୧୩ ଲକ୍ଷ ଟଙ୍କାର ଧାନ କେ‌ଳଙ୍କାରୀର ଗୁମର ଫିଟିଲା

ସମ୍ବଲପୁର : ଶେଷରେ ଫିଟିଲା ଗୁମର। ଏବେ ସତ ଓଗାଳୁଛି ଯୋଗାଣ ବିଭାଗ। ବାମରା ଅଂଚଳର ଚାଷୀମାନଙ୍କ ଧାନ ସମ୍ବଲପୁର ନୁହେଁ, ବାହାର ଜିଲ୍ଲାକୁ ପଠାଇ ଦିଆଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ୧୩ ଲକ୍ଷ ୬୭ ହଜାର ଟଙ୍କାର ଧାନ ଦୁର୍ନୀତି ସାମ୍‌ନାକୁ ଆସିଛି।
ଗତ ଡିସେମ୍ବର ମାସରେ ବାମରା ବ୍ଲକ ଉଚ୍ଚକାପାଟ ମଣ୍ଡିକୁ ଜୟ କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନର ସଦସ୍ୟ ଚା‌ଷୀମାନେ ୧୨୮୭ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଆଣିଥିଲେ। ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏହି ମଣ୍ଡିରୁ ଧାନ ସଂଗ୍ରହ ଦାୟିତ୍ବ ବିଶ୍ବ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିଲା। ଏହି ସ୍ବୟଂ ସହାୟକ ଗୋଷ୍ଠୀ ଚାଷୀମାନଙ୍କଠାରୁ ୭୩୨ କୁଇଣ୍ଟାଲ ଧାନ କିଣିଥିଲା। ଧାନ ଓଜନ ହେବା ପରେ ‌ଚାଷୀମାନଙ୍କୁ ଭେଣ୍ଡର ସ୍ଲିପ୍ ବି ଦିଆଯାଇଥିଲା। ତେବେ, ବାକି ୫୫୫ କୁଇଣ୍ଟାଲ ଧାନ ବିକ୍ରି ହୋଇପାରିନଥିଲା। ଏବେ ବି ଧାନ ମଣ୍ଡି ପା‌ଖରେ ପଡ଼ି ରହିଛି। ତେବେ, ବିକ୍ରି ହୋଇଥିବା ୭୩୨ କୁଇଣ୍ଟାଲ ଧାନ ବାବଦ ପ୍ରାପ୍ୟ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ଯୋଗବିହାରୀ ପରିଡ଼ାଙ୍କ ନେତୃତ୍ବରେ ଜୟ କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନର ଚାଷୀମାନେ ପ୍ରାପ୍ୟ ପାଇଁ ପ୍ରଥମେ ନିଜ ଅଂଚଳରେ ଆନ୍ଦୋଳନ କରିଥିଲେ। ତଥାପି, ଯୋଗାଣ ବିଭାଗ ନିରବଦ୍ରଷ୍ଟା ରହିବାରୁ ଗତ ୧୨ ତାରିଖ ଦିନ ସମ୍ବଲପୁର ଯୋଗାଣ କାର୍ଯ୍ୟାଳୟକୁ ଆସିଥିଲେ। ଜନତାଙ୍କ ଟିକସ ଅର୍ଥରୁ ଦରମା ନେଉଥିବା ଏହି କାର୍ଯ୍ୟାଳୟ ବାବୁମାନେ ନିଜ ଦାୟିତ୍ବହୀନତାର ପରିଚୟ ଦେଇଥିଲେ। ଅନ୍ନଦାତା ଚାଷୀମାନଙ୍କୁ ମୁଖ୍ୟ ଯୋଗାଣ ଅଧିକାରୀ ଓ ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବାକୁ ଯିବା ଆଳରେ ଠକି ଚାଲିଯାଇଥିବା ବେଳେ ଚାଷୀମାନେ ରାତି ସାରା ଯୋଗାଣ କାର୍ଯ୍ୟାଳୟ ପରିସରରେ ଜଗି ରହିଥିଲେ। ରାତିସାରା ଅନିଦ୍ରା ରହିଥିଲେ। ସକା‌ଳେ ମୁଖ୍ୟ ‌ଯୋଗାଣ ଅଧିକାରୀ ସୁବୋଧ ମଲ୍ଲିକ, ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଡିଏସ୍‌ଡବ୍ଲ୍ୟୁଓ ଗୀତାଂଜଳି ମହାପାତ୍ର ପ୍ରମୁଖ ଆସି ଚାଷୀମାନଙ୍କ ସହିତ ସେମାନଙ୍କ ଦାବି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ୧୮ ଏପ୍ରିଲ ରବିବାର ସୁଦ୍ଧା ପ୍ରାପ୍ୟ ପ୍ରଦାନ ପାଇଁ ମିଆଦ ଦେଇଥିଲେ।

ଅପରପକ୍ଷରେ ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ବାମରା ଅଂଚଳର ଚାଷୀମାନଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥିର କରିଥିଲେ। ସୋମବାର ଦିନ ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥିର କରିଥିବା ବେଳେ ଯୋଗାଣ ବିଭାଗ ସମସ୍ୟାର ସମାଧାନ ନିମନ୍ତେ ଆହୁରି ଗୋଟିଏ ଦିନ ସମୟ ମାଗିଥିବା କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। ତଦନ୍ତ ବେଳେ ଉକ୍ତ ଧାନ ସମ୍ବଲପୁର ଜିଲ୍ଲାର କୌଣସି ମିଲ୍‌କୁ ଯାଇନଥିବା ଜଣାପଡ଼ିଛି। ପଚରାଉଚରା ବେଳେ ବାମରାର ଜ‌ଣେ ଦଲାଲଙ୍କ ଜରିଆରେ ତାହା ସୁନ୍ଦରଗଡ଼ ଜିଲ୍ଲାର ଏକ ମିଲ୍‌କୁ ଯାଇଥିବା ଜଣାପଡ଼ିଛି। ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଦଲାଲଙ୍କ କଥାରେ ପଡ଼ି ଏଭଳି କାରନାମା କରିଛି। ଚାଷୀମାନେ ତୀବ୍ର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବା ପରେ ବି ଯୋଗାଣ ବିଭାଗର ଅଧିକାରୀମାନେ ସବୁ ସତ ମାନିଥିବା କୃଷକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ, ଯୋଗାଣ ବିଭାଗ କେମିତି ଏତେ ଦିନ ପର୍ଯ୍ୟନ୍ତ ଏହି କଥା ଜାଣିପାରିଲା ନାହିଁ। ଧାନ ମଣ୍ଡିରୁ ମିଲ୍‌ ହେଡ୍‌କୁ ଯିବା ବେଳେ ଟ୍ରାନ୍‌ଜିଟ୍ ପାସ୍ ଇସ୍ୟୁ କରାଯାଇଥାଏ। ଏଣୁ ଏହି ଧାନ କେଳଙ୍କାରୀରେ ଯୋଗାଣ ବିଭାଗର ଅଧିକାରୀମାନଙ୍କର ସଂପୃକ୍ତି ରହିଥିବା ସ୍ପଷ୍ଟ ହୋଇଛି। ଏହି କେଳ‌ଙ୍କାରୀ ପାଇଁ ଦାୟୀ ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ/କର୍ମଚାରୀମାନଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ନେବାକୁ କୃଷକ ସଂଗଠନ ଦାବି କରିଛି। ଧାନ ବିକ୍ରି ବାବଦ ବକେୟା ପ୍ରାପ୍ୟ ସହିତ ଏହି ଘଟଣା ପାଇଁ ଦାୟୀ ଅଧିକାରୀ/କର୍ମଚାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କ ସହିତ ଯୋଗାଯୋଗ କରାଯାଇଥିଲେହେଁ ସେ ଫୋନ୍ ନଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର