ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ବାସ୍ତବ ରୂପ ନେଇଛି। ରାଜ୍ୟରେ ଖରିଫ୍ ଋତୁ ପାଇଁ ପ୍ରାମାଣିକ ଧାନ ବିହନ ଯୋଗାଣରେ ଏକ ବଡ଼ ଧରଣର କେଳେଙ୍କାରୀ ମୁଣ୍ଡ ଟେକିଲାଣି। ଧାନ ବିହନ ବିକ୍ରି ଲାଗି ପାକ୍ସ ଓ ଲାମ୍ପ୍ସ ଅନାଗ୍ରହ ପ୍ରଦର୍ଶନ କରୁଥିବା ଦେଖି କିଛି ମୁନାଫାଖୋର ଡିଲର ଏବେ ସକ୍ରିୟ ହୋଇପଡିଛନ୍ତି। ଧାନ ବିହନ ବିକ୍ରି କରୁଥିବା କିଛିି ଡିଲର ଚାଷୀଙ୍କୁ ଶୋଷଣ କରିବା ଆରମ୍ଭ କରିଦେଇଛନ୍ତି। ସରକାରୀ ଦର ଠାରୁ ଯଥେଷ୍ଟ ଅଧିକ ଦରରେ ବିହନ ବିକ୍ରି ହେଉଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଉପକୂଳବର୍ତ୍ତୀ କେନ୍ଦ୍ରାପଡା, ଜଗତସିଂହପୁର ଠାରୁ ଆରମ୍ଭ କରି ପ୍ରାୟ ସବୁ ଅଞ୍ଚଳରେ ଏଭଳି କେଳେଙ୍କାରୀ ଚର୍ଚ୍ଚାର ବିଷୟ ହେଲାଣି। ବିହନ ସଙ୍କଟ ଦେଖାଇ ଏମାନେ ଏମିତି ପରିସ୍ଥିତି ସୃଷ୍ଟି କରୁଛନ୍ତି ଯେ କିଲୋଗ୍ରାମ୍ ପ୍ରତି ଚାଷୀ ୧୧ଟଙ୍କାରୁ ଅଧିକ ଦାମ ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି।
ମିଳିଥିବା ଖବର ଅନୁସାରେ, ଖରିଫ୍ ଋତୁ ଲାଗି ରାଜ୍ୟ ସରକାର ପ୍ରାମାଣିକ ଧାନ ବିହନ ବିକ୍ରି ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର ଏ ବ୍ୟବସ୍ଥାରେ ଡିବିଟି ବା ଚାଷୀ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରଦାନ ବ୍ୟବସ୍ଥା କରିବା ଲାଗି ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହାକୁ ମାନି ଗତ ଦୁଇ ବର୍ଷ ଧରି ବିହନ ବିକ୍ରି କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ପ୍ରଚଳନ କରିଥିଲେ। ଅର୍ଥାତ୍ ଯେଉଁ ଚାଷୀ ଯେତେ ଧାନ ବିହନ କିଣୁଥିଲା, ତା ଆକାଉଣ୍ଟକୁ ସେହି ପରିମାଣର ସବ୍ସିଡି ଅର୍ଥ ଦିଆଯାଉଥିଲା।
ଯଦିଓ ଅନ୍ୟ ସବୁ ବିଭାଗରେ ଡିବିଟି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଉଛି, ଏ କ୍ଷେତ୍ରରେ କିନ୍ତୁ ବଡ଼ ବଡ଼ିଆ ଚାଷୀ ମୁଣ୍ଡରେ ଅଠା ଲଦି ଏହି ନୀତିକୁ ପରିବର୍ତ୍ତନ କରିଦେଲେ। ଜଣାଇଲେ ଯେ ଡିବିଟି ବ୍ୟବସ୍ଥା ପ୍ରଚଳନ ଦ୍ୱାରା ଚାଷୀ ବିହନ ବାବଦରେ ଏକକାଳୀନ ଏତେ ଅର୍ଥ ଦେଇପାରୁନାହିଁ, ଏଣୁ ପାରମ୍ପରିକ ବିହନ ବ୍ୟବହାର କରୁଛି।
ଚଳିତବର୍ଷ ରାଜ୍ୟ ବିହନ ନିଗମ ପାଖାପାଖି ୪ଲକ୍ଷ କ୍ୱିଣ୍ଟାଲ ଧାନ ବିହନ ବିକ୍ରି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ସରକାର ବ୍ୟବସ୍ଥା କରିଛନ୍ତି ଯେ ଏବର୍ଷ କ୍ୱିଣ୍ଟାଲ ପିଛା ୧୬୦୦ ଟଙ୍କା ଅର୍ଥାତ୍ ୨୦ କେଜି ବିହନ ପ୍ୟାକେଟ୍ ୩୨୦ ଟଙ୍କାରେ ବିକ୍ରି ହେବ। ବାକି କ୍ୱିଣ୍ଟାଲ ପିଛା ୧୧୦୦ ଟଙ୍କା ସବ୍ସିଡି ଅର୍ଥ ସରକାର ବିହନ ବାବଦରେ ଯୋଗାଇ ଦେବେ।
ନିୟମ କରାଗଲା ଯେ ଏବର୍ଷ ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍ସ ଓ ବୃହତ୍ତାକାର ବହୁମୁଖୀ ସମବାୟ ସମିତି(ଲାମ୍ପ୍ସ) ଜରିଆରେ ବିହନ ଦିଆଯିବ। ଆବଶ୍ୟକସ୍ଥଳେ ଘରୋଇ ଡିଲରମାନେ ବିହନ ବିକ୍ରି କରିବେ। ରାଜ୍ୟରେ ପ୍ରାୟ ୨୭୦୦ ପାକ୍ସ ଓ ୧୨୦୦ ପାଖାପାଖି ଡିଲରଙ୍କ ମାଧ୍ୟମରେ ବିହନ ବିକ୍ରି କରିବା ଲାଗି ଯୋଜନା ହୋଇଥିଲା। ସରକାର ନିଷ୍ପତ୍ତି ନେଲେ ଯେ ଚାଷୀକୁ ପାକ୍ସ ବା ଡିଲରମାନେ ପ୍ୟାକେଟ୍ ପିଛା ୩୨୦ ଟଙ୍କାରେ ବିହନ ବିକ୍ରି କରିବେ ଓ ଅନ୍ଲାଇନ୍ ଜରିଆରେ ସେତିକି ବିହନ ବାବଦ ସବ୍ସିଡି ଅର୍ଥ ତୁରନ୍ତ ପାକ୍ସ, ଲାମ୍ପ୍ସ ବା ଡିଲରଙ୍କ ଆକାଉଣ୍ଟରେ ଜମା ହେବ।
ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାକ୍ସମାନେ ବିହନ କିଣା ପ୍ରକ୍ରିୟାରେ ଭାଗ ନେବା ଲାଗି ବିଶେଷ ଆଗ୍ରହ ଦେଖାଉନାହାନ୍ତି। ଏହା ଏବେ ଘରୋଇ ଡିଲରମାନଙ୍କୁ ବେଶ୍ ସୁହାଇଛି। ବଜାରରେ ସରକାରୀ ବିହନର କୁତ୍ରିମ ଅଭାବ ସୃଷ୍ଟି କରି କିଛି ଡିଲର ଚାଷୀଙ୍କୁ ଶୋଷଣ କରିବା ଲାଗି ପାଗ ଭିଡିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ବିହନ ପ୍ୟାକେଟ୍ ୩୨୦ ପରିବର୍ତ୍ତେ ୫୦୦ରୁ ୫୫୦ ଟଙ୍କା ଯାଏ ବିକ୍ରି କରାଯାଉଛି। କେବଳ ସେତିକି ନୁହେଁ, ସଂପୃକ୍ତ ଡିଲରମାନେ ଏ ସଂକ୍ରାନ୍ତ ରସିଦ୍ ମଧ୍ୟ ଦେଉନାହାନ୍ତି।
କୌତୂହଳର କଥା ହେଲା, ଏ ନେଇ ଖୋଳତାଡ଼ କରାଯିବାରେ ଅନେକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ରାଜ୍ୟର ମାତ୍ର ୫୯୫ ଜଣ ପାକ୍ସ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ ହେଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିହନ ବିକ୍ରି କରିନାହାନ୍ତି। ରାଜ୍ୟର ଅଧିକାଂଶ ପାକ୍ସ ଓ ଲାମ୍ପ୍ସ ଏହି ପ୍ରକ୍ରିୟାରୁ ଦୂରେଇ ରହିଛନ୍ତି ଅଥବା ଅଳ୍ପ କେତେ ଶହ କ୍ୱିଣ୍ଟାଲ ବିହନ ବିକ୍ରି କରିଛନ୍ତି। ଫଳରେ ଘରୋଇ ଡିଲରଙ୍କ ନିୟନ୍ତ୍ରଣକୁ ବିହନ ବିକ୍ରି ପ୍ରକ୍ରିୟା ଚାଲିଯାଇଛି।
ଜଣେ ଅଧିକାରୀ କହିଛନ୍ତି ଯେ ଡିଲର ଓ ପାକ୍ସ ମିଶି ପ୍ରାୟ ୧୩୦୨ଟି ସଂସ୍ଥା ବିହନ ବିକ୍ରି କରୁଛନ୍ତି ଓ ଏବେ ସୁଦ୍ଧା ପ୍ରାୟ ୮୨ ହଜାର କ୍ୱିଣ୍ଟାଲ ବିକ୍ରି କରାଗଲାଣି। ଯଦିଓ ଜିଲ୍ଲା କୃଷି ଅଧିକାରୀ ଏ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା କଥା, କିନ୍ତୁ ସେଠାରେ ଏତେ କର୍ମଚାରୀ ନାହାନ୍ତି, ଯେଉଁମାନେ ସମୁଦାୟ ବ୍ୟବସ୍ଥାକୁ ଜଗିପାରିବେ।
ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦେଶକ କହିଛନ୍ତି, ଯଦି ନିର୍ଦିଷ୍ଟ ଭାବେ କୌଣସି ଡିଲରଙ୍କ ବିରୋଧରେ ଅଭିଯୋଗ ଆସିବ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସଂପୃକ୍ତ ସଂସ୍ଥାକୁ ବିହନ ଯୋଗାଣରୁ ସବୁଦିନ ପାଇଁ ଦୂରେଇ ଦିଆଯିବ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କୃଷି ବିଭାଗର ଅତିରିକ୍ତ ନିର୍ଦେଶକ (ଇନ୍ପୁଟ୍) କହିଛନ୍ତି ଯେ ଏମିତି କିଛି ଅଭିଯୋଗ ପହଞ୍ଚିନାହିଁ। ଯଦି ଅଭିଯୋଗ ଆସିବ, ତେବେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ। କିନ୍ତୁ ଡିବିଟି ବ୍ୟବସ୍ଥା ଉଠାଇ ଦେବା ପଛର ରହସ୍ୟ କଣ? କାହା ସ୍ୱାର୍ଥରେ ସରକାର ଘରୋଇ ଡିଲରଙ୍କୁ ଏ କ୍ଷେତ୍ରରେ ସାମିଲ କରିଛନ୍ତି ତାହା ଏକ ବଡ଼ ଧରଣର ତଦନ୍ତକୁ ଅପେକ୍ଷା କରୁଛି।