ଲକ୍‌ଡାଉନ୍‌ରେ ବିହନ ସଙ୍କଟର ଚାଲେଞ୍ଜ : ଆବଶ୍ୟକ ୧୫ ହଜାର କ୍ବିଣ୍ଟାଲ, ପ୍ରଥମ ପର୍ଯ୍ୟାୟରେ ଆସିବ ୩ ହଜାର କ୍ବିଣ୍ଟାଲ

ସମ୍ବଲପୁର : ଚଳିତ ଖରିଫରେ ସମ୍ବଲପୁର ଜିଲ୍ଲାରେ ୧୫ ହଜାର କ୍ବିଣ୍ଟାଲ ଧାନ ବିହନ ଆବଶ୍ୟକ ରହିଛି। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାକୁ ୩ ହଜାର କ୍ବିଣ୍ଟାଲ ବିହନ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ବିହନ ନିଗମକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଏସ କେ ରାୟ। କିଛି ଦିନ ମଧ୍ୟରେ ଏହା ଆସିଯିବ। ଚଳିତ ବର୍ଷ କରୋନା ଲକଡାଉନ ପରିପ୍ରେକ୍ଷୀରେ ଚାଷୀମାନେ ସରକାରୀ ବିହନ ଉପରେ ନିର୍ଭର ନକରି ନିଜେ ସଂରକ୍ଷିତ ବିହନ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଥିବା କହିଛନ୍ତି କୃଷି ଅଧିକାରୀ। ସମ୍ବଲପୁର ବିହନ ବଜାର ୭୦ ପ୍ରତିଶତ ରାଜ୍ୟ ବାହାରର ହାଇବ୍ରିଡ, ହାଇଇଲ୍ଡ ଉପରେ ନିର୍ଭର କରିଥାଏ। ଏଭଳି ସ୍ଥିତିରେ ଚାଷୀ ଲକ୍‌ଡାଉନ୍‌ ସଙ୍କଟକୁ କିଭଳି ସାମ୍ନା କରିବ ଏହା ଚାଲେଞ୍ଜ ଭାବରେ ଉଭା ହୋଇଛି।

ଏପ୍ରିଲରୁ ମେ ମାସ ବେଳକୁ ସିନଜେଣ୍ଟା, ମନସାଣ୍ଟୋ ସମେତ କୋଲକାତା, ବାଙ୍ଗାଲୋରର ହାଇବ୍ରିଡ, ହାଏଇଲ୍ଡ ବିହନ କମ୍ପାନି ଗୁଡ଼ିକ ଗାଁମାନଙ୍କରେ ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି। ଅଧିକ ଉତ୍ପାଦନର ଲୋଭ ଦେଖାଇ ଏହି ବିହନର ବିଜ୍ଞାପନ କରନ୍ତି। ସରକାରୀ ବିହନ ନ ନେଇ ଚାଷୀ କେଜି ପ୍ରତି ୫୦୦ରୁ ୬୦୦ ଟଙ୍କାରେ ହାଇବ୍ରିଡ ବିହନ ନେଇଥାଆନ୍ତି। ବିଭିନ୍ନ ସମୟରେ ଏଥିଯୋଗୁଁ ଚକଡ଼ା ପୋକ ଏଭଳି ବିହନର କାରଣ ହୋଇଥିବା ଜଣାପଡ଼ିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହି ବିହନ ପ୍ରତି ଲଗାମ ଲଗାଯାଇ ନାହିଁ। ହାଇବ୍ରିଡ ବିହନ ପ୍ରତି ଚାଷୀଙ୍କ ମୋହ ତୁଟୁ ନ ଥିବାରୁ ସମ୍ବଲପୁର ଚାଷୀ ବିହନର ଆବଶ୍ୟକତା କ୍ଷେତ୍ର‌ରେ ସ୍ବାବଲମ୍ବୀ ହେଉନାହାନ୍ତି। ବିହନ ସଂରକ୍ଷଣ ପାଇଁ ଥିବା ସ୍ବତନ୍ତ୍ର ଗୃହ ମଧ୍ୟ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋପ ପାଇବାରେ ଲାଗିଛି। ଆବଶ୍ୟକତା ଅନୁସାରେ ବାହାର ରାଜ୍ୟର ବିହନ ଆସିବାର ସମ୍ଭାବନା ନାହିଁ। ବାହାର ରାଜ୍ୟର ବିହନ ବ୍ୟତୀତ ସରକାରୀ ବିହନ ପୂଜା, ସ୍ବର୍ଣ୍ଣା, ୧୦୧୦, ୧୦୦୧ର ସର୍ବାଧିକ ଚାହିଦା ରହିଛି।

ଏକକ ଫସଲ କରୁଥିବା ଅଞ୍ଚଳରେ ଏପ୍ରିଲ ୩୦ ତାରିଖ, ଦୁଇ ଫସଲି ଚାଷୀ ମେ’ ୧୫ ତାରିଖ ପରଠାରୁ ଚାଷ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ବିହନ ନିଗମରୁ ଧାନ ଆସିବା ପରେ ବିଭିନ୍ନ ପ୍ରକାର ପ୍ରସେସ୍‌ ପରେ ପ୍ୟାକେଜିଂ କରି ଗୋଦାମ ରଖି ବିକ୍ରି କରିବା ପାଇଁ ୭ରୁ ୧୫ ଦିନ ସମୟ ଲାଗି ଯାଏ। ତେଣୁ ପ୍ରାୟ ଏପ୍ରିଲ ମାସ ଅନ୍ତିମ ସପ୍ତାହ ବେଳକୁ ବିହନ ନିଗମରୁ ବିହନ ଯୋଗାଣ ଆରମ୍ଭ ହୋଇଯିବା ଉଚିତ ବୋଲି ଚାଷୀ ବ୍ୟୋମକେଶ ଠାକୁର କହିଛନ୍ତି। ସୂଚନା ଅନୁଯାୟୀ, ଦେଶୀ ବିହନକୁ ଚାଷୀ ନିଜେ ବର୍ଷାଧିକ ସମୟ ଧରି ସଂରକ୍ଷିତ ଫସଲ କରେ। ଏଥିରେ ଅଧିକ ପରିଶ୍ରମ ଲାଗୁଥିଲେ ମଧ୍ୟ ବିହନ ବାବଦରେ ଖର୍ଚ ହୁଏ ନାହିଁ। ସରକାରୀ ବିହନଗୁଡ଼ିକ ମଧ୍ୟ ବର୍ଷେରୁ ୨ ବର୍ଷ ପାଇଁ ବ୍ୟବହାର କରାଯାଇ ପାରେ। ହାଇବ୍ରିଡ ବିହନ ଅଧିକ ମୂଲ୍ୟରେ କିଣି ଚାଷୀ ମାତ୍ର ଥରେ ବ୍ୟବହାର କରେ। ଏଥିଯୋଗୁଁ ବର୍ତ୍ତମାନର ସଙ୍କଟ ସମୟରେ ଏହା ଚାଷୀ ପାଇଁ ସାହା ହେବ ନାହିଁ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୩ ହଜାର କ୍ବିଣ୍ଟାଲ ବିହନ ଆସିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ପର୍ଯ୍ୟାୟ କ୍ରମରେ ଆବଶ୍ୟକତା ଅନୁସାରେ ବିହନ ଯୋଗାଣ ନହେଲେ ସ୍ଥିତି ଜଟିଳ ହେବାର ଆଶଂକା ରହିଛି।

ସମ୍ବନ୍ଧିତ ଖବର