ସୀମା ଟପି ଗଲା ଦୁର୍ନୀତି : ଦଦରା ସ୍କୁଟର ବୋହୁଛି ୨୪ ଟନ୍ ଧାନ

ବରଗଡ଼ : ବରଗଡ଼ ଜିଲ୍ଲାରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ଚାଲିଛି। ହଜାର ହଜାର ଟନ୍ ଧାନ ହଡ଼ପ୍ ହେଉଛି। ଧାନ ଚାଲାଣ ପାଇଁ ବେନାମୀ ଗାଡ଼ି ବ୍ୟବହାର ହେଉଛି। ଏପରିକି ଭଂଗା ଦଦରା ସ୍କୁଟରର ରେଜି‌ଷ୍ଟ୍ରେସନ ନମ୍ବରକୁ ଭାରି ଯାନ‌ ବୋଲି ଦର୍ଶାଯାଉଛି। ଅର୍ଥାତ ରେକର୍ଡ ଅନୁସାରେ ୨୫ବର୍ଷର ପୁରୁଣା ସ୍କୁଟରରେ ୨୪ ଟନ୍ ଧାନ ବୋହିବା ବି ନଜିର ରହିଛି। ସରସରା ସମବାୟ ସମିତିରେ ଗତ ମେ’ ୩୦ରେ ଟିପି ନମ୍ବର ୭୬୨ରେ ଓଆର ୧୭ଜି ୮୫୧୯ରେ ୨୨ଟନ ଧାନ ମିଲକୁ ଯାଇଛି। କିନ୍ତୁ ବାସ୍ତବରେ ଏହି ନମ୍ବର ଗୋଟିଏ ଷ୍ଟାର ସିଟି ମୋଟର୍ ସାଇକେଲର।

ସେହିପରି ଗୋବିନ୍ଦପୁର ସମବାୟ ସମିତିରେ ୧୭/୫ରେ ଟିପି ନମ୍ବର ୯୧ରେ ଓଆର ୧୫ଏଲ ୩୫୮୮ ଗାଡ଼ିରେ ୨୩ ଟନ୍ ଧାନ ଏବଂ ଅଡ଼ଗାଁ ସମବାୟ ସମିତିରୁ ୧୬/୫ରେ ଟିପି ନମ୍ବର ୮୨ ଓଆର୍ ୧୭ବି ୪୫୭୧ ଗାଡ଼ିରେ ୨୨ଟନ୍ ଏବଂ କୁମ୍ଭାରୀ ସମବାୟ ସମିତିରୁ ୨୪/୫ରେ ଟିପି ନମ୍ବର ୬୯ରେ ଓଆର୍ ୧୫ଏ ୪୦୪୯ ନମ୍ବର ବିଶିଷ୍ଟ ଗାଡ଼ିରେ ୨୪.୨ ଟନ୍ ଧାନ ମିଲକୁ ପଠାଯାଇଛି। କିନ୍ତୁ ଉପରୋକ୍ତ ଦୁଇଟି ଗାଡ଼ି ନମ୍ବର ମଧ୍ୟରୁ ପ୍ରଥମଟି ହେଲା ସ୍କୁଟିର ଏବଂ ଅନ୍ୟଟି ଗୋଟିଏ ସ୍କୁଟରର। ତେଣୁ ଦୁଇ ଚକିଆ ଗାଡ଼ିରେ ଏତିକି ମାତ୍ରାରେ ଧାନ କିଭଳି ଚାଲାଣ ହେଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଅନୁଷ୍ଠାନ ‘ଫର୍’ ସଭାପତି ଇଂ. ଦେବବ୍ରତ ମିଶ୍ର ପ୍ରଶ୍ନ କରିଛନ୍ତି। ତଥ୍ୟ ଉପସ୍ଥାପନ କରି ସେ କହିଛନ୍ତି ଯେ, ୨୦୧୮-୧୯ ରବି ଧାନ କିଣାରେ ଏଭଳି କାରସାଦି କରି ଶହେ କୋଟିରୁ ଅଧିକ ଟଙ୍କା ହଡ଼ପ୍‌ ହୋଇଛି। ମାତ୍ର ୪ଟି ପେକ୍ସରୁ ଏଭଳି ତଥ୍ୟ ମିଳିଥିବାରୁ ବଳକା ୫୪ଟି ପେକ୍ସରେ କିଭଳି କାରବାର ଚାଲିଛି, ତାହା ସ୍ପଷ୍ଟ ଅନୁମେୟ।

ଅନ୍ୟପକ୍ଷରେ ପେକ୍ସ ଗୁଡ଼ିକର କାର୍ଯ୍ୟ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୦୯-୧୦ରୁ ୨୦୧୬-୧୭ ମସିହା ଯାଏଁ ଜିଲ୍ଲାର ପେକ୍ସ ଗୁଡ଼ିକ ୧୮୧ କୋଟି ଟଙ୍କା କମିସନ ବାବଦକୁ ଦାବି କରିଛନ୍ତି। ଏଥିରୁ ଟିଡିଏସ୍ ବାବଦକୁ ୧୬ କୋଟି ଟଙ୍କା କଟିଛି। ବକେୟା ଅର୍ଥ ପାଇବା ପାଇଁ ପେକ୍ସ ଗୁଡ଼ିକ କନସଲଟାନ୍ସି ବାବଦକୁ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ବୋର୍ଡ ବୈଠକରେ ମଂଜୁରୀ ହୋଇଛି। କିନ୍ତୁ ବୋର୍ଡ ପାଖରେ ୫୦ହଜାର ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିବାର କ୍ଷମତା ନାହିଁ। ତେଣୁ ସଂପୂର୍ଣ୍ଣ ଗୋଲକ ଧନ୍ଦା ଭିତରେ ଜିଲ୍ଲାର ଧାନ କିଣାବିକା ଚାଲିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ସୁବାସ ଚୌହାନ, ଭାରତୀୟ କିସାନ ସଂଘର କେଦାର ମିଶ୍ର, ଜିଲ୍ଲା ବସ୍ ମାଲିକ ସଂଘ ସଭାପତି ଭୀଷ୍ମଦେବ ଦୋରା ମଂଚାସୀନ ଥିଲେ। ଏହାପୂର୍ବରୁ ସକାଳେ ଫର୍ ନେତୃତ୍ବରେ ବିଭିନ୍ନ ସଂଗଠନର ପ୍ରତିନିଧି ଏଡିଏମ୍ ତପୀରାମ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର