ଯାଜପୁର : ଯାଜପୁର ଜିଲ୍ଲାରେ ଧାନମଣ୍ଡି କେଳେଙ୍କାରୀ ଦିନକୁ ଦିନ ସୀମା ଲଙ୍ଘିବାରେ ଲାଗିଛି। ଜିଲ୍ଲାପାଳଙ୍କ ଘୋଷଣାକୁ ମଧ୍ୟ ମିଲର, ଅଧିକାରୀ ଓ ମଣ୍ଡି ନିୟନ୍ତ୍ରଣ କରୁଥିବା ପ୍ୟାକ୍ସ କିମ୍ବା ଏସ୍‌ଏଚ୍‌ଜିର ଖାତିର ନାହିଁ। ହଜାରହଜାର ଧାନବସ୍ତା ପ୍ୟାକ୍ସରେ ପଡ଼ିଛି। ମିଲରମାନେ ଗାଡ଼ି ପଠାଉନଥିବାରୁ ଧାନ ଉଠି ପାରୁନାହିଁ। ପ୍ରତି କୁଇଣ୍ଟାଲ ଧାନରେ ୪/୫ କେଜି ଧାନ କଟ୍‌ନିଛଟ୍‌ନି ଜାରି ରହିଛି। ୨୪ଘଣ୍ଟା ବଦଳରେ ୧୪ଦିନ ପରେ ବି ଚାଷୀଙ୍କ ଆକାଉଣ୍ଟକୁ ଧାନ ପଇସା ଆସୁନାହିଁ। ଘୋର ଅବ୍ୟବସ୍ଥାର ସୁଯୋଗ ନେଇ ଧାନଚାଷୀମାନଙ୍କୁ କେତେକ ‌ମିଲରଙ୍କ ଦଲାଲ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ଶାସକ ପ୍ରଶାସକ କିମ୍ବା ବିରୋଧୀ ଦଳର ଏହି ମୌଳିକ ସମସ୍ୟା ପ୍ରତି ଧ୍ୟାନ ନାହିଁ। ଆଗାମୀ ନିର୍ବାଚନକୁ ଲକ୍ଷ୍ୟ କରି ଦଳୀୟ କାର୍ଯ୍ୟକ୍ରମରେ ଶାସକ ଓ ବିରୋଧୀ ଦଳର ନେତାମାନେ ସଭାସମିତିରେ ମାତିଥିବା ବେଳେ ଉତ୍ସବରେ ବ୍ୟସ୍ତ ପ୍ରଶାସନ। ଗ୍ରାମାଞ୍ଚଳର ହଜାରହଜାର ଗରିବ ଚାଷୀ ଧାନ ବିକିବା ପାଇଁ ବାରଦ୍ବାର ହେଉଛନ୍ତି। ଖରା, ବର୍ଷା, ଶୀତ କାକରରେ ଖୋଲାଆକାଶ ତଳେ ଦିନରାତି ଧାନବସ୍ତାକୁ ଜଗି ପ୍ୟାକ୍ସରେ ପଡିରହିଛନ୍ତି ଚାଷୀ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ବ୍ୟାପକ ଆନ୍ଦୋଳନ ପାଇଁ ସୁରାକ ଯୋଗାଇଛି।

Advertisment

ପ୍ରକାଶ ଥାଉକି ଚଳିତ ବର୍ଷ ଖରିଫ ଧାନ ବିକିବା ପାଇଁ ଜିଲ୍ଲାର ମୋଟ ୧୦ ବ୍ଲକ୍ ଅଞ୍ଚଳର ସମୁଦାୟ ୫୩ହଜାର ୧୮୮ଜଣ ଚାଷୀ ସରକାରୀ ଭାବେ ନାମ ପଞ୍ଜୀକରଣ କରିଥିଲେ। ଏଥି ମଧ୍ୟରେ କାଗଜପତ୍ରରେ ମାତ୍ର ୧୩ହଜାର ୧୩୨ଜଣ ଚାଷୀ ୫ଲକ୍ଷ ୭୩ହଜାର ୬୩୮କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଏବେ ସୁଦ୍ଧା ୧୩ଟି ଧାନମଣ୍ଡି କୌଣସି ଧାନ କିଣିନାହିଁ। ୧୬୮ମଣ୍ଡି ମଧ୍ୟରୁ ୧୫୫ଟି ମଣ୍ଡି ଧାନ କିଣିଛି। ଅଧିକାଂଶ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି। ଗତ ୧୦ତାରିଖରୁ କୋରେଇ ବ୍ଲକର ଇଚ୍ଛାପୁର ପ୍ୟାକ୍ସରେ ଚାଷୀ ଧାନବସ୍ତା ଜଗି ପଡିରହିଛନ୍ତି। ମିଲର ଧାନ ଉଠାଉନାହାନ୍ତି। ଏପରିକି ଚାଷୀମାନଙ୍କୁ ହଇରାଣ କରିବା ସହିତ ବିଭିନ୍ନ ଆଳ ଦେଖାଇ ମିଲର ଧାନ ଫେରାଇଦେବାକୁ ମଧ୍ୟ ପଛାଉ ନାହାନ୍ତି। ଯାହାକି ଯାଜପୁର ବ୍ଲକର ସାନସୁଆର ପଞ୍ଚାୟତର କରିମାବାଗ ପ୍ୟାକ୍ସର ସମ୍ପାଦକ ଏବେ ଚିନ୍ତାରେ। ସମଗ୍ର ଜିଲ୍ଲାରେ କେତେକ ପ୍ରଭାବଶାଳୀ ମିଲର ସରକାରୀ କଳକୁ ନିୟନ୍ତ୍ରଣ କରୁଥିବାରୁ ସେମାନଙ୍କର ମନମାନିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ବଳ ପାଉନାହାନ୍ତି। ବିରୋଧୀ ଦଳ ନିରବ ରହିଛି। ଏପରିକି ଆନ୍ଦୋଳନକାରୀ ଚାଷୀମାନଙ୍କୁ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ଅଧିକାରୀମାନେ ପାଳନ କରିପାରୁନାହାନ୍ତି।

କଟ୍‌ନିଛଟ୍‌ନି ଚାଲିଛି। ଜିଲ୍ଲା ସଦର ମହକୁମାରେ ଥିବା ମାର୍କଣ୍ଡପୁରରେ ୩/୪ କେଜି ଧାନ କଟାଯାଉଛି। ସେହି ଯାଜପୁର ବ୍ଲକ୍‌ରେ ବଡ଼ସୁଆର ଓ ଆଦମପୁର ପ୍ୟାକ୍ସକୁ ମିଲର ଗାଡ଼ି ଯାଉନଥିବାରୁ ଧାନ କିଣାଯାଇପାରୁନାହିଁ। ଚଇନିପୁର ପ୍ୟାକ୍ସକୁ ମିଲର ଗାଡ଼ି ପଠାଉନଥିବାରୁ ଚାଷୀମାନେ ବାଧ୍ୟ ହୋଇ ମିଲରକୁ ନିଜ ଗାଡ଼ିରେ ଧାନ ନେଇ ଦେଉଛନ୍ତି ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ଯାଜପୁର ବ୍ଲକ୍ ସଂଯୋଜକ ଦିଲ୍ଲୀପ କୁମାର ବେହେରା କହିଛନ୍ତି। ମଣ୍ଡିରେ ଧାନ ଦେବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା ବଦଳରେ କେତେକ ମିଲର ଚକ୍ରାନ୍ତ କରି ହଇରାଣ କରି ଦଲାଲଙ୍କ ଜରିଆରେ ଧାନ କୁଇଣ୍ଟାଲ ୨୦୪୦ ଟଙ୍କା ବଦଳରେ ୧୪/୧୫ଶହ ଟଙ୍କାରେ କିଣୁଛନ୍ତି। ଧାନ କିଣାବିକା କେଳେଙ୍କାରୀକୁ ରୋକିବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି। ଜିଲ୍ଲା ପ୍ରଶାସନ ଏଭଳି ଭୂମିକା ନେଇ ସନ୍ଦେହ ପ୍ରକାଶ ପାଇଛି। ଚାପରେ ନା ଅସାଧୁମେଣ୍ଟରେ ଜିଲ୍ଲା ପ୍ରଶାସନ ସାମିଲ ହୋଇଛି?