ଭୁବନେଶ୍ୱର : ଆସନ୍ତା ନଭେମ୍ବର ପହିଲାରୁ ଖରିଫ୍ ଋତୁ ପାଇଁ ଧାନ କିଣା ଆରମ୍ଭ ହେବ। ୨୦୧୮ ଏପ୍ରିଲ ଯାଏ ଚାଲିବାକୁ ଥିବା ଏହି ପ୍ରକ୍ରିୟା ଆରମ୍ଭ ହେବ ବରଗଡ଼ ଜିଲ୍ଲାରୁ। ପ୍ରଥମେ ସେଠାରୁ ହିଁ ଧାନ କିଣାଯିବ ଓ ପରେ ୭ ତାରିଖରେ କଳାହାଣ୍ଡିରୁ ଧାନ ଉଠିବ।
ଖରିଫ୍ ଧାନ କିଣା ସ୍ଥିତି ଅନୁଧ୍ୟାନ ଲାଗି ଆଜି ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏଭଳି ସୂଚନା ଦେଇଛନ୍ତି। ଶ୍ରୀ ପାଢୀ କହିଛନ୍ତି, ନଭେମ୍ବର ୧୫ ତାରିଖରୁ କିନ୍ତୁ ଧାନ କିଣା ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବ। ସରକାର ଏଥର ଧାନ କିଣା ବେଳେ ତିନିଟି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମତଃ ଧାନ ବିକ୍ରି ବେଳେ ଲମ୍ବା ଧାଡ଼ି ଯେଭଳି ନହୁଏ, ସେଥିପାଇଁ ଚାଷୀଙ୍କ ସହିତ ସମନ୍ଵୟ ରକ୍ଷା କରି କିଏ କେଉଁ ଧାନ ବିକ୍ରି କରିବେ ତାହାକୁ ନିଶ୍ଚିତ କରିବାକୁ ହେବ। ଦ୍ୱିତୀୟତଃ ଚାଷୀଠାରୁ ପ୍ରାଥମିକ ସମବାୟ ସମିତି ଧାନ କିଣିବା ମାତ୍ରେ ତତ୍କାଳ ଏହାକୁ ପି-ପାସ୍ରେ ସ୍ଥାନୀତ କରିବେ। ଏହା ପରେ ତୁରନ୍ତ ରାଜ୍ୟ ସମବାୟ ବ୍ୟାଙ୍କ ଜରିଆରେ ଚାଷୀର ଆକାଉଣ୍ଟରେ ତାର ପ୍ରାପ୍ୟ ଜମା ହେବ। ସବୁଠାରୁ ବଡ଼ କଥା ହେଲା, କଟ୍ନି ଛଟ୍ନି ଆଦି ଆଳରେ ଚାଷୀକୁ ଯେଭଳି ହଇରାଣ କରାନଯାଏ, ସେଥିପ୍ରତି ଅଧିକାରୀମାନେ ଧ୍ୟାନ ଦେବା ଦରକାର। ଧାନ କିଣା ନେଇ ରାଜ୍ୟ ସରକାର ଯେଉଁ ନିର୍ଦେଶନାମା ଜାରି କରିଛନ୍ତି, ତାହା ଅକ୍ଷରେ ଅକ୍ଷରେ ପାଳନ କରିବା ଲାଗି ଖାଦ୍ୟ ଯୋଗାଣ, ସମବାୟ ବିଭାଗକୁ ଦାୟିତ୍ୱ ଦିଆଯାଇଛି।
ସରକାରୀ ସୂଚନା ଅନୁସାରେ, ରାଜ୍ୟ ସରକାର ଚଳିତବର୍ଷ ୫୩ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ଲାଗି ସ୍ଥିର କରିଛନ୍ତି। ଏ ମଧ୍ୟରୁ ଖରିଫ୍ ଋତୁରେ ହିଁ ୪୪ଲକ୍ଷ ମେଟ୍ରିକ୍ ଟନ୍ ଧାନ ଅର୍ଥାତ୍ ୩୬ ଲକ୍ଷ ଟନ୍ ଚାଉଳ କିଣାଯିବ। ରାଜ୍ୟ ଖାଦ୍ୟ ଯୋଗାଣ ନିଗମ, ମାର୍କଫେଡ୍, ଟିଡିସିସି ଓ ଏଫ୍ସିଆଇ ୨୫୭୬ଟି ସମବାୟ ସମିତି ୩୦୬୪ଟି ମଣ୍ଡି ଜରିଆରେ ଏହି ଧାନ କିଣିବେ। ସେହିଭଳି ଚଳିତବର୍ଷ ଭାରତୀୟ ଖାଦ୍ୟ ନିଗମ(୪୬) ଓ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ (୨୦୦) ଅଧୀନରେ ଥିବା ୨୪୬ଟି ଗୋଦାମ ଖାଲି ରହିଛି। ଏଣୁ ଧାନ କିଣାରେ କୌଣସି ସମସ୍ୟା ଉପୁଜିବ ନାହିଁ। ଏଥିପାଇଁ ୧୬୮ଜଣ ମିଲର ନିଜ ନାମ ପଞ୍ଜୀକରଣ କରିଛନ୍ତି।
ଯଦିଓ ରାଜ୍ୟର ପାଖାପାଖି ୩ଲକ୍ଷ ୧୫ ହଜାର ହେକ୍ଟର ଜମି ମରୁଡ଼ି ଦ୍ୱାରା ପ୍ରଭାବିତ, ତଥାପି ଧାନ ଉତ୍ପାଦନ କମିବା ଆଶା କମ୍ ବୋଲି ଅଧିକାରୀମାନେ କହିଛନ୍ତି, ଯୁକ୍ତି ରଖିଛନ୍ତି ଯେ ଅଣଜଳସେଚିତ ଅଞ୍ଚଳରେ ହିଁ ମରୁଡ଼ି ପ୍ରକୋପ ରହିଛି। ଅନ୍ୟପକ୍ଷରେ ଏବେ ଯାଏ ୧୦ଲକ୍ଷ ଚାଷୀ ଧାନ ବିକ୍ରି କରିବା ଲାଗି ନିଜ ନାମ ପଞ୍ଜୀକରଣ କରିସାରିଲେଣି। ଏହା ମଧ୍ୟରେ ୭୩ ହଜାର ୫୩୭ ଜଣ ଭାଗଚାଷୀ ଅଛନ୍ତି, ଯେଉଁମାନେ କି ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ଲାଗି ଆଗ୍ରହ କରିଛନ୍ତି। ସରକାରଙ୍କ ଏହି ଭାଗଚାଷୀ ପରିସଂଖ୍ୟାନ ଏବେ ଅନେକ ଗୁରୁତ୍ୱ ବହନ କରୁଛି। କାରଣ ଭାଗଚାଷୀଙ୍କ ନାମ ନଥିବା ସଂପର୍କରେ ସରକାର ଆଳ ଦେଖାଇ ଚାଲିଥିଲେ। ଓଡ଼ିଶାରେ ଭାଗଚାଷୀ ବ୍ୟବସ୍ଥା ନଥିବା ପରିପ୍ରେକ୍ଷୀରେ ଏମାନଙ୍କୁ ନା ଜମି ମାଲିକ ଗୁରୁତ୍ୱ ଦେଉଥିଲେ ନା ସରକାର।
ସମୀକ୍ଷା ବେଳେ ଏକଥା ବିି ଜଣାପଡ଼ିଥିଲା ଯେ ଗତବର୍ଷ ମିଲରମାନେ ଯେତିକି ଧାନ କିଣିଥିଲେ, ତାର ୯୬% ଚାଉଳ ସରକାରଙ୍କୁ ଫେରାଇଛନ୍ତି। ଅର୍ଥାତ୍ ବାକି ୪% ଚାଉଳ ମିଲରଙ୍କ ନିକଟରେ ପଡ଼ିରହିଛି। ଏହାର ମୂଲ୍ୟ ପ୍ରାୟ ୧୩୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିଭାଗୀୟ ଅଧିକାରୀମାନେ କହିଛନ୍ତି, ପାଖାପାଖି ୬୨ ମିଲରଙ୍କ ବିରୋଧରେ ସରକାର ମାମଲା ରୁଜୁ କରିଛନ୍ତି। ଏ ମଧ୍ୟରେ ୩ଟି ଭିଜିଲାନ୍ସ ମାମଲା ଓ ୨ଟି ମାମଲା କ୍ରାଇମବ୍ରାଞ୍ଚରେ ରୁଜୁ କରାଯାଇଛି। ଏବେ ସୁଦ୍ଧା ସେମାନଙ୍କ ଠାରୁ ୪୧ କୋଟି ଟଙ୍କା ଆଦାୟ ହୋଇଛି। ଏହି ମିଲରମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ।
ଏଠାରେ ପ୍ରକାଶ ଥାଉକି, ଚଳିତବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୫୫୦ ଟଙ୍କା ରଖାଯାଇଥିବା ବେଳେ ଏ ଗ୍ରେଡ୍ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୫୯୦ ଟଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/paddy.jpg)