ଧାନ କିଣାରେ ଅନିୟମିତତା; କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ୬ ପେକ୍ସ ସମ୍ପାଦକ ନିଲମ୍ବିତ

ଭବାନୀପାଟଣା/ଲରମ୍ଭା : ଧାନ କିଣାରେ ଅନିୟମିତତା ନେଇ କଳାହାଣ୍ଡି ଜିଲ୍ଲାର ୬ଟି ପେକ୍ସର ୫ ଜଣ ଏବଂ ବଲାଙ୍ଗୀର ଜିଲ୍ଲାର ଜଣେ ସମ୍ପାଦକ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପେକ୍ସର ସମ୍ପାଦକ ଗୌରଚନ୍ଦ୍ର ରାଉତ, ଫରଙ୍ଗ ପେକ୍ସର ସମ୍ପାଦକ କିରତି ପ୍ରଧାନ, ଲଡୁଗାଁ ପେକ୍ସର ସମ୍ପାଦକ ଗରିବ ଚନ୍ଦ୍ର ଲହଜଲ, ବାନେର ପେକ୍ସର ସମ୍ପାଦକ ଉଦିତ ନାରାୟଣ ରାଉତ, ଚପରିଆ ଓ ବଡ଼ଚେରଗାଁ ପେକ୍ସର ଦାୟିତ୍ୱରେ ଥିବା ସମ୍ପାଦକ ଉମାଶଙ୍କର ନନ୍ଦ। ସେହିପରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଭଇଁଷା ମଣ୍ତିରେ ଧାନ କିଣାବିକାରେ ହୋଇଥିବା ଅନିୟମିତତାରେ ପେକ୍ସ ସମ୍ପାଦକ ଜ୍ଞାନଦାତା ସାଏଙ୍କୁ ନିଲମ୍ବନ କରାଯାଇଛି।

ପ୍ରକାଶ ଯେ, ଭଇଁଷା ମଣ୍ତିରେ ସମ୍ପାଦକ ଚାଷୀଙ୍କ କାର୍ଡକୁ ଜାଲିଆତି କରି ଧାନ ବିକ୍ରି କରିଥିବା ବିଷୟରେ ଚାଷୀମାନେ ଅଭିଯୋଗ କରିଥିଲେ। ଏନେଇ ଗତ ଫେବ୍ରୁଆରି ୨୨ ଓ ୨୮ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଏସ୍‌ଏଆର୍‌ସିଏସ୍‌ ନାରାୟଣ ନାଏକ ମଣ୍ତିରେ ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ମାଜିଷ୍ଟ୍ରେଟ ଦାୟିତ୍ବରେ ପାଟଣାଗଡ଼ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ତା ଓ ବିଭାଗ ତରଫରୁ ପୃଥକ୍‌ ପୃଥକ୍‌ ଭାବେ ତଦନ୍ତ କରାଯାଇଥିଲା। ପେକ୍ସର ବିଭିନ୍ନ କାଗଜ ପତ୍ର ମଧ୍ୟ ଜବତ କରାଯାଇଥିଲା। ଏପରିକି ବିଭାଗୀୟ ଅଧିକାରୀମାନେ ଚାଷୀଙ୍କ ନିକଟକୁ ମଧ୍ୟ ଯାଇ ତଦନ୍ତ କରିଥିଲେ। ତଦନ୍ତରେ ସମ୍ପାଦକ ଅନିୟମିତତା କରିଥିବା ଜଣାପଡ଼ିଥିଲା। ଜମିର କିସମ ପରିବର୍ତ୍ତନ କରି ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି, କାଗଜ ପତ୍ରରେ ଜାଲିଆତି, କୁଶଙ୍ଗରେ ଜମି, ଭଇଁଷାରେ ଧାନ ବିକ୍ରି, ମିଲ୍‌ ମାଲିକଙ୍କ ସହ ମିଶି ମଧ୍ୟ ଧାନ ବିକ୍ରି କରିଥିବା ଘଟଣା ନଜରକୁ ଆସିଥିଲା। ଏସବୁ ଅନିୟମିତତାକୁ ଦୃଷ୍ଟିରେ ରଖି ସମ୍ପାଦକ ଶ୍ରୀ ସାଏଙ୍କୁ ଏଆର୍‌ସିଏସ୍‌ ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷରେ ବ୍ଲକ୍‌ର ଅନ୍ୟ କିଛି ମଣ୍ଡିରେ ମଧ୍ୟ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସେସବୁର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ମହଲରୁ ଦାବି ହେଉଛି।

ଧାନ କିଣାରେ ଅବ୍ୟବସ୍ଥା ପ୍ରସଂଗକୁ ନେଇ ବିଧାନସଭା ହୁଲସ୍ତୁଲ। ଏପଟେ ଟୋକନ୍ ବାତିଲ୍‌ ଯୋଗୁଁ ଏବେବି ଚାଷୀ ତାଙ୍କର କଷ୍ଟୋପାର୍ଜିତ ଧାନ ବିକ୍ରି କରିନପାରି ଚିନ୍ତାରେ। ଆଗକୁ ରବି ଚାଷ ଅଥଚ ଏବେବି ମଣ୍ଡିରେ ପଡ଼ିରହିଛି ଖରିଫର ଅମଳ ଧାନ। ମଣ୍ଡିର ସମସ୍ତ ଧାନ କ୍ରୟ କରାଯିବ ବୋଲି ସରକାର କହୁଥିବାବେଳେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନାହିଁ। ଏବେବି ହଜାର ହଜାର ବସ୍ତା ଧାନ ମଣ୍ଡିରେ ଖୋଲା ଆକାଶ ତ‌ଳେ ପଡ଼ିରହିଛି।

ସରକାରୀ ରିପୋର୍ଟ ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨୦ ହଜାର କ୍ୱିଣ୍ଟାଲ ଧାନ ମିଲର୍ସ ଉଠାଇ ନ ଥିବା ବେଳେ ବେସରକାରୀ ଭାବରେ ଏହାର ସଂଖ୍ୟା ଢେର ଅଧିକ ଅଟେ। ପ୍ରଶାସନିକ କଳ ମିଳିମିଶି ମଣ୍ଡିକୁ ବନ୍ଦ କରିଦେବା ଘଟଣା ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୫୦ ଲକ୍ଷ ୩୩ ହଜାର ୮ ଶହ ୨୦ କ୍ୱିଣ୍ଟାଲ ଟାର୍ଗେଟ ଆସିଥିଲା। ଏଥିମଧ୍ୟରୁ ୧୭୪ ଟି ପେକ୍ସର ୧୭୫ଟି ମଣ୍ଡି ପାଇଁ ୬୯,୮୧୪ ଜଣ ପଞ୍ଜିକୃତ ଚାଷୀଙ୍କ ପାଇଁ ୪୧ ଲକ୍ଷ ୭୪ ହଜାର ୪ ଶହ ୭୯ କ୍ୱିଣ୍ଟାଲ ଟାର୍ଗେଟ ପ୍ରଦାନ କରାଯାଇଥିଲା। ସେହିଭଳି ମହିଳା ଏସ୍‌ଏଚ୍‌ଜିଙ୍କ ପାଇଁ ୩୪ ଟି ପେକ୍ସ ଜରିଆରେ ୩୪ଟି ମଣ୍ଡିରେ ୧୩,୬୮୯ ଜଣ ପଞ୍ଜିକୃତ ଚାଷୀଙ୍କ ପାଇଁ ୮ ଲକ୍ଷ ୫୯ ହଜାର ୩ ୪୧ କ୍ୱିଣ୍ଟାଲ ଟାର୍ଗେଟ ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୧୦୮ଟି ପେକ୍ସ ଯୋଗେ ୨୦୯ଟି  ଚଳିତ ଖରିଫ ଧାନ ମଣ୍ଡି ଖୋଲାଯାଇଥିଲା। ଏଥିରେ ୮୩ ହଜାର ୫୦୩ ଜଣ ପଞ୍ଜିକୃତ ଚାଷୀଙ୍କ ନିମନ୍ତେ ୫୦ ଲକ୍ଷ ୩୩ ହଜାର ୮ ଶହ ୨୦ କ୍ୱିଣ୍ଟାଲ ଧାନ ଉଠାଣ ନିମନ୍ତେ ଟାର୍ଗେଟ ଦିଆଯାଇଥିଲା। ଧାନ କିଣାରେ ଜିଲ୍ଲାର ୭୨ ଜଣ ମିଲର୍ସ ସାମିଲ ହୋଇଥିଲେ। ଯୋଗାଣ ବିଭାଗ ରିପୋର୍ଟ ଅନୁଯାୟୀ ପ୍ରାୟ ୨୦ ହଜାର କ୍ୱିଣ୍ଟାଲ ଧାନ ମିଲର୍ସମାନେ ଉଠାଣ କରି ନ ଥିଲେ। ଅନ୍ୟ ପକ୍ଷରେ ବେସରକାରୀ ଭାବେ ଏହାର ସଂଖ୍ୟା ବହୁ ଅଧିକ ବୋଲି ଜଣାପଡ଼ିଛି। ଗତ ଫେବ୍ରୁଆରି ୨୮ ତାରିଖରୁ ସମସ୍ତ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଫଳରେ ଟୋକନ ବାତିଲ ହୋଇଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗତ ଜାନୁଆରି ୨୬ ତାରିଖରେ ଭବାନୀପାଟଣା ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ ଉଠାଯିବ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଗୁଡିକୁ ବନ୍ଦ କରି ଦିଆଯାଇଥିବା ଯୋଗୁ ଟୋକନ ବାତିଲ ହୋଇଥିବା ଚାଷୀମାନେ ଅଡୁଆରେ ପଡ଼ିଛନ୍ତି। ମଣ୍ଡି ବନ୍ଦ ଯୋଗୁଁ ଚାଷୀମାନେ କଷ୍ଟ ଉପାର୍ଜିତ ଧାନକୁ ଦଲାଲ ହାତରେ ଟେକି ଦେଉଛନ୍ତି। ତୁରନ୍ତ ରାଜ୍ୟ ସରକାର ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର