ଭୁବନେଶ୍ବର : ଟୋକନ ପାଇଥିବା କୌଣସି ଚାଷୀଙ୍କୁ ଧାନ ବିକ୍ରି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ଏମିତି ଘୋଷଣା କରିଛନ୍ତି ରାଜ୍ୟ ସରକାର। କିନ୍ତୁ ୨୦୨୨ ଖରିଫ ଋତୁରେ ଟୋକନ ପାଇଥିବା ୨ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ସରକାରୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀଙ୍କ ଟୋକନ ଲାପ୍ସ ଯୋଗୁଁ ସେମାନେ ଧାନ ବିକ୍ରି କରିପାରି ନାହାନ୍ତି।
ନିୟମ ଅନୁସାରେ, ଚାଷୀ ଖୋଲା ବଜାରରେ ଧାନ ବିକ୍ରି କରିପାରିନପାରିଲେ ଏଫସିଆଇ ଏହାକୁ କିଣିବାକୁ ବାଧ୍ୟ। ପୂର୍ବରୁ ହାଇକୋର୍ଟ ମଧ୍ୟ ଏଫସିଆଇକୁ ୧୦୦ଟି କେନ୍ଦ୍ରରେ ଧାନ ବିକ୍ରିର ନିର୍ଦେଶ ଦେଇ ସାରିଛନ୍ତି। ହେଲେ ଏଫସିଆଇର ଭୂମିକା ଏ କ୍ଷେତ୍ରରେ ଏବେ ଯାଏ ବିବାଦ ମୁକ୍ତ ହୋଇପାରିନାହିଁ।
ଏହିଭଳି ଗୋଟିଏ କି ଦୁଇଟି ନୁହେଁ, ୨୩ଟି ସୁପାରିସ କରିଥିଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଂକ୍ରାନ୍ତ ବିଧାନସଭା ଷ୍ଟାଣ୍ଡିଂ କମିଟି। ଇତିମଧ୍ୟରେ ଏହି କମିଟି ସୁପାରିସକୁ ବର୍ଷେ ବିତିସାରିଲେଣି। ୨୦୨୧ରୁ ଆସିଥିବା ସୁପାରିସ ଉପରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏଯାଏ କୌଣସି ପଦକ୍ଷେପ ନେଇନାହାନ୍ତି। ଫଳରେ ବିଧାନସଭା କମିଟିର ସୁପାରିସ ଅମଲାଙ୍କ ଫାଇଲ ଗଦା ଭିତରେ ଚାପି ହୋଇଯାଇଥିବା ସନ୍ଦେହ ଦୃଢୀଭୂତ ହେଲାଣି। ପ୍ରଶ୍ନ ଉଠୁଛି, ଯଦି ସରକାର ଷ୍ଟାଣ୍ଡିଂ କମିଟି ସୁପାରିସକୁ ଗୁରୁତ୍ବ ଦେବେ ନାହିଁ, ତେବେ ପ୍ରତିବର୍ଷ ବିଧାନସଭାର ବରିଷ୍ଠ ବିଧାୟକମାନଙ୍କୁ ନେଇ ଗଠିତ କମିଟି ଘଣ୍ଟା ଘଣ୍ଟା ତର୍ଜମା କରି କାହିଁକି ରିପୋର୍ଟ ଦେବେ?
ଜନପ୍ରତିନିଧିଙ୍କୁ ଭୁଲାଉଛି ଅମଲାତନ୍ତ୍ର
ଖରିଫ୍ ଅବସ୍ଥା ଯାହା, ରବି ଅବସ୍ଥା ତଦ୍ରୁପ
କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର କୁନ୍ଥକୁନ୍ଥ
ଚାଷୀଙ୍କ ଆୟ ଦୁଇଗୁଣ ହେବ କେମିତି?
୨୦୨୦ ମସିହାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟନାରାୟଣ ପ୍ରଧାନଙ୍କ ଭଳି ବରିଷ୍ଠ ବିଧାୟକମାନଙ୍କୁ ନେଇ ୧୨ ଜଣିଆ ଷ୍ଟାଣ୍ଡିଂ କମିଟିର ଗଠନ ହୋଇଥିଲା। ଏହି କମିଟି ବିଭାଗୀୟ କାର୍ଯ୍ୟ ତର୍ଜମା କରି ତାଙ୍କ ରିପୋର୍ଟ ଗୃହରେ ପ୍ରଦାନ କରିଥିଲେ। ସ୍ବାଭାବିକ ଭାବେ ଏହା ଉପରେ ଆଲୋଚନା କରି ସରକାର ପଦକ୍ଷେପ ନେବା କଥା। ହେଲେ ବିଭିନ୍ନ ବିଧାନସଭା କମିଟିର ସୁପାରିସ ଲୋକସେବା ଭବନ ଚାରିକାନ୍ଥ ଭିତରେ ଝୁଲି ରହିବା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଧାନ କିଣା ସଂକ୍ରାନ୍ତ ସୁପାରିସକୁ ବି ଅଧିକାରୀମାନେ ଭ୍ରୁକ୍ଷେପ କରିନାହାନ୍ତି। ରାଜ୍ୟରେ ଧାନ କିଣାରେ ଅବ୍ୟବସ୍ଥା ଭୀଷଣ ଅବସ୍ଥାରେ ଅଛି। ରାଜ୍ୟ ସରକାର ଟୋକନ୍ ବ୍ୟବସ୍ଥା କରିବା ପରେ ମଧ୍ୟ ସ୍ଥିତି ସୁଧୁରିବା ବଦଳରେ ବିଗିଡିଛି। ଏବର୍ଷ ୨ ଲକ୍ଷ ଚାଷୀ ଧାନ ବିକ୍ରି ନ କରିପାରିବା ଘଟଣା ଯେଭଳି ଆଲୋଡନ ସୃଷ୍ଟି କରିବା ଭଳି ଗୋଟିଏ ଘଟଣା, ଠିକ୍ ସେମିତି ରାଜ୍ୟରେ ଚଳିତ ରବି ଧାନ କିଣା ନେଇ ପଶ୍ଚିମ ଓଡ଼ିଶାରୁ ଉପକୂଳ ଯାଏ ସବୁଠି ଅବ୍ୟବସ୍ଥା ଗଣମାଧ୍ୟମ ଶିରୋନାମା ପାଲଟିଛି। ଏହା ସତ୍ତ୍ବେ କର୍ତ୍ତୃପକ୍ଷ ବେଫିକର ଅଛନ୍ତି।
ଧାନ କିଣା ଅବ୍ୟବସ୍ଥାକୁ ଗୁରୁତ୍ବର ସହିତ ଗ୍ରହଣ କରି ବିଧାନସଭା କମିଟି ସେବେ ସୁପାରିସ କରିଥିଲା ଯେ ଯେଉଁମାନେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟରୁ କମ୍ରେ ଧାନ ବିକ୍ରି କରୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଆଇନ ଅଣାଯାଉ। ଯେଉଁଥିରେ ସାତବର୍ଷ ସଶ୍ରମ କାରାଦଣ୍ଡ ବ୍ୟବସ୍ଥା ରହିବା ଉଚିତ୍। କେବଳ ନିର୍ଦିଷ୍ଟ ସମୟ ଅବଧି ନୁହେଁ, ବରଂ ମଣ୍ଡି ସବୁବେଳେ ଖୋଲା ରହିବା ଦରକାର। ଏହା ଉପରେ ଖାଦ୍ୟ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଇନାହିଁ। ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଧାନ କିଣା ଯାଉଥିବା କାରଣରୁ ଅଭାବୀ ଧାନ ବିକ୍ରି ଗୋଟିଏ ସାଧାରଣ ଘଟଣା ହୋଇସାରିଛି। କେବଳ ସେତିକି ନୁହେଁ, ପ୍ରତ୍ୟେକ ଚାଷୀଙ୍କୁ ପ୍ୟାକ୍ସ ଆଦିରେ ଅଖା ବାବଦରେ ୧୦ ଟଙ୍କା ଓ ପ୍ଲାଷ୍ଟିକ୍ ବ୍ୟାଗ ବାବଦରେ ୫ ଟଙ୍କା ଦେବା ଲାଗି କମିଟି ପ୍ରସ୍ତାବ ଦେଇଥିଲା। ଏ ସଂକ୍ରାନ୍ତରେ ବି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଏଯାଏ ନେଇନାହାନ୍ତି।
/sambad/media/post_attachments/wp-content/uploads/2022/06/paddy-fff-300x165.jpg)
ଯେବେ ଧାନ ଅଭାବୀ ବିକ୍ରି ନେଇ ଓଡ଼ିଶା ପଡ଼ିଲା ଉଠିଲା, ସେବେ ହାଇକୋର୍ଟ ଏହି ପ୍ରସଙ୍ଗକୁ ବିଚାର କରିବା ବେଳେ କହିଥିଲେ ଯେ ଧାନ ସଂଗ୍ରହ କରୁଥିବା ଏଜେନ୍ସି ବା ସଂସ୍ଥା ଦୁର୍ନୀତି କରୁଥିଲେ ଅବା ଚାଷୀଙ୍କୁ ଶୋଷଣ କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। କେବଳ ନିଲମ୍ବନ ନୁହେଁ ବରଂ ଆଇନଗତ ଦଣ୍ଡବିଧାନ କରାଯିବା ଦରକାର। ମାତ୍ର କେଳେଙ୍କାରୀରେ ସଂପୃକ୍ତ ଧାନ ସଂଗ୍ରହକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ଲାଗି ସରକାର ଏଯାଏ ସେଭଳି ସାହସ ଦେଖାଇ ପାରିନାହାନ୍ତି।
ସେହିଭଳି ୧୦ ଏକରରୁ ଅଧିକ ଜମି ଥିବା ଚାଷୀଙ୍କ ଧାନ ବିକ୍ରି ପୂର୍ବରୁ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ କରୁଛନ୍ତି। ଷ୍ଟାଣ୍ଡିଂ କମିଟି ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ସୁପାରିସ କରିଥିଲେ ଯେ ୧୦ ଏକର ବଦଳରେ ୫ ଏକର ଜମି ଥିବା ଚାଷୀଙ୍କ ଧାନ କିଣା ପୂର୍ବରୁ ଜିଲ୍ଲା ପ୍ରଶାସନ ଯାଞ୍ଚ କରିବା ଉଚିତ। ତାହା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ। ସେହିପରି ଜିଲ୍ଲାସ୍ତରରେ ଟୋକନ୍ ଜାରି କରାଯିବା ନେଇ କମିଟି ସୁପାରିସ ଉପରେ ବି ସରକାର ନିରବ ଅଛନ୍ତି।
/sambad/media/post_attachments/wp-content/uploads/2022/01/paddy-procurement-2-300x200.jpg)
ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାର ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଲାଗି ଘୋଷଣା କରିଛନ୍ତି। ହେଲେ ଚାଷୀକୁ ତାର ପ୍ରାପ୍ୟ ମିଳିବା ଦିଗରେ ଯେତିକି ତନାଘନା ହେବା କଥା ତାହା ପରିଦୃଷ୍ଟ ହେଉନାହିଁ। ବିଧାନସଭା ସର୍ବସମ୍ମତ ଭାବେ ଧାନ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା ଦର ଧାର୍ଯ୍ୟ ଲାଗି ସଂକଳ୍ପ ପାରିତ ହୋଇଥିଲେ ହେଁ, କେନ୍ଦ୍ର ସରକାର ଏହାକୁ ସାମାନ୍ୟତମ ଗୁରୁତ୍ବ ଦେଇନାହାନ୍ତି। ଏପଟେ କେନ୍ଦ୍ରର ନାଲିଆଖି ପରେ ବୋନସ୍ ପ୍ରଦାନ ସଂପର୍କରେ ରାଜ୍ୟ ସରକାର ଆଉ କୌଣସି ଘୋଷଣା କରୁନାହାନ୍ତି। ଉଭୟ ଘଟଣାରେ ରାଜ୍ୟ ସରକାର କଥା କଥାକେ କେନ୍ଦ୍ରକୁ ଆଙ୍ଗୁଠି ଦେଖାଉଛନ୍ତି। ହେଲେ ଚାଷୀ ଯେବେ ରାଜ୍ୟରେ ଅଭାବୀ ବିକ୍ରିର ଶିକାର ହେଉଛି, ଏମ୍ଏସ୍ପି ଠାରୁ କମ୍ ମୂଲ୍ୟରେ ଧାନ ବିକ୍ରି କରୁଛି, ସେବେ କାହାକୁ ଦୋଷ ଦିଆଯିବ? ଆଉ କେତେବର୍ଷ ସରକାର ନିଜେ ଧାନ କିଣା ବିକା କଲେ ଏହି ବ୍ୟବସ୍ଥାରେ ସୁଧାର ଆଣିବେ? ଏଭଳି ଅନେକ ପ୍ରଶ୍ନ ସଙ୍କେତ ଦେଉଛି ଯେ ଚାଷୀଙ୍କ ବିରୋଧରେ ଭୀଷଣ ଷଡ଼୍ଯନ୍ତ୍ର ଚାଲିଥିବା କୃଷକ ସଂଗଠନମାନଙ୍କର ଅଭିଯୋଗ ଅସତ୍ୟ ନୁହେଁ।