ଅନୁଗୁଳ : ଏବର୍ଷ ଧାନ ଯାହାକୁ ଯେତେ। ପରିସ୍ଥିତି ଏମିତି ହୋଇଛି ଯେ, ସରକାର ଚାଷୀଙ୍କଠାରୁ ସବୁବର୍ଷ ଯେତିକି ଧାନ କ୍ରୟ କରନ୍ତି, ତାର ପ୍ରାୟ ତିନି ଗୁଣ ଧାନ ଏଥର ଚାଷୀ ଫଳାଇଛନ୍ତି। ସରକାର ଧାନ କିଣିଲା ବାଦ୍‌ ବି ପ୍ରାୟ ୧୮ଲକ୍ଷ କୁଇଣ୍ଟାଲ୍ ଧାନ ବଳକା ହେବାର ଆଶଙ୍କା ରହିଛି। ଏମିତି ସ୍ଥିତିରେ ବଳକା ଧାନ କଣ ହେବ? ତାକୁ କିଏ କିଣିବ? ଧାନ କିଣା ଆରମ୍ଭରୁ ଉଭୟ ଯୋଗାଣ ବିଭାଗ ଏବଂ ଚାଷୀ ମହଲକୁ ଏ ଦ୍ବନ୍ଦ୍ବ ଘାରିଛି।

Advertisment

ଯୋଗାଣ ବିଭାଗ ତଥ୍ୟ କହୁଛି, ଚଳିତବର୍ଷ ଅନୁଗୁଳ ଜିଲ୍ଲାର ଚାଷୀ ସଂଖ୍ୟା ୪୪ହଜାର ୧୯। ପୂରା ଜିଲ୍ଲାରେ ୯୪ଟି ସେବା ସମବାୟ ସମିତି ସହିତ ପ୍ରାୟ ୪ଟି ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ଧାନକିଣା ପ୍ରକ୍ରିୟା ଆରମ୍ଭ କରିଛି। ଗଲା ୨୦ ତାରିଖରୁ ଧାନକିଣା ଆରମ୍ଭ ହୋଇଥିବା ବେଳେ ଧୀରେଧୀରେ ବିଭିନ୍ନ ମଣ୍ଡି ଖୋଲିଲାଣି। ନିୟମ ମୁତାବକ, ସରକାର ଗୋଟିଏ ଏକର ଜଳସେଚିତ ଚାଷ ଜମିରୁ ୧୯କୁଇଣ୍ଟାଲ୍ ଧାନ କିଣିବେ। ଅଣ-ଜଳସେଚିତ ଜମିରୁ ଛଅ କୁଇଣ୍ଟାଲ୍ କମ୍‌ କରାଯାଇ ୧୩ କୁଇଣ୍ଟାଲ୍‌ ଧାନ କ୍ରୟ କରାଯିବାକୁ ନିୟମ ରହିଛି। ବିଗତବର୍ଷର ତଥ୍ୟ ମୁତାବକ, ଯୋଗାଣ ବିଭାଗ ଅନୁଗୁଳ ଜିଲ୍ଲାରୁ ମୋଟ୍ ୧୦ ଲକ୍ଷ ୭୭୯କୁଇଣ୍ଟାଲ୍ ଧାନ କ୍ରୟ କରିଥିଲା।

ଜିଲ୍ଲା କୃଷି ବିଭାଗର ଆକଳନ କହୁଛି, ଏଥର ଜିଲ୍ଲାରେ ଅମଳ ଶିଖର ଛୁଇଁଛି। ଚଳିତ ବର୍ଷ ଅନୁଗୁଳରେ ମୋଟ୍ ୮୧ହଜାର ୭୫୩ ହେକ୍ଟର ଜମିରେ ଧାନଚାଷ କରାଯାଇଥିଲା। ପ୍ରତି ହେକ୍ଟର ପିଛା ଏଥର ୩୪କୁଇଣ୍ଟାଲ୍ ଧାନ ଅମଳ ହେବାର ଅଛି ବୋଲି ବିଭାଗ ଆକଳନ କରିଛି। ମୋଟ୍ ଉପରେ ହିସାବ କଲେ, ଜିଲ୍ଲାରୁ ଏଥର ଆନୁମାନିକ ୨୭ଲକ୍ଷ ୭୯ହଜାର ୬୦୨କୁଇଣ୍ଟାଲ୍ ଧାନ ଅମଳ ହେବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଲ୍ କୁମାର ସ୍ବାଇଁ କହିଛନ୍ତି।
ଗତବର୍ଷ ଯୋଗାଣ ବିଭାଗ ଅନୁଗୁଳ ଜିଲ୍ଲାରୁ ୧୦ଲକ୍ଷ ୭୭୯ କୁଇଣ୍ଟାଲ୍ ଧାନ କ୍ରୟ କରିଥିଲା। ଚଳିତବର୍ଷ ଯଦି ୨୮ଲକ୍ଷ କୁଇଣ୍ଟାଲ୍ ଧାନ ଅମଳ ହେବାକୁ ଯାଉଛି, ତେବେ ଅବଶିଷ୍ଟ ୧୮ଲକ୍ଷ କୁଇଣ୍ଟାଲ୍ ଧାନ କ’ଣ ହେବ? ଚାଷୀ କାହାକୁ ବିକିବ ବୋଲି ସ୍ବତଃ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ଅନୁଗୁଳ ଜିଲ୍ଲା ଯୋଗାଣ ଅଧିକାରୀ ସ୍ମିତା ନାୟକ କହିଛନ୍ତି, ଚାଷୀ ସହିତ ସରକାର ସିଧାସଳଖ ସମ୍ପର୍କରେ ରହୁଛନ୍ତି। ସରକାର ଯେତିକି ଧାନ କିଣିବାକୁ ଚାହିଁବେ, ସେତିକି ଧାନ କିଣା ହେବ ବୋଲି ଶ୍ରୀମତୀ ନାୟକ ପ୍ରକାଶ କରିଛନ୍ତି।