୨୪ କୋଟି ଟଙ୍କାର ଧାନ ଚଳୁ, ୧୦ ବର୍ଷ ପରେ ବି ଯୋଗାଣ ନିଗମ ଫେରିପାଉନି କଷ୍ଟମ୍‌ ମିଲିଂ ଚାଉଳ

କେବଳ କଳାହାଣ୍ଡି ଜିଲ୍ଲାରେ ୧୧ କୋଟିରୁ ଅଧିକ ଟଙ୍କାର ଧାନ ଦୁର୍ନୀତି
କଳାହାଣ୍ଡି, ସମ୍ବଲପୁର, ସୁବର୍ଣ୍ଣପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ନିର୍ଦେଶ

ଭବାନୀପାଟଣା, (ଦେବେନ୍ଦ୍ର ବିଶି): ଓଡ଼ିଶାର ୫ଟି ଜିଲ୍ଲାରେ ଗତ ୧୦ ବର୍ଷ ଧରି ୨୪ କୋଟିରୁ ଅଧିକ ଟଙ୍କାର ଧାନ କଷ୍ଟମ ମିଲିଂ ପାଇଁ ନେଇ ମିଲର୍‌ମାନେ ଚାଉଳ ଫେରାଉ ନାହାନ୍ତି। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି କିନ୍ତୁ ୧୦ ବର୍ଷ ପରେ ମଧ୍ୟ ରାଜ୍ୟ ଯୋଗାଣ ନିଗମକୁ ଚାଉଳ ଫେରି ପାରୁ ନାହିଁ। ବର୍ତ୍ତମାନ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ କଳାହାଣ୍ଡି, ସମ୍ବଲପୁର, ସୁବର୍ଣ୍ଣପୁର, ଭଦ୍ରକ ଓ ଜଗତସିଂପୁର ଜିଲ୍ଲାର ଦାୟିତ୍ବରେ ଥିବା ତତ୍କାଳୀନ ବ୍ଲକ୍‌ ଯୋଗାଣ ଅଧିକାରୀମାନଙ୍କ ବିରୋଧରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ଡ୍ରାଫ୍ଟଚାର୍ଜ କରିବାକୁ ୫ଟି ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ କଡ଼ା ତାଗିଦ କରି ଲିଖିତ ଭାବେ ‌ଜଣାଇବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୨୦୦୯-୧୦ ମସିହାରେ ଖରିଫ ଋତୁରେ ଜିଆର୍‌ଏମ୍‌ ଫୁଡ୍‌ ପ୍ରଡକ୍ଟ ରାଇସମିଲ ୧୧ ଲକ୍ଷ ୯ ହଜାର ୧୭୬ ଟଙ୍କାର ଧାନ ମଣ୍ଡିରୁ ଉଠାଇ କଷ୍ଟମ ମିଲିଂ ପାଇଁ ନେଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ମିଲ ଜିଲ୍ଲା ଯୋଗାଣ ନିଗମକୁ ଚାଉଳ ଦେଇ ନାହିଁ। ଚିଦାନନ୍ଦ ରାଇସ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିମିଟେଡ୍‌ ୨୦୧୦-୧୧ ମସିହା ଖରିଫ ଧାନକିଣା ବେଳେ କଷ୍ଟମ ମିଲିଂ ପାଇଁ ୬୩ ଲକ୍ଷ ୨୭ ହଜାର ୭୪ ଟଙ୍କାର ଧାନ ନେଇଥିଲା। ଶିବାନନ୍ଦ ରାଇସମିଲ ପ୍ରାଇଭେଟ ଲିମିଟେଡ୍‌ ୧ କୋଟି ୬୫ ଲକ୍ଷ ୫୬ ହଜାର ୯୪୨ ଟଙ୍କାର ଧାନ କଷ୍ଟମ ମିଲିଂ ପାଇଁ ନେଇଥିଲା। ଚୈତନ୍ୟ ରାଇସମିଲ ପ୍ରାଇଭେଟ ଲିମିଟେଡ଼ ୪ କୋଟି ୧ ଲକ୍ଷ ୭୮ ହଜାର ୯୮୯ ଟଙ୍କାର ଧାନ ନେଇଥିଲା। ୨୦୧୧-୧୨ ବର୍ଷର ଖରିଫ ଧାନ କିଣା ବେଳେ ଚାରବାହାଲ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିମିଟେଡ଼ ୧ କୋଟି ୮୫ ଲକ୍ଷ ୮୧ ହଜାର ୬୯ ଟଙ୍କାର ଧାନ ଉଠାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଧାନ ନେଇ କଷ୍ଟମ ମିଲିଂ ଚାଉଳ ଦେଇନାହାନ୍ତି। କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୧୧ କୋଟି ୫୪ ଲକ୍ଷ ୬୩ ହଜାର ୫୭ ଟଙ୍କା ଧାନ କଷ୍ଟମ ମିଲିଂ ନିମନ୍ତେ ନେଇ ଚାଉଳ ଫେରାଇ ନାହାନ୍ତି।

ସେହିଭଳି ସମ୍ବଲପୁର ଜିଲ୍ଲାରେ ୨୦୧୫-୧୬ ଖରିଫରେ ଶାସନସ୍ଥିତ ରାଧାରାଣୀ ରାଇସ ମିଲ (ଅରୁଆ) ୩ ଲକ୍ଷ ୯୮ ହଜାର ୭୯୩ ଟଙ୍କାର ଧାନ ନେଇଥିଲା। ଜଗତସିଂହପୁର ଜିଲ୍ଲାରେ ୨୦୧୩-୧୪ ମସିହାରେ ଲକ୍ଷ୍ମୀ ରାଇସ ମିଲ ୩୭ ଲକ୍ଷ ୫୦ ହଜାର ୧୨୧ ଟଙ୍କାର ଧାନ ନେଇଥିଲ‌େ। ୨୦୧୨-୧୩ ମସିହାରେ ଭଦ୍ରକର ମଙ୍ଗଳ ଏଗ୍ରୋଟେକ ପ୍ରାଇଭେଟ ଲିମିଟେଡ୍‌ ୧୧ କୋଟି ୩୧ ଲକ୍ଷ ୩୬ ହଜାର ୨୯୪ ଟଙ୍କାର ଧାନ ନେଇଥିଲା। ୨୦୦୯-୧୦ ବର୍ଷରେ ସୁବର୍ଣ୍ଣପୁର ଜିଲ୍ଲାର ମା ରାଇସ ମିଲ ୭୪ ଲକ୍ଷ ୨୯ ହଜାର ୯୬୩ ଟଙ୍କା ମୂଲ୍ୟର ଧାନ ଉଠାଣ କରିଥିଲା। ରାଜ୍ୟର ୧୦ଟି ମିଲ ପକ୍ଷରୁ ୨୪ କୋଟି ଏକ ଲକ୍ଷ ୬୮ ହଜାର ୨୨୮ ଟଙ୍କାର ଧାନ ଉଠାଣ କରିଛନ୍ତି। ଏହି ମିଲଗୁଡ଼ିକ ଧାନ ନେବା ପରେ କଷ୍ଟମ ମିଲିଂ ଚାଉଳ ଜିଲ୍ଲା ଯୋଗାଣ ନିଗମକୁ ଦେବା ପରିବର୍ତ୍ତେ ଚଳୁ କରି ଦେଇଛନ୍ତି। ଏନେଇ ବିଭାଗ ପକ୍ଷରୁ ସେମାନଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇବା ପରେ ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଚାଉଳ ଫେରାଇବାର ନାଁ ନେଉ ନାହାନ୍ତି। ଏହି ଧାନ ଉଠାଣ ସମୟରେ ସମ୍ପୃକ୍ତ ବ୍ଲକ୍‌ ଦାୟିତ୍ବରେ ଥିବା ଯୋଗାଣ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି।

ରାଜ୍ୟ ଯୋଗାଣ ବିଭାଗ ନିଗମର ପରିଚାଳନା ନିର୍ଦ୍ଦେଶକ ୫ଟି ଜିଲ୍ଲାର ତତ୍କାଳୀନ ଯୋଗାଣ ଅଧିକାରୀମାନଙ୍କ ବିରୋଧରେ ଚିଠି ନଂ-୧୯୦୧୬/୨୭.୧୨.୨୧ରେ ଆସନ୍ତା ଜାନୁଆରି ୧୫ ତାରିଖ ସୁଦ୍ଧା ଡ୍ରାଫ୍ଟଚାର୍ଜ କରି ରିପୋର୍ଟ ଜଣାଇବାକୁ ସମ୍ପୃକ୍ତ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ଲକ୍‌ ଯୋଗାଣ ଅଧିକାରୀମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ତତ୍କାଳୀନ ବ୍ଲକ୍‌ ଯୋଗାଣ ଅଧିକାରୀ କ୍ଷୀରାବ୍ଦରାଜ ମହାପାତ୍ର ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ ଅଛନ୍ତି। ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲାର ତତ୍କାଳୀନ ବ୍ଲକ୍‌ ଯୋଗାଣ ଅଧିକାରୀ ଯଶୋବନ୍ତ ମଲ୍ଲିକ, କଳାହାଣ୍ଡି ଜିଲ୍ଲାର ପୂର୍ବତନ ବ୍ଲକ୍‌ ଯୋଗାଣ ଅଧିକାରୀ ଦିବ୍ୟ ସିଂ ବଡ଼ମାଳୀ ବର୍ତ୍ତମାନ ବରଗଡ଼ରେ ଏସିଏସ୍‌ଓ ଅଛନ୍ତି। ସେହିପରି ପ୍ରକାଶଚନ୍ଦ୍ର ପାତ୍ର ବର୍ତ୍ତମାନ ଗଞ୍ଜାମ ଓ ଚିତ୍ତରଞ୍ଜନ ବେହେରା ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଏସିଏସ୍‌ଓ ଅଛନ୍ତି।  ସୁବର୍ଣ୍ଣପୁର ଜିଲ୍ଲାର ତତ୍କାଳୀନ ଭାରପ୍ରାପ୍ତ ବ୍ଲକ ଯୋଗାଣ ଅଧିକାରୀ ଦୀପକ ମାଝୀ ପ୍ରମୁଖ ଅଛନ୍ତି। ଏହି ବ୍ଲକ ଯୋଗାଣ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟ ଯୋଗାଣ ନିଗମର ଅଡିଟ୍‌ ରିପୋର୍ଟରେ ୨୪ କୋଟିରୁ ଅଧିକ ଟଙ୍କାର ଧାନ ଚଳୁ କରିବା ରିପୋର୍ଟ ପ୍ରକାଶ ପାଇବା ପରେ ନିଗମର ନିଦ ଭାଙ୍ଗିଛି। ୨୪ କୋଟିରୁ ଅଧିକ ଟଙ୍କାର ଧାନ କେବେ ମିଳିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀମାନେ ୧୦ ବର୍ଷରୁ ଅଧିକ ସମୟ ଧରି ମିଲର୍‌ମାନଙ୍କ ସହିତ ଷଡ଼୍‌ଯନ୍ତ୍ର କରି କୋଟି କୋଟି ଟଙ୍କା ଧାନ ହଡ଼ପ କରିବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ବହୁ ରହସ୍ୟ ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର