ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦ୍ବାରା ଚଳିତ ଖରିଫ ନିମନ୍ତେ ୫୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଆଜି ସୁଦ୍ଧା ରାଜ୍ୟରେ ରେକର୍ଡ ୫୧ ଲକ୍ଷ ୯୨ ହଜାର ୯୩୩ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି। ଗତ ବର୍ଷ ଆଜି ତାରିଖରେ ମୋଟ ୫୦ ଲକ୍ଷ ୪୪ ହଜାର ୩୭୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଗତ ବର୍ଷ ଠାରୁ ଅଧିକ ୩ ପ୍ରତିଶତ ଧାନ ସଂଗ୍ରହ ହୋଇଛି। ଧାନ ସଂଗ୍ରହ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଚାଲିବ।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ୩୦ଟି ଜିଲ୍ଲାରେ ୩୫୪୪ଟି ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନଙ୍କ ଠାରୁ ପି-ପାସ୍ ଓ ଆଗୁଆ ଟୋକନ୍ ପ୍ରଦାନ ମାଧ୍ୟମରେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟ କରାଯାଉଛି। ଏ ପର୍ଯ୍ୟନ୍ତ ୩୦ଟି ଜିଲ୍ଲାର ୯ ଲକ୍ଷ ୩୨ ହଜାର ୯୯୦ ଜଣ ଚାଷୀ ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ୫୧ ଲକ୍ଷ ୯୨ ହଜାର ୯୩୩ ମେଟ୍ରିକ୍ ଟନ୍ ଧାନ ବିକ୍ରି କରି ସାରିଛନ୍ତି। ଗତ ବର୍ଷ ଆଜି ତାରିଖରେ ୮ ଲକ୍ଷ ୪୮ ହଜାର ୯୫୮ ଜଣ ଚାଷୀ ଧାନ ବିକ୍ରି କରିଥିଲା ବେଳେ ଚଳିତ ବର୍ଷ ଅଧିକ ୮୪ ହଜାର ୩୨ ଜଣ ଚାଷୀ ଧାନ ବିକିଛନ୍ତି। ଧାନ ସଂଗ୍ରହ ଅର୍ଥ ବାବଦକୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ଆଜି ସୁଦ୍ଧା ୯୨୩୯ କୋଟି ୬୭ ଲକ୍ଷ ଟଙ୍କା ହସ୍ତାନ୍ତର କରାଯାଇଛି।