ଭୁବନେଶ୍ୱର : ଧାନ ସଂଗ୍ରହ ବ୍ୟବସ୍ଥାକୁ ସରକାର ଏଥର କୋହଳ କରିଛନ୍ତି। ପୂର୍ବରୁ ମୁଣ୍ଡପିଛା ୩ କ୍ୱିଣ୍ଟାଲ ହିସାବରେ ଧାନ ନିଜସ୍ୱ ଖାଦ୍ୟ ପାଇଁ ଚାଷୀ ରଖିବାକୁ ବାଧ୍ୟତାମୂଳକ କରାଯାଇଥିଲା। ପରିଣାମରେ ଯେଉଁ ନାମମାତ୍ର, କ୍ଷୁଦ୍ର ଅଥବା ଭାଗ ଚାଷୀ ଏତିକି ରଖିବା ପରେ ଆଉ ଧାନ ବଳକା ରହୁନଥିଲା, ସେମାନେ ସରକାରୀ ବ୍ୟବସ୍ଥାରେ ଧାନ ବିକ୍ରି କରିପାରୁନଥିଲେ। ଘରୋଇ ବଜାରର ଆଶ୍ରୟ ନେଉଥିଲେ। ହେଲେ ସରକାର ଏବର୍ଷ ପାଇଁ ମୁଣ୍ଡପିଛା ୩ କ୍ୱିଣ୍ଟାଲ ଧାନ କଟାଯିବା ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଫଳରେ ଏସବୁ ଚାଷୀ ଏଥର ପ୍ରତ୍ୟକ୍ଷ ଭାବେ ସରକାରୀ ଧାନ କିଣା ବ୍ୟବସ୍ଥାରେ ସାମିଲ ହୋଇପାରିବେ। କେବଳ ସେତିକି ନୁହେଁ, ଧାନ ବିକ୍ରି କରିବାର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀର ଆକାଉଣ୍ଟକୁ ଅନ୍ଲାଇନ୍ରେ ତାର ପ୍ରାପ୍ୟ ପଠାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଦୁଇଟି ବଡ଼ ନିଷ୍ପତ୍ତି ସହିତ ରାଜ୍ୟ କ୍ୟାବିନେଟ୍ ଆଜି ୨୦୧୮-୧୯ ବର୍ଷ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତି ଅନୁମୋଦନ କରିଛନ୍ତି। ଚଳିତ ଖରିଫ ଋତୁରେ ୫୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ଅର୍ଥାତ୍ ୩୭ ଲକ୍ଷ ମେଟ୍ରିକ୍ ଟନ୍ର ଚାଉଳ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାଠାରୁ ଅଧିକ ଧାନ ଯଦି ପଞ୍ଜୀକୃତ ଚାଷୀ ମଣ୍ଡିକୁ ଆଣନ୍ତି, ତେବେ ତାହାକୁ ମଧ୍ୟ ସରକାର କ୍ରୟ କରିବେ। ଚାଉଳ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟକୁ ବୃଦ୍ଧି କରାଯାଇପାରିବ। ଏଥିପାଇଁ ଆଉ କ୍ୟାବିନେଟ୍ର ଅନୁମୋଦନର ଆବଶ୍ୟକତା ନାହିଁ। ବରଂ କ୍ୟାବିନେଟ୍ ଆଜି ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀଙ୍କୁ ଏ କ୍ଷମତା ଅର୍ପଣ କରିଛନ୍ତି।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଗ୍ରେଡ୍-ଏ ଧାନ ମୂଲ୍ୟ ୧୭୭୦ ଟଙ୍କା ସ୍ଥିର ହୋଇଛି। ତେବେ ଚାଷୀଙ୍କୁ ବୋନସ୍ ବ୍ୟବସ୍ଥା ଦେବା ନେଇ ନୂଆ ନୀତିରେ ସରକାରଙ୍କର କୌଣସି ଯୋଜନା ନାହିଁ। ଅକ୍ଟୋବର ପହିଲାରୁ ୨୦୧୯ ସେପ୍ଟେମ୍ବର ୩୦ ଯାଏ ଏହି ନୀତି ବଳବତ୍ତର ରହିବ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୪୫ରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ମୋଟ ୩ଟି ପ୍ରସ୍ତାବରେ ମୋହର ଲାଗିଛି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ଯଦିଓ ଅକ୍ଟୋବର ୧ ତାରିଖରୁ ଏହି ନୀତି କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ରହିଛ, କିନ୍ତୁ ନଭେମ୍ବରରୁ ଧାନ କିଣା ଆରମ୍ଭ ହେବ ଓ ଏପି୍ରିଲ ମାସ ଯାଏ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ। ସେହିପରି ମେ’ରୁ ଜୁନ୍ ୨୦୧୯ ଯାଏ ଅର୍ଥାତ୍ ଦୁଇମାସ ଧରି ରବି ଧାନ ସଂଗ୍ରହ କରାଯିବ।
ଅନ୍ଲାଇନ୍ ମାଧ୍ୟମରେ ଯେଉଁ ଚାଷୀ ପଞ୍ଜୀକୃତ ହୋଇଥିବେ, ସେମାନଙ୍କ ଠାରୁ ଧାନ କିଣାଯିବ। କ୍ରୟ କରୁଥିବା ସମବାୟ ସମିତି ଅର୍ଥାତ୍ ପାକ୍ସ ବା ଲାମ୍ପ୍ସ ଅଧିକରୁ ଅଧିକ ପ୍ରକୃତ ଚାଷୀ, ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀକୁ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଇବେ ବୋଲି କୁହାଯାଇଛି।
ମୁଖ୍ୟସଚିବ କହିଥିଲେ, ବିଗତ ବର୍ଷମାନଙ୍କରେ ଚାଷୀ ପରିବାରର ସଦସ୍ୟଙ୍କ ନିମନ୍ତେ ମୁଣ୍ଡପିଛା ୩ କ୍ୱିଣ୍ଟାଲ ହିସାବରେ ଧାନ ନିଜସ୍ୱ ଖାଦ୍ୟ ପାଇଁ ରଖିବାର ବ୍ୟବସ୍ଥା ଥିଲା। ବଳକା ଧାନ ସେମାନେ ବିକ୍ରି କରିପାରୁଥିଲେ। ହେଲେ ୨୦୧୮-୧୯ ବର୍ଷ ପାଇଁ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଏହାଦ୍ୱାରା ପ୍ରକୃତ ଚାଷୀ, ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ବିଶେଷ ଭାବରେ ଲାଭବାନ ହେବେ। ଯେହେତୁ ରାଜ୍ୟ ସରକାର ନିଜସ୍ୱ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୨୫ଲକ୍ଷ ହିତାଧିକାରୀଙ୍କୁ ଯୋଡିଛନ୍ତି ଓ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଛି, ଏଣୁ କୌଣସି ଗରିବ ଲୋକ ଖାଦ୍ୟ ସମସ୍ୟା ସାମ୍ନା କରିବାର ପ୍ରଶ୍ନ ଉଠୁନାହିଁଁ। ଏଭଳିସ୍ଥଳେ ମୁଣ୍ଡପିଛା ୩ କ୍ୱିଣ୍ଟାଲ ଧାନ ଓ ଚାଉଳ ମହଜୁଦ ରଖି ଶାଗ ମାଛ ଦରରେ ଖୋଲା ବଜାରରେ ବିକ୍ରି କରି ଚାଷୀ କ୍ଷତି ସହିବ କାହିଁକି?
ଆଜି କ୍ୟାବିନେଟ୍ ଆହୁରି ନିଷ୍ପତ୍ତି ନେଇଛି ଯେ ଧାନ ଏଫ୍ଏକ୍ୟୁ (ଅନୁମୋଦିତ) ମାନର ହେବା ନେଇ ବ୍ୟାପକ ପ୍ରଚାର ପ୍ରସାର ଦାୟିତ୍ୱ ସଂଗ୍ରହକାରୀ ସଂସ୍ଥା ବା ଜିଲ୍ଲା ପ୍ରଶାସନ ନେବେ। ଅନ୍ୟପକ୍ଷରେ ମିଲରମାନେ ମଧ୍ୟ ନିର୍ଧାରିତ ଏଫ୍ଏକ୍ୟୁ ମାନର ଚାଉଳ ଫେରସ୍ତ କରିବେ। ଏଫ୍ଏକ୍ୟୁ ମାନର ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍ ଦରରେ ବିକ୍ରି ହେଲେ, ତାହା ଅତ୍ୟାବଶ୍ୟକ ପଣ୍ୟଦ୍ରବ୍ୟ ଆଇନ, ୧୯୫୫ ଅନୁସାରେ ଦଣ୍ଡ ବିଧାନ କରାଯିବ।
ମୁଖ୍ୟଶାସନ ସଚିବ ଶ୍ରୀ ପାଢୀ କହିଥିଲେ, ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବେ। ଯଦି ଆବଶ୍ୟକ ପଡେ ଅନ୍ୟ ସଂଗ୍ରହକାରୀ ସଂସ୍ଥାଙ୍କୁ ‘ଚାଉଳ-ବଳକା’ ଜିଲ୍ଲା ଗୁଡିକରେ ନିୟୋଜିତ କରାଯାଇପାରେ। ପ୍ରାଥମିକ କୃଷି ସମବାୟ ସମିତି, ଲାମ୍ପ୍ସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ତେବେ ପାକ୍ସ ଓ ଲାମ୍ପ୍ସକୁ ଅଗ୍ରାଧିକାର ଦେବା ପାଇଁ ନିଷ୍ପତ୍ତି ହୋଇଛି।
ମିଲରମାନଙ୍କ ସଂପର୍କରେ ମଧ୍ୟ ମୁଖ୍ୟ ସଚିବ ସୂଚନା ଦେଇଥିଲେ। କହିଥିଲେ, ପୂର୍ବ ବର୍ଷର ସମସ୍ତ ବକେୟା ଚାଉଳ ଶତକ଼ଡ଼ା ୧୦୦ ଭାଗ ଫେରସ୍ତ କରିଥିବା ମିଲରମାନେ ହିଁ କେବଳ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେଇପାରିବେ। କୌଣସି ଦେୟ ବକେୟା ଥିଲେ, ମିଲରମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ଅଂଶଗ୍ରହଣ କରିବାକୁ ଦିଆଯିବ ନାହିଁ।
ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି, ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିତରଣ ପାଇଁ ଏବେ ୨୩ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର ଆବଶ୍ୟକତା ରହିଛି। ଏହାବାଦ୍ ଯେତେ ଚାଉଳ ସଂଗ୍ରହ ହେବ, ତାହା କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ବୁଝାମଣା ଭିତ୍ତିରେ ଭାରତୀୟ ଖାଦ୍ୟ ନିଗମ ନେବ।
ଉଲ୍ଲେଖଯୋଗ୍ୟ, ପୂର୍ବବର୍ଷ ପରି ରାଜ୍ୟର ୩୦୮ଟି ବ୍ଲକରେ ଧାନ ସଂଗ୍ରହ ପ୍ରକ୍ରିୟା ପି-ପାସ୍ ମାଧ୍ୟମରେ ପରିଚାଳିତ ହେବ। ୬ଟି ବ୍ଲକରେ ବିକ୍ରି ଯୋଗ୍ୟ ବଳକା ଧାନ ନ ଥିବାରୁ ସଂଗ୍ରହ ପ୍ରକ୍ରିୟା ହେଉନାହିଁ। ସେହିଭଳି ଧାନର ଅଭାବୀ ବିକ୍ରି ଯେପରି ନ ହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ଉତ୍ତରଦାୟୀ ରହିବେ ବୋଲି ସରକାର ରୋକ୍ଠୋକ୍ ଜଣାଇଛନ୍ତି।