୨୦୧୮ର କରାଳ ମରୁଡ଼ି ରୋକିପାରିଲାନି : ଖରିଫ ଧାନ ସଂଗ୍ରହ ହାର ସୃଷ୍ଟିକଲା ସର୍ବକାଳୀନ ରେକର୍ଡ

ଭୁବନେଶ୍ବର : ଓଡ଼ିଶାରେ ୨୦୧୮ର କରାଳ ମରୁଡ଼ି ଚାଷ ଓ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ‌ ଦେଇଥିଲା। ବିଶେଷ କରି ମରୁଡ଼ି ଗ୍ରାସ କରିଥିଲା ପଶ୍ଚିମାଞ୍ଚଳର ୯ଟି ଜିଲ୍ଲା। ମରୁଡ଼ି ସାଙ୍ଗକୁ ଦାଉ ସାଧିଥିଲା ଧାନ ଫସଲରେ ଚକଡ଼ା ପୋକ। ରାଜ୍ୟ ସରକାର ମରୁଡ଼ି ଘୋଷଣା କରିବା ସହିତ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ବି ଗ୍ରହଣ କରିଥିଲେ। ଏହାସତ୍ତ୍ବେ ଚଳିତ ଖରିଫ ଋତୁରେ ବର୍ତମାନ ପର୍ଯ୍ୟନ୍ତ ହୋଇଥିବା ଧାନ ସଂଗ୍ରହ ହାର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି।

ଖାଦ୍ୟ ଯୋଗାଣ ବିଭାଗର ସଦ୍ୟତମ ତଥ୍ୟ ବୟାନ କରୁଛି, ବର୍ତମାନ ସୁଦ୍ଧା ୪୪.୧୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଖରିଫ ଧାନ ସଂଗ୍ରହ ଋତୁରେ ସମୁଦାୟ ୩୮.୨୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏହି ଅଭିବୃଦ୍ଧି ହାର ୪୦ ପ୍ରତିଶତରୁ ଅଧିକ। ସଂଗୃହୀତ ଧାନର ମୂଲ୍ୟ ପ୍ରାୟ ୭୫୬୨ କୋଟି ଟଙ୍କା। ଏଥିମଧ୍ୟରୁ ୭୭୨୩ କୋଟି ପୈଠ କରାଯାଇଥିବା ବେଳେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ୭୩୪୧ କୋଟି। ଗତ ଖରିଫ ଋତୁର ସମୁଦାୟ ଧାନ ସଂଗ୍ରହ ପରିମାଣ ତୁଳନାରେ ଯେ ଏଥର ଢେର ଅଧିକ ପରିମାଣର ଧାନ ସଂଗ୍ରହ କରାଯାଇଛି ତାହା ନୁହେଁ, ୨୦୧୬-୧୭ର ସର୍ବଶ୍ରେଷ୍ଠ ରେକର୍ଡକୁ ବି ଭାଙ୍ଗିଦେଇଛି ଏଥରର ସଂଗୃହୀତ ଧାନ ପରିମାଣ।

ଇତି ମଧ୍ୟରେ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ତାଗିଦ୍‌ କରି ଚଳିତ ମାସ ଶେଷ ସୁଦ୍ଧା ଧାନ ସଂଗ୍ରହ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି। ଚାଷୀଙ୍କଠାରୁ ସବୁ ବିକ୍ରୟଯୋଗ୍ୟ ଧାନ କିଣିବାକୁ ବି କୁହାଯାଇଛି। ଏହାର ଅର୍ଥ ହେଉଛି, ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଆଉ ୧୩ ଦିନ ପର୍ଯ୍ୟନ୍ତ ଜାରି ରହିବ। ଆହୁରି ଦୁଇ ସପ୍ତାହରେ ଧାନ ସଂଗ୍ରହ ପରିମାଣ ପ୍ରାୟ ୪୫ ଲକ୍ଷ ମେଟ୍ରିକ ଟନ୍‌ ଟପି ଆଉ ଏକ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ଅଧିକ। ଅବଶ୍ୟ, ବରଗଡ଼, କଳାହାଣ୍ଡି, ସୋନପୁର, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରେ ଧାନ ସଂଗ୍ରହ ଆପାତତଃ ବନ୍ଦ ହୋଇସାରିଛି। ଉପକୂଳ ଜିଲ୍ଲାମାନଙ୍କରେ ଧାନ ସଂଗ୍ରହ ଜୋରଦାର ଚାଲିଥିଲେ ବି ଏ ସମସ୍ତ ଜିଲ୍ଲାରୁ ଧାନ ସଂଗ୍ରହ ପରିମାଣ ଅଧିକ ହେବାର ସମ୍ଭାବନା କମ୍‌।

ଚଳିତ ଖରିଫ ଋତୁରେ ପଶ୍ଚିମାଞ୍ଚଳ ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ ଧାନ ସଂଗ୍ରହ ପରିମାଣ ବେଶ୍‌ ଭଲ ହୋଇଥିବା ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ମରୁଡ଼ି ସତ୍ତ୍ବେ କିପରି ଏତେ ପରିମାଣର ଧାନ ସଂଗ୍ରହ ହୋଇଛି ସେ ନେଇ ବିଭାଗ ପାଖରେ ନିର୍ଦିଷ୍ଟ ଉତ୍ତର ନାହିଁ। ତେବେ ଏଥର ଧାନ ସଂଗ୍ରହ କାର୍ଯ୍ୟକ୍ରମ, ଭିତ୍ତିଭୂମି ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ଓ ପରିଚାଳନା ଯୋଗୁଁ ଧାନ ସଂଗ୍ରହରେ ଅଭିବୃଦ୍ଧି ହୋଇଥିବା ଦର୍ଶାଯାଇଛି। ମରୁଡ଼ି ଯୋଗୁଁ ରାଜ୍ୟର ୯ଟି ଜିଲ୍ଲା ଯଥା: ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼ର ୬୬ଟି ବ୍ଲକ, ୧୧୮୬ ଗ୍ରାମପଞ୍ଚାୟତ ଅଧୀନ ୫୬୩୩ ଗ୍ରାମର ୨୩ ଲକ୍ଷ ୩୧ ହଜାର ୧୭୩ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର