ଭିଜୁଛି ଧାନ, ଚିନ୍ତାରେ ଚାଷୀ

ବରଗଡ଼ : ଦୁଇ ଦିନ ‌ହେଲା କୋହଲା ପାଗ ଏବଂ ସାମାନ୍ୟ ବର୍ଷା ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ଚିନ୍ତାଜନକ କରିଦେଇଛି। କିଛି ଦିନ ବର୍ଷା ଛିଞ୍ଚିବ ବୋଲି ପାଣିପାଗ ପୂର୍ବାନୁମାନ ଥିଲା। ଚାଷୀ ନିଜ ଧାନକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି। ତଥାପି ପ୍ରଶାସନ ପକ୍ଷରୁ କିଛି ଜରୁରୀ ବ୍ୟବସ୍ଥା ହେଲା ନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଫଳରେ ଏବେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ଭିଜୁଛି। ଟୋକନ୍‌କୁ ନେଇ ଜିଲ୍ଲାରେ ବିଭ୍ରାଟ ପ୍ରଶମିତ ହୋଇନାହିଁ। ଚାଷୀଙ୍କ ଧାନ ମଣ୍ଡିରେ ଗଦା ହୋଇଛି। ସ୍ଥାନାଭାବରୁ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଜିଲ୍ଲାର ବିଭିନ୍ନ ଆର୍‌ଏମ୍‌ସି ଅଧୀନରେ ଥିବା ମାର୍କେଟୟାର୍ଡରେ ୬,୯୬,୮୭୯ ବସ୍ତା ଧାନ ପଡ଼ିଛି। ଯାହାର ପରିମାଣ ୩,୦୫,୩୨୩ କ୍ବିଣ୍ଟାଲ ହେବ।

ଜିଲ୍ଲାରେ ଏଥର ନଭେମ୍ବର ୨୧ ତାରିଖରୁ ଧାନକିଣା ଆରମ୍ଭ ହୋଇଛି। କିନ୍ତୁ ପ୍ରଶାସନ ସଂପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନାରେ ବ୍ୟସ୍ତ ରହି ଧାନକିଣା ପ୍ରକ୍ରିୟାକୁ ଅଣଦେଖା କରିଛି। ଫଳସ୍ବରୂପ ପଦ୍ମପୁରରେ ୨,୩୩,୧୨୩ କ୍ବିଣ୍ଟାଲ ଧାନ ପଡ଼ିରହିଛି। ପାଖାପାଖି ୯୮ହଜାର ଚାଷୀଙ୍କ ଧାନ ଏଯାଏ ଉଠିନାହିଁ। ଏବେ ପ୍ରତିକୂଳ ପାଗ ଯୋଗୁଁ ଧାନର ଆର୍ଦ୍ରତା ବଢ଼ୁଥିବା ଦର୍ଶାଇ କଟ୍‌ନି ଛଟ୍‌ନି ଆହୁରି ବଢ଼ିବା ଆଶଂକା ସୃ‌ଷ୍ଟି ହୋଇଛି। ଏଣେ ବର୍ଷା ଆଶଂକା କରି ଚାଷୀ ଚିନ୍ତାରେ। ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କୁ ପର୍ଯ୍ୟାପ୍ତ ପଲିଥିନ୍‌ ଯୋଗାଇ ଦିଆଇନଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ପଲିଥିନ୍ କିଣି ଧାନକୁ ସୁରକ୍ଷା ଦେଇଛି। ବହୁ ମଣ୍ଡି କିଂବା କ୍ରୟକେନ୍ଦ୍ରରେ ସ୍ଥାୟୀ ଛାଉଣି ହୋଇପାରିଲା ନାହିଁ। କେବଳ କାମଚଳା ପାଇଁ କିଛି ସ୍ଥାନରେ ଆଜ୍‌ବେଷ୍ଟସ କରାଯାଇଛି।

ପାଚିଲା ଧାନକୁ ବର୍ଷା ମାଡ଼

ବ୍ରହ୍ମପୁର : ଧାନ ଅମଳ ବେଳକୁ ପୁଣି ଦାଉ ସାଧିଛି ପ୍ରକୃତି। ତାମିଲନାଡ଼ୁ ଓ ଆନ୍ଧ୍ର ଉପକୂଳରେ ବାତ୍ୟା ମାଣ୍ଡୋସ୍‌ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଠାରୁ ଝିପିଝିପି ବର୍ଷା ଚାଲିଛି। ବର୍ଷା ପରିମାଣ ସେତେଟା ଅଧିକ ନଥିଲେ ମଧ୍ୟ ଅମଳ ଏକ ପ୍ରକାର ଅଟକି ଯାଇଛି। ପାଗ ମେଘୁଆ ରହିଥିବାରୁ ବଡ଼ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ରହିଛନ୍ତି। ଧାନ ଅମଳ ବେଳକୁ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଗତବର୍ଷ ମଧ୍ୟ ଠିକ୍‌ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାର ଖରିଫ୍‌ ଧାନ ଫସଲ ବ୍ୟାପକ ନଷ୍ଟ ହୋଇଥିଲା। ଯାହା ଫଳରେ ଚାଷୀକୁଳ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜିଲ୍ଲାର ଅଧିକାଂଶ ବ୍ଲକ୍‌ରେ ଏବେ ଧାନ କଟା ଚାଲିଛି। ଚାଷୀ ଧାନ ବିକ୍ରି କରିବା ପାଇଁ ଜଗି ବସିଛନ୍ତି। ଏଭଳି ସ୍ଥିତିରେ ବର୍ଷା ହେଲେ ନିଶ୍ଚିତ ଭାବେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର