ଥୁଆମୂଳ ରାମପୁର: ବ୍ୟବସ୍ଥା ଆରମ୍ଭରୁ ମଣ୍ଡି ନାହିଁ, ଅନ୍ୟ ବ୍ଲକ୍‌ରେ ଧାନ ବିକୁଛନ୍ତି ଚାଷୀ

ଭବାନୀପାଟଣା : ସାରା ଓଡ଼ିଶାକୁ ଧାନ ଚାଷର ଉଦାହରଣ ଦେଖାଇଥିବା ଥୁଆମୂଳ ରାମପୁର ବ୍ଲକ୍‌ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଅବହେଳିତ ‌ହୋଇଛି। ଜିଲ୍ଲାର ଭବିଷ୍ୟତ ପାଇଁ ଏହି ବ୍ଲକ୍‌ର ଲୋକମାନେ ନିଜ ଭିଟାମାଟିକୁ ଛାଡ଼ିଛନ୍ତି। ଅଥଚ ଆଜି ପର୍ଯ୍ୟନ୍ତ ଏହି ବ୍ଲକ୍‌ରେ ଧାନମଣ୍ଡିଟିଏ ହୋଇପାରିଲା ନାହିଁ। ରାଜ୍ୟ ସରକାର ଯେବେଠାରୁ ମଣ୍ଡି ବ୍ୟବସ୍ଥା ଆରମ୍ଭ କଲେଣି ସେହିଦିନରୁ ଆଜି ପର୍ଯ୍ୟନ୍ତ ବ୍ଲକ୍‌ରେ କେବେ ବି ମଣ୍ଡି ଖୋଲିନାହିଁ। କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍‌ ମଧ୍ୟରୁ ସବୁ ବ୍ଲକ୍‌ରେ ଧାନମଣ୍ଡି ଖୋଲିଥିଲେ ମଧ୍ୟ ଥୁଆମୂଳ ରାମପୁର ବ୍ଲକ୍‌ରେ ଏଥିରେ ବ୍ୟତିକ୍ରମ ହୋଇଛି। ଏହି ବ୍ଲକ୍‌ର ଚାଷୀମାନେ ଧାନ ବିକିବା ପାଇଁ ପଡ଼ୋଶୀ ଭବାନୀପାଟଣା ଓ କଲମପୁର ବ୍ଲକ୍‌ର ମଣ୍ଡି ଉପରେ ନିର୍ଭର କରିଥାନ୍ତି। ବର୍ଷ ବର୍ଷ ଧରି ଏଠାରେ ଧାନ ମଣ୍ଡି ଖୋଲିବା ପାଇଁ ପ୍ରସ୍ତାବ ହେଉନଥିବାରୁ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଓଡ଼ିଶାରେ କାଶୀପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ ପ୍ରଥମେ ଧାନ ଚାଷ ହୋଇଥିଲା। କାଶୀପୁର ସେତେବେଳେ କଳାହାଣ୍ଡି ଅଞ୍ଚଳରେ ଥିବାବେଳେ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ। ପ୍ରତିବର୍ଷ ନୂଆ ମଣ୍ଡି ହେଉଛି। କିନ୍ତୁ ସରକାରୀ ତାଲିକାରେ ଥୁଆମୂଳ ରାମପୁରର ନାଁ ନଥାଏ। ବର୍ଷ ବର୍ଷ ଧରି ଏଠାକାର ଚାଷୀମାନେ ସେମାନଙ୍କ ଧାନକୁ ପଡ଼ୋଶୀ ବ୍ଲକ୍‌ରେ ବିକ୍ରି କରିଥାନ୍ତି। ଅନେକ ସମୟରେ ଧାନ ଦଲାଲମାନଙ୍କ ଦ୍ବାରା ପଡ଼ୋଶୀ ରାୟଗଡ଼ା ଜିଲ୍ଲାର କାଶୀପୁରକୁ ଧାନଚାଲାଣ ହୋଇଥାଏ। ମଣ୍ଡି ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ରାଜନେତା, ଜିଲ୍ଲା ପ୍ରଶାସନ ଠାରୁ ଯୋଗାଣ ବିଭାଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। କିନ୍ତୁ ଫଳ ଶୂନ।

ସୂଚନା ଅନୁସାରେ, ୨୦୦୯-୧୦ ମସିହାରେ କର୍ଲାପାଟ ଅଞ୍ଚଳରୁ ଲ୍ୟାମ୍ପ୍ସ ଜରିଆରେ ଭବାନୀପାଟଣା ଶଗଡ଼ା ମଣ୍ଡିକୁ କିଛି ଧାନ ଆଣି ବିକ୍ରି କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି। ମିଲର୍‌ମାନେ ଏହି ବ୍ଲକ୍‌ରୁ ଧାନ ଉଠାଇବା ପାଇଁ ରାଜି ହେଉନାହାନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ମଣ୍ଡି ଖୋଲୁନାହିଁ ବୋଲି କର୍ଲାପାଟର ଚାଷୀ ରାଜ ସିଂହଦେଓ ଅଭିଯୋଗ କରିଛନ୍ତି।
ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ, ଆଜି ପର୍ଯ୍ୟନ୍ତ ଡିଆର୍‌ସିଏସ୍‌ କାର୍ଯ୍ୟାଳୟରୁ ମଣ୍ଡି ଖୋଲିବା ନିମନ୍ତେ କୌଣସି ପ୍ରସ୍ତାବ ଆସୁନଥିବାରୁ ମଣ୍ଡି ଖୋଲାଯାଇ ପାରୁନାହିଁ ବୋଲି କହିଥିଲେ। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପଚାରିବାରୁ, ଚାଷୀମାନେ ଅନ୍‌ଲାଇନ୍‌ ପଞ୍ଜୀକରଣ କରୁନଥିବାରୁ ମଣ୍ଡି ଖୋଲାଯାଇ ପାରୁନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର