ଗୋଦାମ ଘର ନାହିଁ; ଚିନ୍ତାରେ ଚାଷୀ

ମଣ୍ଡିକୁ ଯାଉନାହାନ୍ତି ମିଲର, ଧାର୍ଯ୍ୟଲକ୍ଷ୍ୟର ୩୩ % ଧାନ ସଂଗ୍ରହ

କଟକ : ଧାନ ବିକ୍ରି କରିବାକୁ ମଣ୍ଡିରେ ଅପେକ୍ଷା କରିଛନ୍ତି ଚାଷୀ। କିନ୍ତୁ ମଣ୍ଡିକୁ ମିଲର ଯାଉ ନଥିବାରୁ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ। ଅନ୍ୟପଟେ ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ନସରିଛି ସେ ପର୍ଯ୍ୟନ୍ତ ଧାନ ଉଠାଇବା ପାଇଁ ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ। କଟକ ଜିଲ୍ଲାରେ ମିଲର ସମସ୍ୟା ଯୋଗୁଁ ଧାନ କିଣା ଆରମ୍ଭରୁ ହିଁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଚାଷୀ ପଞ୍ଜିକରଣ ଅନୁସାରେ ଜିଲ୍ଲାରେ ୨୯ଲକ୍ଷ କ୍ବିଣ୍ଟାଲ ଧାନ ମଣ୍ଡିରୁ ଉଠିବା କଥା କିନ୍ତୁ ମଣ୍ଡିରୁ ଉଠିଛି ମାତ୍ର ୯ଲକ୍ଷ ୬୫ହଜାର କ୍ବିଣ୍ଟାଲ ଧାନ। ସପ୍ତାହର ଅଧାରୁ ଅଧିକ ଦିନ ମଣ୍ଡି ‌ଖୋଲୁନି। ବଡମ୍ବା, ନରସିଂହପୁର, ଆଠଗଡ, ତିଗିରିଆ ବ୍ଲକ୍‌ରେ ଚାଷୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଏପରିକି ପ୍ରତ୍ୟହ ୨୦୪ ଟି ମଣ୍ଡିରୁ ଅତିକମ୍‌ରେ ୫୦ଟି ମଣ୍ଡି ବାର ଅନୁସାରେ ଖୋଲାଯିବା କଥା। କିନ୍ତୁ ଦିନକୁ ହାରାହାରି ୫ଟି ମଣ୍ଡି ବି ଖୋଲୁନି। ଆଜି କଟକ ଜିଲ୍ଲାର ଧାନ ସଂଗ୍ରହ ବ୍ୟବସ୍ଥା ସଂପର୍କରେ ଯୋଗାଣ ସଚିବ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସମୀକ୍ଷା କରିଛନ୍ତି। ଅନ୍ୟପଟେ ଜିଲ୍ଲାରେ ପ୍ରତି ପ୍ୟାକ୍ସରେ ଗୋଦାମ ଘର ନଥିବାରୁ ଚାଷୀ ମଣ୍ଡିକୁ ଧାନ ନେଇ ପାରୁ ନଥିବା ଅଭିଯୋଗ ହେଉଛି।

ସୂଚନା ଅନୁସାରେ, କଟକ ଜିଲ୍ଲାରେ ୩ଟି ଆରଏମ୍‌ସି ଥିବାବେଳେ ସବୁଗୁଡିକ ଏକପ୍ରକାର ସ୍ଥାଣୁ ସ୍ଥିତିରେ ରହିଛି। ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ମଣ୍ଡିରେ ଚାଷୀଙ୍କ ପାଇଁ ଯେଉଁଭଳି ଭିତ୍ତିଭୂମି କରାଯିବା କଥା ତାହା କରାଯାଉନି । ଗୋଟିଏ ପଟେ ଜିଲ୍ଲାର କୌଣସି ସମବାୟ ସମିତିରେ ଗୋଦାମ ଘର ନଥିବାବେଳେ ଧାନ ମଣ୍ଡିରେ ଧାନ ରଖିବା ମଧ୍ୟ ସମ୍ଭବ ହୋଇପାରୁନି। ଫଳରେ ଧାନ ମଣ୍ଡିକୁ ଆଣିବା ପୂର୍ବରୁ ମିଲର ଆସିବେ ନା ନାହିଁ ସେ ସଂପର୍କରେ ତଥ୍ୟ ନେଇ ଟୁକୋନ ପାଇଥିବା ଚାଷୀ ମଣ୍ଡିକୁ ଧାନ ଆଣୁଛନ୍ତି। ଏଭଳି ସ୍ଥିତିରେ ଚାଷୀ ଟୁକୋନ ଧରି ଧାନ ବିକ୍ରି ପାଇଁ ଅପେକ୍ଷା କରିବା ବଦଳରେ ବେପାରୀ ତଥା ଦଲାଲଙ୍କୁ ଧାନ ବିକୁଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୧୯ଟି ମଣ୍ଡିରୁ ଚାଷୀଙ୍କଠାରୁ ୯ଲକ୍ଷ ୬୫ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ଯୋଗାଣ ବିଭାଗ ତଥ୍ୟ କହୁଛି। ଜିଲ୍ଳାର ୬ଟି ମିଲର ପର୍ଯ୍ୟାୟ ଭିତ୍ତିରେ ଯେତିକି ଟଙ୍କା ସିକ୍ୟୁରିଟି ଟଙ୍କା ଧାନ କିଣିବା ପାଇଁ ପଇଠ କରିଥିଲେ ତାହା ଏବେ ପ୍ରାୟ ସରିଗଲାଣି। ଅନ୍ୟପଟେ ଯେହେତୁ ମିଲର ସଂଖ୍ୟା ଜିଲ୍ଲାରେ କମ୍‌ ତେଣୁ ମିଲରଙ୍କ ମନ୍‌ମାନିରେ ଚାଲିଛି ମଣ୍ଡି। ପୁଣି ନିୟମ ଅନୁଯାୟୀ ନୂଆ ସିକ୍ୟୁରିଟି ଟଙ୍କା ପଇଠ ନକଲେ ମଣ୍ଡିରୁ ଧାନ ଉଠାଇପାରିବେନି ମିଲର। ଏଭଳି ସରକାରୀ ଗାଇଡ଼୍‌ ଲାଇନ୍‌ ଥିବାବେଳେ ମଣ୍ଡିକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ସାରା ଜିଲ୍ଲାରେ ଧାନ କିଣା ବ୍ୟବସ୍ଥାକୁ ନେଇ ଅଚଳାବସ୍ଥା ଲାଗିରହିଥିବା ବେଳେ ପୁଣି ଟଙ୍କା ପଇଠ କରି ମିଲର ମଣ୍ଡିରୁ ଧାନ ଉଠାଇବାକୁ ଆଉ ରାଜି ହେଉ ନାହାନ୍ତି। ଅନ୍ୟପଟେ ହଠାତ୍‌ ପାଣିପାଗର ପରିବର୍ତ୍ତନ କୁଆପଥର ଓ ଝଡବର୍ଷା ‌ଯୋଗୁଁ ଚାଷୀ ଧାନ କେଉଁଠି ରଖିବେ ସେ ନେଇ ଚିନ୍ତା‌ରେ ପଡିଛନ୍ତି। ଜିଲ୍ଲାର ଆଠଗଡ ଉପଖଣ୍ଡରେ ପ୍ୟାକ୍ସରେ ଗୋଦାମ ଗୃହ ନିର୍ମାଣ ପାଇଁ ପ୍ରାୟ ଅଧ କୋଟି ଟଙ୍କା ପଡିଛି। ହେଲେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ନେଇ ଗୋଦାମ ଘର ତିଆରି ହୋଇପାରୁନି। ଧାନ ସଂଗ୍ରହ ପ୍ରକ୍ରିୟାରେ ଏଭଳି ଅଚଳାବସ୍ଥା ଚାଷୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି।

ସମ୍ବନ୍ଧିତ ଖବର