ସରକାରଙ୍କ ବିଚିତ୍ର ଧାନ କିଣା ନୀତି : ମାଡ଼ି ବସିଛନ୍ତି ଚାଷୀଙ୍କ ଟଙ୍କା
ଧାନ ବିକ୍ରିର ୭୨ ଘଣ୍ଟା ମଧ୍ୟରେ ଅର୍ଥ ପ୍ରଦାନ ହେବାକଥା, କାଗଜ କଲମରେ ଅଟକିଗଲା, ବାବୁମାନେ ମାନୁନାହାନ୍ତି
ଭୁବନେଶ୍ବର : ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା ପରେ ଯୋଜନା କରୁଛନ୍ତି। ସାରା ଦେଶରେ ଚାଷୀଙ୍କ ଋଣ ଛାଡ଼ ନେଇ ଯେତେବେଳେ ରାଜନୀତି ସରଗରମ, ସେତିକିବେଳେ ‘କାଳିଆ’ ଯୋଜନା କରି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଝଟକା ବି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ସରକାରଙ୍କ ଧାନକିଣା ନୀତି କିନ୍ତୁ ବାଟବଣା ହେଲାଣି। ଖୋଦ ଯୋଗାଣ ବିଭାଗ ତଥ୍ୟରୁ ଏକଥା ସ୍ପଷ୍ଟ ବାରି ହୋଇପଡ଼ୁଛି। ଖରିଫ ଧାନ କିଣା ନେଇ ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି ୫୧ ହଜାର ୩ ଜଣ ଚାଷୀ। ଡିସେମ୍ବର ୨୧ ତାରିଖ ସୁଦ୍ଧା ସେମାନଙ୍କଠାରୁ ସରକାର ୩ଲକ୍ଷ ୮୭୦ ମେଟ୍ରିକ ଟନ୍ ଧାନ କିଣିଛନ୍ତି । ୬୪୨ କୋଟି ଟଙ୍କାର ଧାନ କିଣା ହୋଇଛି ସତ କିନ୍ତୁ ଚାଷୀଙ୍କୁ ସରକାର ଡିବିଟି ଜରିଆରେ ପଇଠ କରିଛନ୍ତି ମାତ୍ର ୫୯୨ କୋଟି ଟଙ୍କା। ଅର୍ଥାତ୍ ଚାଷୀଙ୍କ ପ୍ରାପ୍ୟ ବାବଦ ୫୦ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇନାହିଁ। ସେହିଭଳି ବଲାଙ୍ଗୀରରେ ୭ ହଜାର ୭୫୪ଜଣ ଚାଷୀଙ୍କଠାରୁ ସଂଗ୍ରହ ହୋଇଛି ୪୭ ହଜାର ୫୫୬ ମେଟ୍ରିକ ଟନ୍ ଧାନ। ଧାନର ମୋଟ ମୂଲ୍ୟ ୮୩ କୋଟି ଟଙ୍କା। ଅଥଚ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୭୦ କୋଟି। ଝାରସୁଗୁଡ଼ାରେ ବର୍ତ୍ତମାନ ସୁଦ୍ଧା ୨୩୬ ଜଣ ଚାଷୀଙ୍କଠାରୁ ସଂଗ୍ରହ ହୋଇଛି ୯୨୦ ମେଟ୍ରିକ ଟନ୍ ଧାନ। ମୋଟ ୧ କୋଟି ୬୧ ଲକ୍ଷ ଟଙ୍କାର ଧାନକିଣା ବାବଦରେ ଚାଷୀଙ୍କୁ ପ୍ରଦାନ କରାଯାଇଛି ମାତ୍ର ୬୬ଲକ୍ଷ ଟଙ୍କା।
ଏହି ତିନିଟି ଜିଲ୍ଲାର ଚିତ୍ର ସ୍ପଷ୍ଟ କରୁଛି ଯେ, ମୋଟ ୬୩କୋଟି ୯୫ ଲକ୍ଷ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇପାରିନାହିଁ। ଏଠାେର ପ୍ରକାଶଥାଉକି, ଧାନକିଣା ବାବଦରେ ଦୁର୍ନୀତିକୁ ଦୂର କରିବା ଲକ୍ଷ୍ୟରେ ଚାଷୀଙ୍କୁ ୭୨ ଘଣ୍ଟା ଭିତରେ ପ୍ରାପ୍ୟ ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି େନଇଥିଲେ। ହେଲେ ଏହି ଚିତ୍ର ସୂଚାଇ ଦେଉଛି େଯ ସରକାରଙ୍କ ନିଷ୍ପତ୍ତି ଓ କାର୍ଯ୍ୟକାରିତା ମଧ୍ୟରେ ଯଥେଷ୍ଟ ଅନ୍ତର ରହିଛି।
କେବଳ ପଶ୍ଚିମ ଓଡ଼ିଶାର ଏହି ୩ ଜିଲ୍ଲାର ସ୍ଥିତି େଯ ଏମିତି ତାହା ନୁହେଁ। ବାକି ଜିଲ୍ଲା ଗୁଡ଼ିକରେ ମଧ୍ୟ ସ୍ଥିତି ସଂଗୀନ। କଳାହାଣ୍ଡି ଜିଲ୍ଲାରେ ୧୦ ହଜାର ୪୦୭ ଜଣ ଚାଷୀଙ୍କଠୁ ସରକାର ଏଯାଏ ସଂଗ୍ରହ କରିଛନ୍ତି ୫୦ ହଜାର ମେଟ୍ରିକ ଟନ୍ ଧାନ। ଯାହାର ମୂଲ୍ୟ ୮୮ କୋଟି ଟଙ୍କା। ହେଲେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ୬୭ କୋଟି। ସେହିପରି ମାଲକାନଗିରି ଜିଲ୍ଲାର ୯ ହଜାର ୫୧୫ ଜଣ ଚାଷୀଙ୍କଠୁ ୩୩ ହଜାର ୫୨୪ ମେଟ୍ରିକ ଟନ୍ ଧାନ ସରକାର କିଣିଲେଣି, ଯାହାର ମୂଲ୍ୟ ୫୮ କୋଟି ଟଙ୍କା। ହେଲେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ବାବଦରେ ସରକାର ଦେଇଛନ୍ତି ୫୦ କୋଟି ଟଙ୍କା।
ନବରଙ୍ଗପୁର ସ୍ଥିତି ତଦ୍ରୁପ। ଜିଲ୍ଲାର ୩ ହଜାର ୪୮ ଜଣ ଚାଷୀଙ୍କଠାରୁ ସଂଗ୍ରହ ହୋଇଛି ୧୭ହଜାର ୧୬ ମେଟ୍ରିକ୍ ଟନ୍ ଧାନ। ଯାହାର ମୂଲ୍ୟ ୨୯ କୋଟି। ହେଲେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସରକାର ପ୍ରଦାନ କରିଛନ୍ତି ୨୬ କୋଟି । ନୂଆପଡ଼ା ଜିଲ୍ଲାରେ ୫ ହଜାର ୯୦ ଜଣ ଚାଷୀଙ୍କଠୁ ସରକାର ଏବେ ସୁଦ୍ଧା କିଣିଲେଣି ୪୩ କୋଟି ଟଙ୍କାର ୨୪ ହଜାର ୬୫୧ ମେଟ୍ରିକ ଟନ୍ ଧାନ। ଅଥଚ ପ୍ରଦାନ କରିଛନ୍ତି ୩୭ କୋଟି ଟଙ୍କା। ସମ୍ବଲପୁରରେ ୧୧ ହଜାର ୫୨୪ଜଣ ଚାଷୀ ଇତିମଧ୍ୟରେ ୧ ଲକ୍ଷ ୪ ହଜାର ୯୯୬ ମେଟ୍ରିକ ଟନ୍ ଧାନ ବିକ୍ରି କରିଛନ୍ତି। େସମାନଙ୍କ ପ୍ରାପ୍ୟ ବାବଦରେ ୧୮୩ କୋଟି ମିଳିବା କଥା। ହେଲେ, ପାଇଛନ୍ତି ୧୬୨ କୋଟି ଟଙ୍କା। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି। ଏହି ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ୬୬୭ ଜଣ ଚାଷୀଙ୍କଠୁ ସରକାର ୨୯ ହଜାର ୭୬ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିଲେଣି। ୫ କୋଟି ୨୧ ଲକ୍ଷ ଟଙ୍କାର ଧାନରୁ ଚାଷୀ ଏଯାଏ ପାଇଛନ୍ତି ୧ କୋଟି ୩୪ ଲକ୍ଷ ଟଙ୍କା।
ମୋଟ ୯ଟି ଜିଲ୍ଲାର ସ୍ଥିତି ଦେଖିଲେ ହିସାବ କହୁଛି, ଏସବୁ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ମୋଟ ୧୧୩୨ କୋଟି ୮୨ ଲକ୍ଷ ଟଙ୍କାର ଧାନ କିଣିଲେଣି ସରକାର। କିନ୍ତୁ ଚାଷୀଙ୍କୁ ମିଳିଛି ୧୦୦୬ କୋଟି। ଅର୍ଥାତ୍ ୧୨୬ େକାଟି ଟଙ୍କା ଏେବ ବି ସରକାରଙ୍କ ଉପରେ ପଡିଛି।
ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ଚାଷୀଙ୍କ ଧାନକିଣା ବାବଦ ଅର୍ଥ ଟଙ୍କା ସମ୍ପୃକ୍ତ ଜିଲ୍ଲାର ବ୍ଲକ ସ୍ତରରେ ଥିବା ବ୍ୟାଙ୍କକୁ ପ୍ରଦାନ କରାଯାଇଛି। ସମ୍ପୃକ୍ତ ଅଞ୍ଚଳର ପ୍ରାଥମିକ ସମବାୟ ସମିତିମାନଙ୍କୁ ସରକାର ଅବଗତ ମଧ୍ୟ କରିଛନ୍ତି। ହେଲେ ଚାଷୀଙ୍କୁ ୭୨ ଘଣ୍ଟା ଭିତରେ ସମୁଦାୟ ଅର୍ଥ କାହିଁକି ପ୍ରଦାନ କରାଯାଇପାରୁନାହିଁ, େସ େନଇ କିନ୍ତୁ ବାବୁମାେନ ନିରବ ରହୁଛନ୍ତି।
ଗତ ନଭେମ୍ବର ୫ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ କରିଛନ୍ତି ସରକାର। ଯଦି ୯ଟି ଜିଲ୍ଲାରେ ଚାଷୀଙ୍କ ଅର୍ଥ ପ୍ରଦାନ କରିବାରେ ଏଭଳି ସ୍ଥିତି ସୃଷ୍ଟି େହାଇଛି, ତେବେ ଧାନ ସଂଗ୍ରହ ହେଉଥିବା ବାକି ଜିଲ୍ଲା ଗୁଡ଼ିକରେ ସ୍ଥିତି କିଭଳି ଥିବ, ତାହା ସହଜରେ ବୁଝାପଡିଯାଇଛି।ଏହା ପରୋକ୍ଷରେ ସୂଚାଇ େଦଉଛି, ଭୁବନେଶ୍ବରରେ ବସି ରାଜ୍ୟ ସରକାର ଯାହା ନୀତି ନିର୍ଦ୍ଧାରଣ କରୁଛନ୍ତି, ତାହା ବାସ୍ତବରେ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରୁନାହିଁ।
ଏ ନେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର କହିବା କଥା, ଧାନ ସଂଗ୍ରହ ହେଉଥିବା ଜିଲ୍ଲା ଗୁଡ଼ିକରେ କେତେକ ଚାଷୀ ସମବାୟ ବ୍ୟାଙ୍କରେ ଖାତା ଖୋଲିନାହାନ୍ତି। ରାଷ୍ଟ୍ରାୟତ ବ୍ୟାଙ୍କରେ ଜମାଖାତା ଖୋଲିଥିବାରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରିବାରେ ବିଳମ୍ବ ହେଉଛି। ସରକାର ଧାନ କିଣା ବାବଦ ଅର୍ଥ କେବଳ ସମବାୟ ବ୍ୟାଙ୍କ ଗୁଡ଼ିକୁ ପ୍ରଦାନ କରୁଛନ୍ତି । ଯେଉଁ ଚାଷୀଙ୍କ ଆକାଉଣ୍ଟ ସମବାୟ ବ୍ୟାଙ୍କରେ ଅଛି ସେମାନେ ତୁରନ୍ତ ଧାନ ବିକା ଅର୍ଥ ପାଉଛନ୍ତି । ଧାନ ସଂଗ୍ରହ ହେଉଥିବା ଜିଲ୍ଲା ଗୁଡ଼ିକରେ ଧାନ ମଣ୍ଡିରୁ ମିଲର ଧାନ ଉଠାଇବା ପରେ ପରେ ସରକାର ଅର୍ଥ ସମ୍ପୃକ୍ତ ଅଞ୍ଚଳରେ ସମବାୟ ବ୍ୟାଙ୍କକୁ ଚାଷୀଙ୍କୁ ପଇଠ କରିବାକୁ ଟଙ୍କା ଜମା କରୁଛନ୍ତି ।