ବାରିପଦା: ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ଖରିଫ୍ ଧାନ ବିକ୍ରିରେ ଆରମ୍ଭରୁ ଅବ୍ୟବସ୍ଥା ଲାଗି ରହିଛି। ବିଗତ ବର୍ଷମାନଙ୍କରେ କେବେ ବି ଏଭଳି ଅବ୍ୟବସ୍ଥା ଓ ବିଭ୍ରାଟ ଦେଖା ଦେଇନଥିଲା। ଧାନ ବିକ୍ରି ଓ କିଣାକୁ ନେଇ ସବୁଠି ଅଶାନ୍ତି। ଅମଳ ପରେ ପ୍ରାୟତଃ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଧାନକ୍ରୟ ଆରମ୍ଭ ହୋଇଥାଏ। ହେ‌ଲେ ଏଥର ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଜିଲ୍ଲାରେ ଧାନକିଣା ବିଳମ୍ବରେ ଆରମ୍ଭ ହୋଇଥିଲା। ଜାନୁଆରି ପ୍ରଥମ ସପ୍ତାହରୁ ଧାନକିଣା ଆରମ୍ଭ ହୋଇଛି। ଆସନ୍ତା ମାର୍ଚ୍ଚ ଶେଷ ସପ୍ତାହରେ ଧାନକିଣା ବନ୍ଦ ହୋଇଯିବ। ତେବେ ହାତରେ ମାତ୍ର ଗୋଟିଏ ମାସ ରହିଥିବା ବେଳେ ଜିଲ୍ଲାର ଅଧା‌ ଚାଷୀଙ୍କ ଧାନକିଣା ହୋଇନି। ଧାନକ୍ରୟକୁ ସୁବ୍ୟବସ୍ଥା କରିବା ନିମନ୍ତେ ନା ପ୍ରଶାସନ ନା ରାଜନେତା କାହାର ବି ଇଛାଶକ୍ତି ରହୁନି।

Advertisment

ପଞ୍ଚାୟତ ନିର୍ବାଚନ ପରିଚାଳନରେ ପ୍ରଶାସନ ବ୍ୟସ୍ତ। ଆଉ ଭୋଟ ହାତେଇବା ପାଇଁ ରାଜନେତାମାନେ ପ୍ରଚାରରେ ବ୍ୟସ୍ତ। ହେଲେ ଅନ୍ନଦାତାଙ୍କ ପ୍ରତି କାହାର ନଜର ନଥିବାରୁ ଜିଲ୍ଲାର ଧାନକିଣା ଟାର୍ଗେଟ ପୂରଣ ହେବାନେଇ ଅନିଶ୍ଚତତା ସୃଷ୍ଟି ହୋଇଛି। ଏହାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିଳ୍ପ ବିହୀନ ଓ ଜଙ୍ଗଲ ଘେରା ମୟୂରଭଞ୍ଜ ଜିଲ୍ଲାରେ ଧାନ ଚାଷ ହିଁ ଲୋକଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ। ବିଶେଷତଃ ରାଇରଙ୍ଗପୁର ଓ ଉଦଳା ଉପଖଣ୍ଡରେ ବେଶି ଧାନ ଉତ୍ପାଦନ ହୋଇଥାଏ। ହେଲେ ଧାନ କିଣା ହେଉନଥିବାରୁ ଧାରକରଜ କରି ଚାଷ କରିଥିବା ଚାଷୀ କେମିତି ଟଙ୍କା ପରିଶୋଧ କରିବ ବୋଲି ଚିନ୍ତାରେ ପଡ଼ିଛନ୍ତି।

ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଖରିଫ ଧାନ ବିକ୍ରି ନିମନ୍ତେ ଜିଲ୍ଲାର ୭୧ ହଜାରରୁ ଉର୍ଦ୍ଧ୍ବ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ବହଳଦା ବ୍ଲକ୍‌ରେ ସର୍ବାଧିକ ୨ହଜାର ୭୮୨ ଜଣ ଓ ସଦର ବ୍ଲକ୍‌ରେ ସର୍ବନିମ୍ନ ୧୦୩ ଜଣ ଚାଷୀ ଧାନବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ପଞ୍ଜୀକୃତ ସମସ୍ତ ଚାଷୀଙ୍କୁ ଟୋକନ ମିଳିଥିଲା। ୧୦୨ ମଣ୍ଡି ଓ ୫୨ ସୋସାଇଟରୁ ପଞ୍ଜୀକୃତ ଚାଷୀଙ୍କଠାରୁ ମୋଟ୍ ୧୪ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ ଖର୍ଦ୍ଦି କରିବା ନିମନ୍ତେ ବିଭାଗ ଲକ୍ଷ୍ୟ ରଖିଥିଲା।

ଆଜି ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୩୪ ହଜାର ୨୬୬ ଜଣଙ୍କ ଚାଷୀଙ୍କଠାରୁ ଧାନ କ୍ରୟ ହୋଇଛି। ‌ବାକିତକ ଧାନ କେବେ କିଣାଯିବ ବୋଲି ପ୍ରଶ୍ନ କରିଛନ୍ତି ଚାଷୀନେତା ଦୀପକ କୁମାର ବିଶୋଇ। ଯଦି ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାର ସମସ୍ତ ଚାଷୀଙ୍କଠାରୁ ଧାନ କ୍ରୟ କରା ନଯାଏ ତାହା ହେଲେ ଜିଲ୍ଲାରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଚାଷୀ ଶଙ୍କର ନାୟକ।

ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢୀଙ୍କୁ ପଚାରିବାରୁ ଦ୍ବିତୀୟ ପର୍ଯ୍ୟାୟ ଧାନ କିଣା ଚାଲିଛି। ତୃତୀୟ ପର୍ଯ୍ୟ‌ାୟରେ ସମସ୍ତଙ୍କ ଚାଷୀଙ୍କଠାରୁ ଧାନ କ୍ରୟ କରାଯିବ ବୋଲି ସେ କହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ଧାନ କ୍ରୟ ପାଇଁ ଅନୁମତି ଲୋଡ଼ା ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ସବୁଜ ସଙ୍କେତ ଆସି ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଅପ୍ରେଲରେ ରବି ଧାନ କ୍ରୟ ହେବାକୁ ଯାଉଥିବାରୁ ଖରିଫ୍ ଧାନ କ୍ରୟ ସମୟ ଅବଧି ଆଉ ସରକାର ବୃଦ୍ଧି କରିବେ ନାହିଁ। ତେଣୁ ଜିଲ୍ଲାର ଅଧା ଚାଷୀଙ୍କ ଧାନ ଚଳିତ ବର୍ଷ ବିକ୍ରି ନ ହେବା ନିଶ୍ଚିତ।