ମଣ୍ଡି ଖୋଲିନି, ମିଲ୍‌କୁ ଗଲାଣି ଧାନ!

୪ଟି ଗାଡ଼ି‌ରେ ଆସୁଥିବା ୩୦୬ କୁଇଣ୍ଟାଲ ଧାନ ଜବତ

ସମ୍ବଲପୁର : ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି। ମଣ୍ଡି ଖୋଲିନାହିଁ, ହେଲେ ମିଲ୍‌କୁ ଧାନ ଯିବା ଆରମ୍ଭ ହୋଇଗଲାଣି। ସୋମବାର ଦିନ ଚାଷୀମାନଙ୍କ ଅଭିଯୋଗକ୍ରମେ ସମ୍ବଲପୁର ମହାନଗର ନିଗମ ପାଖ ଅଂଚଳରୁ ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ଗଠିତ ସ୍କ୍ବାଡ୍‌ ପକ୍ଷରୁ ୪ଟି ଗାଡ଼ିରେ ବୋଝେଇ ୩୦୬.୭୬ କୁଇଣ୍ଟାଲ ଧାନ ଜବତ କରାଯାଇଛି। ବିଳମ୍ବରେ ଧାନ ସଂଗ୍ରହ ଯୋଗୁ ଜିଲ୍ଲାରେ ଦଲାଲମାନେ ସକ୍ରିୟ ହୋଇଯାଇଥିବା ଜଣାପଡ଼ିଛି।

ଯୋଗଣ ବିଭାଗର ସୂଚନା ଅନୁସାରେ, ‌ସୋମବାର ପୂର୍ବାହ୍ନ ସାଢ଼େ ୧୦ଟାରେ ସାନସିଂହାରୀ ଓ ରଘୁନାଥପାଲି ନିକଟରୁ ୪ଟି ଧାନ ବୋଝେଇ ଗାଡ଼ି ଯାଉଥିବା ଦେଖି ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଥିଲେ। ଚାଷୀଙ୍କ ଅଭିଯୋଗକ୍ରମେ ଯୋଗାଣ ବିଭାଗ ପକ୍ଷରୁ ଗଠିତ ସ୍କ୍ବାଡ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଗୋଟିଏ ଟ୍ରକ୍, ୨ଟି ମିନି ଟ୍ରକ୍ ଏବଂ ଗୋଟିଏ ଟ୍ରାକ୍ଟରରୁ ୩୦୬.୭୬ କୁଇଣ୍ଟାଲ ଧାନ ଜବତ କରାଯାଇଥିଲା। ଜବତ ଧାନ ଚାଷୀମାନଙ୍କଠାରୁ ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍ଏସ୍‌ପି)ଠାରୁ ବହୁତ କମ୍‌ ଦରରେ କିଣାଯାଇ ମିଲ୍‌କୁ ନିଆଯାଉଥିଲା। ଯେଉଁ ଜାଗାରେ ଧାନ ବୋଝେଇ ଗାଡ଼ିଗୁଡ଼ିକ ଜବତ କରାଯାଇଥିଲା, ସେହି ଆଖପାଖରେ ୩ଟି ମିଲ୍‌ ରହିଛି। ୨ଟି ଗାଡ଼ି ତ ମିଲ୍‌ ସମ୍ମୁଖରେ ଜବତ କରାଯାଇଥିବା କୁହାଯାଉଛି। ଏପରିକି ଗୋଟିଏ ଗାଡ଼ି ଏକ ମିଲ୍‌ ପରିସରରୁ ଜବତ କରାଯାଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଉଛି। ଏଥିରେ କୌଣସି ମିଲ୍‌ ମାଲିକଙ୍କ ହାତ ଥିବା ଘଟଣାକୁ ଖଣ୍ଡନ କରାଯାଇଛି। ଗାଡ଼ିରେ ଥିବା ଧାନଗୁଡ଼ିକ କେତେକ ଚାଷୀ ସେମାନଙ୍କର ହୋଇଥିବା ନେଇ ଦାବି କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଏହି ଧାନ ମିଲ୍‌କୁ ଯାଉନଥିଲା, ତା’ହେଲେ ଯାଉଥିଲା କୁଆଡ଼େ ?

କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ କୃଷକ ସଂଗଠନ ପକ୍ଷରୁ କହାଯାଇଥିଲା ଯେ, ଆଗରୁ ଜିଲ୍ଲାରେ ୯ ତାରିଖରୁ ମଣ୍ଡି ଖୋଲାଯାଉଥିଲା। ଗତବର୍ଷ ମଣ୍ଡି ଖୋଲିବାରେ ବିଳମ୍ବ ହେବା କାରଣରୁ ଚାଷୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ, ଏଥର ନଭେମ୍ବର ୧୬/୧୭ ତାରିଖ ମଧ୍ୟରେ ମଣ୍ଡି ଖୋଲିବାକୁ ଦାବି କରାଯାଇଥିଲା। ମାତ୍ର, ଜିଲ୍ଲା ପ୍ରଶାସନ ଏଥିରେ ଆଦୌ ରାଜି ହୋଇନଥିଲା। ବହୁ ଟଣାଓଟରା ପରେ ୨୫ ନଭେମ୍ବରରେ ଧାନ ମଣ୍ଡି ଖୋଲାଯିବା ସଂକ୍ରାନ୍ତରେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଚାଷୀମାନେ ମଣ୍ଡି ଶୀଘ୍ର ଖୋଲାନଗଲେ ଅଭାବୀ ବିକ୍ରି ସମସ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ଅସାଧୁ ମିଲ୍‌ ମାଲିକଙ୍କୁ ସୁହାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ଚାଷୀମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି। ହେଲେ, ପ୍ରଶାସନ ପକ୍ଷରୁ କିଛି ଶୁଣାଯାଇନଥିଲା।

ଅପରପକ୍ଷରେ ଦୁଇଦିନ ତଳେ ମାନେଶ୍ବର ଅଂଚଳର ଏକ ମିଲ୍‌କୁ ବି ଧାନ ପଶିଥିବା ଅଭିଯୋଗ ହୋଇଥିଲା। ହେଲେ, ଜାଣିଶୁଣି ଏହି ମାମଲାକୁ ଚାପି ଦିଆଯାଇଥିଲା। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସବୁ ମିଲ୍‌ଗୁଡ଼ିକରେ ଚଢ଼ଉ କରିବାକୁ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର