ଦୁର୍ନୀତିଗ୍ରସ୍ତଙ୍କୁ ଉପହାର ଦେବାକୁ ତରତର!

ଧାନ କିଣା ଓ ମିଲିଂ ଦୁର୍ନୀତି ନେଇ ୫ ଯୋଗାଣ ଅଧିକାରୀଙ୍କୁ ଧରିଛି ଅଡିଟ୍
ବର୍ଷେ ବିତିଲାଣି, ଏଯାଏ ଆଦାୟ ହୋଇପାରିଲାନି ସାଢ଼େ ତିନି କୋଟି
ପଦୋନ୍ନତି ଦେବାକୁ କିନ୍ତୁ ଯୋଗାଣ ବିଭାଗରେ ଆରମ୍ଭ ହୋଇଛି ପ୍ରସ୍ତୁତି

ଭୁବନେଶ୍ବର : ଧାନ କିଣା ଓ ମିଲିଂ ବ୍ୟବସ୍ଥାରେ କେଳେଙ୍କାରୀ ନେଇ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏହି ଘଟଣା ସହିତ ରାଜ୍ୟ ସରକାରଙ୍କ ଉପର ସ୍ତରର ସଂପର୍କ ନେଇ ବିଧାନସଭାରେ ଅବା ବିରୋଧୀ ଦଳ ଯେଉଁ ଅଭିଯୋଗ ଆଣିଥାନ୍ତି, ତାହା ଯେ ଶତ ପ୍ରତିଶତ ଅସତ୍ୟ ନୁହେଁ, ଏକଥା ଏବେ ପ୍ରଶାସନିକ କରିଡରରେ ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ମିଲ୍‌ ମାଲିକଙ୍କ ହାତବାରିସି ସାଜି ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ଅନ୍ୟପଟେ ଅଡିଟ୍ ଧରିଲେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବା ଆରମ୍ଭ କଲାଣି। ୫ ଜଣ ଯୋଗାଣ ଅଧିକାରୀଙ୍କ ବିରୋଧରେ ଅଡିଟ୍ ଯେଉଁ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଥିଲା ତାହା କାର୍ଯ୍ୟାନ୍ବୟନ ନେଇ ଖୋଦ୍ ଯୋଗାଣ ବିଭାଗର ସ୍ଥାଣୁତା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି। ବରଂ ସେମାନଙ୍କ ଦୁର୍ନୀତିକୁ ଚାପି ଦେଇ ପଦୋନ୍ନତି ଦେବାକୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ତରତର ହେଉଛନ୍ତି।

ଖବରଟି ହେଉଛି ଏମିତି। ୨୦୧୬ ମସିହାରେ ବିଭାଗୀୟ ସ୍ବତନ୍ତ୍ର ଅଡିଟ୍‌ରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଏମ୍‌ ତଥା ଏବେକାର କଟକ ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର ଧରାପଡ଼ିଥିଲେ। ୨୦୧୮ ନଭେମ୍ବର ୩ ତାରିଖରେ ଯୋଗାଣ ସଚିବ (ଆଦେଶନାମା ନମ୍ବର ୨୦୭୭୨) ମିଲରଙ୍କ ସହିତ ଅସାଧୁ ମେଣ୍ଟ ଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ବିଭାଗୀୟ ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେବାରୁ ଦଣ୍ଡ ସ୍ବରୁପ ତାଙ୍କ ଠାରୁ ୧ କୋଟି ୩୪ ଲକ୍ଷ ୨ ହଜାର ୭୦୫ ଟଙ୍କା ଆଦାୟ କରିବାକୁ ଧାର୍ଯ୍ୟ କରାଯାଇଥିଲା। ଏହାସହିତ ତାଙ୍କର ଦରମା ବାବଦ ଦୁଇଟି ବାର୍ଷିକ ଇନକ୍ରିମେଣ୍ଟ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ତଥା ଏବେକାର ଏସିଏସ୍‌ଓ ଥିବା ସୁଧାକର ପ୍ରଧାନଙ୍କ ଠାରୁ ୩୨ ଲକ୍ଷ ୨୯ ହଜାର ୩୪୪ ଟଙ୍କା ଆଦାୟ କରାଯିବା ସହ ତାଙ୍କର ଗୋଟିଏ ବାର୍ଷିକ ଦରମା ବାବଦ ଇନକ୍ରିମେଣ୍ଟ୍ ବନ୍ଦ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଜିଲ୍ଲା ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ଦାସ ଅବସର ନେଇଥିଲେ ବି ତାଙ୍କର ପେନ୍‌ସନ୍‌ ଅର୍ଥରୁ ୧୦% ସ୍ଥାୟୀ ଭାବେ କଟାଯିବା ସହ ୭୫ ଲକ୍ଷ ୫୮ ହଜାର ୬୮୯ ଟଙ୍କା ଆଦାୟ କରିବାକୁ ଧାର୍ଯ୍ୟ କରାଯାଇଥିଲା। ବେଗୁନିଆର ପୂର୍ବତନ ମାର୍କେଟିଂ ଇନ୍‌ସ୍‌ପେକ୍ଟର୍‌ ତଥା ଏବେକାର ଜଗତସିଂହପୁର ଯୋଗାଣ ନିରୀକ୍ଷକ ବିବେକାନ୍ଦ ମହାନ୍ତିଙ୍କ ଠାରୁ ୩୨ ଲକ୍ଷ ୨୯ ହଜାର ୩୪୪ ଟଙ୍କା ଆଦାୟ କରିବା ସହିତ ଦରମା ବାବଦରେ ଗୋଟିଏ ବାର୍ଷିକ ବୃଦ୍ଧି ବନ୍ଦ ଏବଂ ଖୋର୍ଦ୍ଧାର ପୂର୍ବତନ ଏସିଏସ୍‌ଓ ତଥା ଏବେ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଥିବା ଅଭିମନ୍ୟୁ ମହାନ୍ତିଙ୍କଠାରୁ ୮୦ ଲକ୍ଷ ୭୩ ହଜାର ୩୬୧ ଟଙ୍କା ଆଦାୟ କରିବାକୁ ବିଭାଗୀୟ ସଚିବ ଆଦେଶ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଏହା ଭିତରେ ୧ ବର୍ଷ ୩ ମାସ ବିତିଯାଇଥିଲେ ବି ଏହି ଦୁର୍ନୀତିଗ୍ରସ୍ତ ଅଧୀକାରୀମାନଙ୍କଠାରୁ ଗୋଟିଏ ଟଙ୍କା ବି ଆଦାୟ କରାଯାଇପାରିନାହିଁ। ବରଂ ଏ କ୍ଷେତ୍ରରେ ବିଫଳ ହୋଇଥିବା ସରକାରୀ ବାବୁ ଗତ ଜାନୁଆରି ମାସରେ ସରକାର କରିଥିବା ପ୍ରଥମ ପଦୋନ୍ନତି ଅଦାଲତରେ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଭିତରୁ କେତେଜଣଙ୍କୁ ପଦୋନ୍ନତି ଦେବାକୁ ରାସ୍ତା ଖୋଲିଛନ୍ତି। ସ୍ବତନ୍ତ୍ର ଅଦାଲତରେ ଏମାନେ ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ କରିଛନ୍ତି। ଏମାନଙ୍କ ପାଇଁ ପଦୋନ୍ନତି କମିଟି ବୈଠକ କରିବା ସହିତ ତାଙ୍କ ନାମ ସେଥିରେ ବିଚାର କରିବାକୁ ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ସବୁଜ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ବିଭାଗରେ କମ୍ପନ ସୃଷ୍ଟି ହୋଇଛି।

ବିଭାଗର ଜନୈକ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଏହା ତ ଗୋଟିଏ ନମୁନା। ଚାଷୀଙ୍କ ଧାନ କିଣାରେ ଦୁର୍ନୀତି କରୁଥିବା ନେଇ ବହୁ ଅଧିକାରୀ ଧରାପଡ଼ୁଛନ୍ତି। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେଉଛି ଓ ଅର୍ଥ ତୋଷରପାତ କରିଥିବା ପ୍ରମାଣିତ ହେବା ପରେ ସେମାନଙ୍କଠାରୁ ଅର୍ଥ ଫେରସ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେସବୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ବିଭାଗର ବଡ଼ବଡ଼ିଆଙ୍କୁ ଧରି ଗଳାବାଟରେ ପଦୋନ୍ନତି ପାଇବାରେ ସଫଳ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିରେ ୫’ଟି’ ଓ ମୋ ସରକାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ମୋ ସରକାର ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରଠୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାଣି। ଏବେ ଯୋଗାଣ ବିଭାଗରେ ଚାଲିଥିବା ଏପରି ହାଇ ପ୍ରୋଫାଇଲ୍‌ ଦୁର୍ନୀତିକୁ ଧରିବା ପାଇଁ ମୋ ସରକାର ବ୍ୟବସ୍ଥା କାହିଁକି ସ୍ଥାଣୁ ପାଲଟିଯାଇଛି ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କାହା ବଳରେ ଏହି ବାବୁମାନେ ଏତେ ବଳିୟାନ୍ ହୋଇଛନ୍ତି ଯେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସରକାରଙ୍କ ହାତ ଯାଉନି?

ସମ୍ବନ୍ଧିତ ଖବର