ତ୍ତା ଦେବେଶ ଆଚାର୍ଯ୍ୟ କହିଥିଲେ ଯେ ମୁଁ ମୋ ଅଞ୍ଚଳର ଚାଷୀଙ୍କ ଆବେଗକୁ ଗୃହରେ ଉପସ୍ଥାପନ କରୁଛି। ବ୍ୟକ୍ତିଗତ କଥା କହୁ ନାହିଁ। ଯେଉଁ ଅଞ୍ଚଳରେ ମୋବାଇଲ୍‌ ନେଟ୍‌ୱର୍କ ନାହିଁ, ସେଠାରେ ଟୋକନ୍ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ‌େସ ପୁଣି ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ଯେଉଁଠି ନେଟ୍‌ୱର୍କ ନାହିଁ ସେଠି ପ୍ରକୃତ ଚାଷୀଙ୍କ ଠାରୁ ନିଶ୍ଚିତ ଧାନ ସଂଗ୍ରହ ହେବ। ଏଥିପାଇଁ ଏସ୍‌ଓପି ପ୍ରସ୍ତୁତ କରାଯାଇଛି।