ଅନ୍ନଦା‌ତାଙ୍କୁ ପୁଣି ଅବହେଳା : ନୂଆପଡ଼ା ଜିଲ୍ଲାରେ ଧାନକିଣା ଟାର୍ଗେଟ୍‌ ଶେଷ; ମଣ୍ଡିରେ ପଡ଼ିରହିଛି ୭୪ ହଜାର ବସ୍ତା ଧାନ

ନୂଆପଡ଼ା : ନୂଆପଡ଼‌ା ଜିଲ୍ଲାର ଅନ୍ନଦାତା ଅବହେଳାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାରେ ବର୍ତ୍ତମାନ ଧାନ କିଣା ଟାର୍ଗେଟ୍‌ ଶେଷ ହୋଇଯାଇଛି। ଫଳରେ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୭୪ ହଜାର ୩୦୭ ବସ୍ତା ଧାନ ପଡ଼ିରହିଛି।

ମଣ୍ଡିରେ ପଡ଼ି ରହିଥିବା ଚାଷୀଙ୍କ କିଭଳି ଧାନ ଉଠାଣ ହେବ ଜିଲ୍ଲା ପ୍ରଶାସନ ରାଜ୍ୟ ଯୋଗାଣ ବିଭାଗଙ୍କୁ ଟାର୍ଗେଟ୍‌ ଦେବାକୁ ଚିଠି ‌ଲେଖିଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଜିଲ୍ଲାକୁ ୧୧ ଲକ୍ଷ କ୍ବିଇଣ୍ଟାଲ୍‌ ଧାନ କ୍ରୟ ପାଇଁ ଟାର୍ଗେଟ୍‌ ଦିଆଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନ ୫ ତାରିଖ ସୁଦ୍ଧା ୧୮ ହଜାର ୧୭୧ ଜଣ ଚାଷୀଙ୍କ ଠାରୁ ୧୦ ଲକ୍ଷ ୩୬ ହଜାର ୨୩୪.୧୦ କ୍ବିଇଣ୍ଟାଲ୍‌ ଧାନ କ୍ରୟ କରିଛି। ବର୍ତ୍ତମାନ ଜିଲ୍ଲା ଧାନ କିଣିବା ପାଇଁ ଟାର୍ଗେଟ୍‌ ନଥିବାରୁ ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ଜିଲ୍ଲାରେ ଚଳିତ ବର୍ଷ ପେକ୍ସରେ ୨୬ ହଜାର ୨୦୯ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ୫ ହଜାର ୫୩୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜିଲ୍ଲାରେ ମୋଟ୍‌ ୩୩ ହଜାର ୭୪୧ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧୮ ହଜାର ୧୭୧ ଚାଷୀ ମଣ୍ଡିରେ ଧାନ ବିକ୍ରି କରିଛନ୍ତି। କିନ୍ତୁ ୧୫ ହଜାର ୫୪୩ ଜଣ ଚାଷୀ ବର୍ତ୍ତମାନ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ରହିଛନ୍ତି। ଜିଲ୍ଲା‌ରେ ୫ ତାରିଖ ସୁଦ୍ଧ‌ା ଏସ୍‌ଏଚ୍‌ଜି ଠାରୁ ୪ ହଜାର ୨୫୮ ଜଣ ଚାଷୀଙ୍କ ଠାରୁ ୨ଲକ୍ଷ ୪୦ ହଜାର ୬୨୯.୪୧ କ୍ବିଇଣ୍ଟାଲ୍‌ ଧାନ କ୍ରୟ କରିଛି। ପେକ୍ସ ୧୩ ହଜାର ୯୧୩ ଜଣ ଚାଷୀଙ୍କ ଠାରୁ ୭ଲକ୍ଷ ୯୫ ହଜାର ୯୦୪.୭୪ କିଇଣ୍ଟାଲ ଧାନ କ୍ରୟ କରିଛି। ଜିଲ୍ଲାରେ ଧାନ କିଣିବା ପାଇଁ ଟାର୍ଗେଟ୍‌ ନଥିବାରୁ ଚାଷୀମାନେ ବିଭିନ୍ନ ମଣ୍ଡି ହଜାର ହଜାର ବସ୍ତା ଧାନକୁ ନେଇ ଦିନରାତି ଜଗି ରହୁଛନ୍ତି। ଏନେଇ ନୂଆପଡ଼ା ଯୋଗାଣ ଅଧିକାରୀଙ୍କୁ ଫୋନ୍‌ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଗ୍ରହଣ କରିନଥିଲେ।

ସମ୍ବନ୍ଧିତ ଖବର