ଭୁବନେଶ୍ୱର : ବିଜେଡି ସାଂସଦ ଅମର ପଟ୍ଟନାୟକ କେନ୍ଦ୍ର ଖାଦ୍ୟଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ଅଗ୍ରୀମ ସବ୍‌ସିଡି ଓ ଧାନ କିଣା ବକେୟା ମିଶି ୧୧ହଜାର ୭୧୭ କୋଟି ଟଙ୍କା ଛୁଇଁଲାଣି। ରାଜ୍ୟ ସରକାର ଯେହେତୁ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଧାନ କିଣା ପ୍ରାପ୍ୟ ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି, ଏଣୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ଆଣିଛନ୍ତି। ଋଣ ଜନିତ ସୁଧ ୫ହଜାର ୪୦୨ କୋଟି ୬୧ଲକ୍ଷ ଟଙ୍କା ହେଲାଣି। ଏହିପରି ମୋଟ ୧୭ ହଜାର ୧୧୯ କୋଟି ଟଙ୍କା ପ୍ରାପ୍ୟ କେନ୍ଦ୍ର ସରକାର ତୁରନ୍ତ ଦେବା ଦରକାର।

Advertisment

ସାଂସଦ ଅମର ପଟ୍ଟନାୟକଙ୍କୁ ଇତିମଧ୍ୟରେ କେନ୍ଦ୍ରୀମନ୍ତ୍ରୀ ଶ୍ରୀ ଗୋୟଲ ଏହାର ଉତ୍ତର ଦେଇଛନ୍ତି। ଚିଠିରେ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷର ଶେଷ କ୍ବାର୍ଟର ବାବଦ ଅଗ୍ରୀମ ଟଙ୍କା (ପାଖାପାଖି ୨୪୦୦ କୋଟି) ଛାଡି ବାକି ସବୁ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିସାରିଛନ୍ତି। ପରୋକ୍ଷରେ ଶ୍ରୀ ଗୋୟଲ ଜଣାଇ ଦେଇଛନ୍ତି ଯେ ଓଡ଼ିଶାର ଅଭିଯୋଗ ତଥ୍ୟ ଉପରେ ପର୍ଯ୍ୟବେସିତ ନୁହେଁ ବା ଅସତ୍ୟ କହୁଛନ୍ତି।

ବିଜେଡି ସାଂସଦ କହିଲେ କେନ୍ଦ୍ର ଉପରେ ୧୭ହଜାର ୧୧୯ କୋଟି ବାକି
କେନ୍ଦ୍ରମନ୍ତ୍ରୀ ଫାଙ୍କିଦେଲେ, କହିଲେ ଶେଷ ତିନିମାସ କେବଳ ଦିଆଯାଇନି
ରାଜ୍ୟ ସରକାରଙ୍କ ଯୋଗାଣ ନିଗମର ତଥ୍ୟ ମଧ୍ୟ ଅଲଗା

publive-image

ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିବା ସାଂସଦଙ୍କ ଅଭିଯୋଗ ଠିକ୍ ନା କେନ୍ଦ୍ର ମନ୍ତ୍ରୀ ଦେଇଥିବା ଉତ୍ତର?

ଏଥିସହିତ ଆବାସ ଯୋଜନା ପରେ ଧାନ କିଣା ସବ୍‌ସିଡି ପ୍ରସଙ୍ଗ ଏବଂ କେନ୍ଦ୍ର-ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ହେଲାଣି। ସବୁଠାରୁ ବଡ କଥା ହେଉଛି ଯେ ଛୋଟ ଛୋଟ କଥାରେ ବିଜେଡି-ବିଜେପି ତୁ ତୁ ମେଁ ମେଁ ହେଉଥିବା ବେଳେ ରାଜ୍ୟ ସ୍ବାର୍ଥ ସଂପର୍କିତ କୌଣସି ବଡ଼ ପ୍ରସଙ୍ଗରେ ଉଭୟ ଓଡ଼ିଶା ପାଇଁ ଯେମିତି ଠିଆ ହୋଇଥିବା କଥା ତାହା ଦେଖିବାକୁ ମିଳିନାହିଁ। ଯଦି ବିଜେଡି କଥା ସତ, ତେବେ ସଂସଦରେ ସାଂସଦମାନେ ଏ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କୁ ଘେରୁନାହାନ୍ତି କାହିଁକି? ଯଦି କେନ୍ଦ୍ରମନ୍ତ୍ରୀ ଦେଇଥିବା ତଥ୍ୟ ଠିକ୍, ତେବେ ଓଡ଼ିଶାର ସାଂସଦମାନେ ରାଜ୍ୟ ସରକାରଙ୍କ ତଥ୍ୟକୁ ନେଇ ବିଜେଡିକୁ ଘେରିବାରେ ଅସୁବିଧା କେଉଁଠି? ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ଏବଂ ପ୍ରଶାସନିକ ମହଲକୁ ଆନ୍ଦୋଳିତ କରୁଛି।

ସ୍ମରଣଥାଉକି, ଟୋକନ ଲାପ୍ସ କରିଗଲା ବୋଲି ଲକ୍ଷାଧିକ ଚାଷୀ ଧାନ ବିକ୍ରି କରିପାରିଲେ ନାହିଁ। ସେମାନଙ୍କ ସଂପର୍କରେ ସରକାର କି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ। ଯେଉଁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କଲେ, ସେମାନଙ୍କୁ ଏଥର ଢେର୍ ବାଧିଛି। କାରଣ ରାଜ୍ୟର କିଛି ଜିଲ୍ଲାରେ କ୍ବିଣ୍ଟାଲ ପିଛା ୫କେଜି ଆଉ କିଛି ଅଞ୍ଚଳରେ ୬ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟି (କଟ୍‌ନି ଛଟ୍‌ନି) ଦିଆଗଲା। ମରୁଡି, ବନ୍ୟା, ବାତ୍ୟା ଭିତରେ ଧାନ ଚାଷ କରିଥିବା ଚାଷୀ ଏବର୍ଷ ଏମିତି ଭୀଷଣ ସ୍ଥିତି ସାମ୍ନା କରିଛି। ପ୍ରକୃତି ଦାଉ ସାଧିଲା, ରାଜ୍ୟ ସରକାର ବି। ଏହାକୁ ନେଇ ଚାଷୀ କ୍ଷୁବ୍ଧ। ଏହି ପ୍ରସଙ୍ଗକୁ ନେଇ ଗାଁ ଠାରୁ ସହର ଯାଏ ସବୁଠି ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ସବ୍‌ସିଡି ପ୍ରସଙ୍ଗଟି ସାମ୍ନାକୁ ଆସିଛି।

ତଥ୍ୟ ଅନୁସାରେ, ବିଜେଡି ସାଂସଦ ଶ୍ରୀ ପଟ୍ଟନାୟକ ଫେବ୍ରୁଆରି ମାସରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏଥିରେ ଏହି ୧୭ ହଜାର୧୧୯ କୋଟିର ହିସାବ ଦେଇ ଏହାକୁ ତୁରନ୍ତ ପ୍ରଦାନ କରିବା ଲାଗି ଦାବି ଜଣାଇଥିଲେ। କହିଥିଲେ ଯେ ଅଗ୍ରୀମ ଅର୍ଥ ନ ଦେଲେ ଧାନ କିଣା କେମିତି ହେବ? ତା ସତ୍ତ୍ବେ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ ଲାଗି ରାଜ୍ୟ ସରକାର ଋଣ କରୁଛନ୍ତି। ତା’ ପରେ ବି ମିଳୁନି।

publive-image

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ସାଂସଦଙ୍କୁ ଉତ୍ତର ଦେଇ କହିଛନ୍ତି ଯେ ୨୦୧୯-୨୦ ମସିହାରେ କେନ୍ଦ୍ର ସରକାର ୫୮୦୭ କୋଟି ୪୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ୨୦୨୦-୨୧ରେ ୮୯୮୫ କୋଟି ୭୩ଲକ୍ଷ ଟଙ୍କା ଏବଂ ଗତ ମାର୍ଚ୍ଚ ୩ ତାରିଖ ସୁଦ୍ଧା ୬୮୩୪ କୋଟି ୫୭ ଲକ୍ଷ ଟଙ୍କା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ଯେ ସାଂସଦଙ୍କ ଚିଠିକୁ ସେ ତର୍ଜମା କରିଛନ୍ତି। ପ୍ରତି ତିନିମାସରେ ଏହି ଅର୍ଥ ପୈଠ କରାଯାଏ ଓ ଏହା ଏକ ନିରନ୍ତର ପ୍ରକ୍ରିୟା। ଶେଷ ୩ମାସ ଅଗ୍ରୀମ ଅର୍ଥ ସଂପର୍କରେ ଅନୁଧ୍ୟାନ କରାଯାଉଛି। ଅନେକ ପ୍ରସଙ୍ଗକୁ ବିଚାରକୁ ନେଇ କେନ୍ଦ୍ର ସରକାର ଏହି ଅର୍ଥ ପ୍ରଦାନ କରିଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଶ୍ରୀ ପଟ୍ଟନାୟକ ଉଷୁନା ଧାନ ଉଠାଇବା ପ୍ରସଙ୍ଗରେ ଯାହା କହିଥିଲେ, ସେ ନେଇ କେନ୍ଦ୍ରମନ୍ତ୍ରୀ ନିରବ ରହିଛନ୍ତି।

ଶ୍ରୀ ଗୋୟଲଙ୍କ ଏଭଳି ଚିଠି ପରେ ପ୍ରସଙ୍ଗଟି ନାଟକୀୟ ମୋଡ଼ ନେଇଛି। ଯେହେତୁ ସରକାର ବା ବିଜେଡି ଏହି ପ୍ରସଙ୍ଗରେ ଗତ ଦୁଇ ସପ୍ତାହ ଧରି ପ୍ରାୟ ନିରବ ରହିଛନ୍ତି, ଏଣୁ ସାଧାରଣରେ ପ୍ରସଙ୍ଗକୁ ନେଇ ସନ୍ଦେହ ବଢ଼ିବା ସ୍ବାଭାବିକ।

ଉଲ୍ଲେଖଥାଉକି, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ତଥ୍ୟ କହୁଛି ଯେ ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟ ସରକାର ୨୫ ହଜାର ୮୨୭ କୋଟି ୪୭ଲକ୍ଷ ଟଙ୍କା ସବ୍‌ସିଡି ମାଗିଥିଲେ। କେନ୍ଦ୍ର ଏହି ସମୟରେ ୨୧ ହଜାର ୬୨୭ କୋଟି ଟଙ୍କା ଦେଇଛି। ଆଉ ସବୁକୁ ମିଶାଇଲେ ଆଉ ୬୫୮୯ କୋଟି ୩୭ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ବକେୟା ରହିଛି। ଯେବେଠାରୁ ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ନିଗମ ଧାନ କିଣିଲେଣି, ସେ ସମୟରୁ ବିଚାର କଲେ ମୋଟ ବକେୟା ୮୪୮୭ କୋଟି ୪ଲକ୍ଷ ଟଙ୍କା ହେବ। ଏହି ତଥ୍ୟ ଅନୁସାରେ, ୨୦୨୧-୨୨ ବର୍ଷର ଚତୁର୍ଥ କ୍ବାର୍ଟରରେ କେନ୍ଦ୍ର ସରକରା ଆଉ ୨୪୦୦ କୋଟି ୩୩ଲକ୍ଷ ଟଙ୍କା ଦେଇନାହାନ୍ତି।
ପରିସଂଖ୍ୟାନ ଜାଲ ଭିତରେ ଏହି ପ୍ରସଙ୍ଗଟି ଗୁଡେଇ ହୋଇଯାଇଥିବା ପରିପ୍ରେକ୍ଷୀରେ କିଏ ସତ କହୁଛନ୍ତି, ତାହା ଜାଣିବା ମୁସ୍କିଲ୍ ହୋଇପଡିଛି। ସମୁଦାୟ ଘଟଣା ଉପରୁ ପରଦା ଉଠାଇବ କିଏ?