କେସିଙ୍ଗା : କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉଷୁନା ଚାଉଳ ବିବାଦ ଛିଣ୍ଡୁ ନାହିଁ। ୯ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ସଂଗ୍ରହ ହେଲାଣି। ହେଲେ ବର୍ତ୍ତମାନ ସୁଦ୍ଧା କେଉଁ ଭିଟାମିନ୍‌ଯୁକ୍ତ ଚାଉଳ ମିଶିବ, ତାର ନିଷ୍ପତ୍ତି ହୋଇନାହିଁ। ଫଳରେ ଏଫ୍‌ସିଆଇରେ ଚାଉଳ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହାର ପରିଣାମ ଚାଷୀ ଭୋଗୁଛନ୍ତି। ଧର୍ମକୁ ଆଖି ଠାର ଭଳି ଏବେ ଆର୍‌ଆର୍‌ସିରେ ୨ ଲକ୍ଷ କୁଇଣ୍ଟାଲ୍‌ ଚାଉଳ ସଂଗ୍ରହର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଏଫ୍‌ସିଆଇ ଚାଉଳ ସଂଗ୍ରହ କରିବ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଧାନ କିଣାରେ ଅବ୍ୟବସ୍ଥା ଲାଗିରହିବ। ରାଜ୍ୟ ସରକାର ଠାରୁ କେନ୍ଦ୍ର ୫ ଲକ୍ଷ ଟନ୍‌ ଭିଟାମିନ୍‌ ଚାଉଳ ନେବାକୁ ଟାର୍ଗେଟ୍‌ ଦେଇଛି। ଏଭଳି ସୂଚନା ପରେ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଅବସ୍ଥା ବେହାଲ ହୋଇଛି। ପରିମାଣ ସ୍ୱରୂପ ମନ୍ଥର ଗତିରେ ଧାନ କିଣାଚାଲିଛି। ଏଥିପାଇଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି।

Advertisment

ଅନ୍ୟପଟେ ଭିଟାମିନ୍‌ଯୁକ୍ତ ଚାଉଳରେ ପରିଣତ କରିବା ପାଇଁ ନମୁନା ଚାଉଳ ଚୂଡ଼ାନ୍ତ ହୋଇନାହିଁ। ଏବେ ଯେଉଁ ନମୁନା ଆସିଥିଲା ଏଫ୍‌ସିଆଇ ମାନ ଖରାପ ଅଛି ବୋଲି କହୁଛି। ଏଭଳି ସ୍ଥିତିରେ ସମସ୍ତେ ଚିନ୍ତିତ ଅଛନ୍ତି। ଗତବର୍ଷର ଧାନ କିଣା ଦେଖିଲେ, ଏହି ସମୟ ବେଳକୁ ପ୍ରାୟ ୧୯ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ଉଠିସାରିଥିଲା। ଚଳିତ ବର୍ଷ ମାତ୍ର ୯ ଲକ୍ଷ କୁଇଣ୍ଟାଲରୁ ଅଧିକ ଉଠିଛି। ପ୍ରଥମେ ବିଳମ୍ବରେ ମଣ୍ଡି ଖୋଲିଥିଲା। ଏହାପରେ ଚାଉଳ ବିବାଦ ଲାଗିଥିବାରୁ ଜିଲ୍ଲାରେ ମଣ୍ଡି ଖୋଲିବାରେ ଆହୁରି ବିଳମ୍ବ ହୋଇଥିଲା। ଏବେ ବି ଅନେକ ମଣ଼୍ଡି ଖୋଲି ନାହିଁ। ଚାଉଳ ସଂଗ୍ରହ ପ୍ରକ୍ରିୟା ଠିକ୍‌ ହେଉ ନଥିବାରୁ ମିଲର୍ସ ଧାନ ଉଠାଣରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ସବୁ ଅବ୍ୟବସ୍ଥା ଭିତରେ ଚାଷୀ ଘାଣ୍ଟି ହେଉଛନ୍ତି। ଏହାର ସୁଯୋଗ ନେଇ ମିଲର୍ସ ବି ମଣ୍ଡିରେ ପ୍ରବଳ କଟନୀଛଟନୀ କରାଉଛନ୍ତି।