ଧାନ କିଣା କେଳେଙ୍କାରୀ ଗୁମର ଖୋଲୁଛି: ୭୧୮ ଧାନମଣ୍ଡିରେ ନାହିଁ ଗୋଦାମଘର
ବ୍ୟୟ ହୋଇଛି ୨୦୬ କୋଟି, ପଡ଼ିରହିଛି ୮୯୮ କୋଟି ଟଙ୍କା
ଯାଜପୁର : ଧାନ କିଣା କେଳେଙ୍କାରୀର ଗୁମର ଫିଟୁଛି। ଚାଷୀଙ୍କୁ ମିଲରଙ୍କ ଦଲାଲମାନେ ଶୋଷଣ କରିଥିବା ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ଆଲୋଡନ ସୃଷ୍ଟି ହୋଇଛି। ଚାଷୀଙ୍କ ଠାରୁ ଧାନ କିଣା ପାଇଁ ଖୋଲା ଯାଇଥିବା ସରକାରୀ ଧାନମଣ୍ଡି ପରିଚାଳନା ବାବଦରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ଏବେ ପଦାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରୀ ତଥ୍ୟ ମୁତାବକ ରାଜ୍ୟର ୩୦ଟି ଜିଲ୍ଲାରେ ଖୋଲୁଥିବା ୭୧୮ଧାନମଣ୍ଡିରେ ଗୋଦାମ ଗୃହ ଅଦ୍ୟାବଧି ନାହିଁ। ଯାହାକି ମୋଟ ଧାନମଣ୍ଡିର ୩୦ଭାଗ। ଗୋଦାମ ନଥିବାରୁ ଚାଷୀ ସିଧାସଳଖ ମିଲ୍ରେ ଧାନ ଦେବାକୁ ବାଧ୍ୟ ହେଉଛି। ଯାହାକି ଶୋଷଣରେ ଶିକାର ହେଉଛନ୍ତି। ମାତ୍ର କାଗଜପତ୍ରରେ ମିଲରମାନେ ମଣ୍ଡିରୁ ଧାନ ନେଉଥିବାର ଦର୍ଶାଇ ଶହ ଶହ କୋଟି ଟଙ୍କା ପରିବହନ ବାବଦରେ ଖର୍ଚ୍ଚ ହଡ଼ପ କରୁଛିନ୍ତି। ଅନ୍ୟପଟେ ଧାନମଣ୍ଡି ପରିଚାଳନା ଓ ଭିତ୍ତିଭୂମି ପାଇଁ ସମବାୟ ବିଭାଗ ୨୦୬ କୋଟି ୭୯ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରିଛି ବୋଲି କହୁଛି। ଏହା ସତ୍ତ୍ବେ ୮୯୮କୋଟି ୭୮ଲକ୍ଷ ଟଙ୍କା ବ୍ୟୟ ନହୋଇ ପଡ଼ିରହିଛି। ଅଥଚ ମଣ୍ଡି ସୁବ୍ୟବସ୍ଥିତ ନହୋଇଥିବାରୁ ଚାଷୀମାନେ ଶୋଷଣର ଶିକାର ହେବା ସହିତ ମିଲରମାନେ ମାଲାମାଲ ହେବା ପାଇଁ ବାଟ ଖୋଲାପଡ଼ିଛି।
ପ୍ରକାଶ ଥାଉକି ରାଜ୍ୟର ଅନ୍ୟତମ ଅଗ୍ରଣୀ ଯାଜପୁର ଜିଲ୍ଲାରେ କିଣାଯାଉଥିବା ଧାନର ୮୫ ଭାଗ ସରକାରୀ ମଣ୍ଡିକୁ ଆସୁନାହିଁ। ଧାନର ମାନ ମଧ୍ୟ ପରୀକ୍ଷା କରାଯାଉନାହିଁ। ଜିଲ୍ଲାରେ ଥିବା ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀମାନେ ଧାନ କିଣା ପ୍ରକ୍ରିୟାକୁ ଠିକ୍ ଭାବରେ ପରିଚାଳନା କରୁନାହାନ୍ତି। ଅଧିକାଂଶ ପାକ୍ସରେ ଧାନ କିଣା ପାଇଁ ଭିତ୍ତିଭୂମି ନାହିଁ। ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଜିଲ୍ଲାପାଳଙ୍କୁ ରାଜ୍ୟ ଯୋଗାଣ ବିଭାଗର ତଦନ୍ତ ଟିମ୍ ପ୍ରଦାନ କରିଛି। ଯାହାକି ଧାନ କେଳେଙ୍କାରୀ ଗୁମର ଖୋଲିଛି।
ସରକାରୀ ତଥ୍ୟ ମୁତାବକ ୨୦୨୧-୨୨ ଆର୍ଥିକ ବର୍ଷର ଧାନ କିଣା କେନ୍ଦ୍ର ପାଇଁ ପାକ୍ସର ଭିତ୍ତି ଭୂମି ରିପୋର୍ଟ ଅନୁଯାୟୀ ଯାଜପୁର ଜିଲ୍ଲାରେ ୧୦୨ ପ୍ୟାକ୍ସ ମଧ୍ୟରୁ ମାତ୍ର ୩୫ଟିରେ ଧାନ କିଣା ପାଇଁ ଗୋଦାମ ଗୃହ ଅଛି । ଯାହାର କ୍ଷମତା ମାତ୍ର ୨୫୯୫ ମେଟ୍ରିକ୍ ଟନ୍ । ସେହିପରି ରାଜ୍ୟରେ ମଧ୍ୟ ସମାନ ଅବସ୍ଥା। ରାଜ୍ୟରେ ସମୁଦାୟ ୨୫୮୧ଟି ପ୍ୟାକ୍ସ ମଧ୍ୟରୁ ମାତ୍ର ୧୮୬୩ଟି ପ୍ୟାକ୍ସରେ ଗୋଦାମ ଘର ଅଛି । ଏହାର ମହଜୁଦ ପରିମାଣର କ୍ଷମତା ମାତ୍ର ୩ ଲକ୍ଷ ୫୯ ହଜାର ୭୦୫ ମେଟ୍ରିକ୍ ଟନ୍ । ଅଧିକାଂଶ ପ୍ୟାକ୍ସରେ ଗୋଦାମ ଘର ନଥିବା ବେଳେ ଚାଷୀଙ୍କ ଠାରୁ ଧାନ କିଣି, କେଉଁଠି ଗଚ୍ଛିତ କରିବେ? ପ୍ୟାକ୍ସରେ ଧାନଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ନାହିଁ । ଅନେକ ପ୍ୟାକ୍ସରେ ମଧ୍ୟ ନିୟମିତ ସମ୍ପାଦକ ବି ନାହାନ୍ତି । ଆହୁରି ମଧ୍ୟ ଅନେକ ପ୍ୟାକ୍ସର ନିଜସ୍ୱ ଜମି ଓ କିମ୍ବା କାର୍ଯ୍ୟାଳୟ ନାହିଁ । ଏଭଳି ଅବ୍ୟବସ୍ଥିତ ଢଙ୍ଗରେ ବର୍ଷ ବର୍ଷ ଧରି ଶହ ଶହ କୋଟି ଟଙ୍କାର ଧାନ କିଣାବିକା ଚାଲିଛି। ଧାନ କିଣା ବେଳେ ପ୍ୟାକ୍ସମାନଙ୍କୁ ପ୍ରତି କୁଇଣ୍ଟାଲରେ ୩୧ଟଙ୍କା ୨୫ ପଇସା କମିସନ ଦିଆଯାଉଛି ।
ଗତ ମାର୍ଚ୍ଚ ମାସରେ ସମବାୟ ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ ଧାନ କିଣା କମିସନ ବାବଦରେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୧୧୦୫କୋଟି ୫୭ଲକ୍ଷ ୭ ହଜାର ଟଙ୍କା ଆୟ ହୋଇଥିବା ବେଳେ ୨୦୬କୋଟି ୭୯ଲକ୍ଷ ୨୯ହଜାର ୯ଶହ ଟଙ୍କା ବ୍ୟୟ କରାଯାଇଛି। ଏହି କ୍ରମରେ ଯାଜପୁର ଜିଲ୍ଲାକୁ ୧୬ କୋଟି ୩୬ ଲକ୍ଷ ୬୧ ହଜାର ଟଙ୍କା କମିସନ ବାବଦକୁ ଆୟ ହୋଇଥିବା ବେଳେ ୭୫ଲକ୍ଷ ୨୯ହଜାର ଟଙ୍କା ବ୍ୟୟ ହୋଇଛି । ଏହି କମିସନ ଅର୍ଥ କେବଳ ପ୍ୟାକ୍ସ ଭିତ୍ତିଭୂମିର ବିକାଶ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଏହି ଅର୍ଥକୁ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କରାଯାଉ ନାହିଁ। ଫଳରେ ଧାନଚାଷୀ ଶୋଷଣର ଶିକାର ହେବା ସହିତ ବର୍ଷାଦିନରେ ଚାଷୀଙ୍କ ଧାନ ନଷ୍ଟ ହେଉଛି। ଧାନ କିଣା କେଳେଙ୍କାରୀ ମାମଲାରେ ଧାନମଣ୍ଡି ପରିଚାଳନାର ଅବ୍ୟବସ୍ଥା ମୁଖ୍ୟ ଭୂମିକା ରହିଛି। ଏହା ନେଇ ଚାଷୀ ସଙ୍ଗଠନ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।