ମଣ୍ଡିରେ ଧାନ ଭିଜି ଗଜା, ଏଣେ ଓଡ଼ିଶା ମିଲ୍‌ରେ ପଶୁଛି ଛତିଶଗଡ଼ ଧାନ

ବରଗଡ଼ : ଜିଲ୍ଲା‌ରେ ‘ନୀତି ବିହୀନ’ ଧାନକିଣା ନୀତି ଚାଲିଛି। ଧାନବିକ୍ରି ପାଇଁ ଭିତ୍ତିଭୂମି ସୃଷ୍ଟି ହେବା ତ ଦୂରର କଥା, ଠିକଣା ଭାବେ ଧାନବିକ୍ରି ମଧ୍ୟ ହେଉନାହିଁ। ଯଦ୍ବାରା ଚାଷୀଙ୍କୁ ଜାଣିଶୁଣି ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଉଛି। ମିଲର୍ସମାନେ ଧାନକିଣାରେ ମନମାନୀ କରୁଥିବାବେଳେ ଏହାକୁ ପ୍ରଶାସନିକ ସ୍ତରରେ ପ୍ରଶ୍ରୟ ଦିଆଯାଉଛି। ଧାନକିଣା ଆରମ୍ଭ ହେବା ଦିନଠୁ ଜିଲ୍ଲାର ସବୁ ମଣ୍ଡି ଏବଂ କ୍ରୟକେନ୍ଦ୍ରଗୁଡ଼ିକରେ ଅଚଳାବସ୍ଥା ଲାଗି ରହିଛି। କୌଣସି ସ୍ଥାନରେ ଧାର୍ଯ୍ୟ ମୁତାବକ ଧାନ ଖରିଦ ହୋଇନାହିଁ। ଯଦି ମଣ୍ଡିରୁ ଧାନ ଉଠୁନି, ତେବେ ମିଲ୍‌ଗୁଡ଼ିକରେ ପ୍ରତିଦିନ ଶହଶହ ଗାଡ଼ି କେଉଁଠୁ ଆସୁଛି, ତାହା ତଦନ୍ତ ସାପେକ୍ଷ।

ଗୋଟିଏ ତଥ୍ୟ ସ୍ପଷ୍ଟ ଯେ, ଛତିଶଗଡ଼ରୁ ପ୍ରତିଦିନ ହଜାର ହଜାର କ୍ବିଣ୍ଟାଲ ଧାନ ଓଡ଼ିଶାକୁ ପ୍ରବେଶ କରୁଛି। ସୋହେଲା, ପଦ୍ମପୁର ଏବଂ ଅମ୍ବାଭୋନା ଦେଇ ନିୟମିତ ଧାନ ବୋଝେଇ ଟ୍ରକ୍‌ ସୀମା ଲଂଘି ଓଡ଼ିଶାକୁ ଆସୁଛି। ସୀମାନ୍ତବର୍ତୀ ମିଲ୍‌ଗୁଡ଼ିକରେ ଧାନ ଗଚ୍ଛିତ ରହୁଛି। ଛତିଶଗଡ଼ରେ ରବି ଧାନ କିଣା ବ୍ୟବସ୍ଥା ନଥିବାରୁ ଅତିକମ୍‌ ଦରରେ ସେଠାକାର ଚାଷୀମାନେ ଓଡ଼ିଶାରେ ଧାନବିକ୍ରି କରୁଛନ୍ତି। ସେଥିରୁ ପ୍ରଚୁର ମୁନାଫା ଉଠାଇବା ପାଇଁ ଓଡ଼ିଶାର ମିଲର୍ସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ବରଗଡ଼ ଜିଲ୍ଲାର ଚାଷୀଙ୍କୁ ଛାଡ଼ି ଏଠାକାର ମିଲର୍ସଙ୍କୁ ଛତିଶଗଡ଼ ପ୍ରେମ ଲାଗିଛି।

ବରଗଡ଼ ଜିଲ୍ଲାରୁ ଧାନ ଉଠୁନଥିବାରୁ ମଣ୍ଡିରେ ଧାନ ଗଜା ହେଲାଣି। ବରଗଡ଼ ବ୍ଲକ ସମେତ ପଦ୍ମପୁର, ଝାରବନ୍ଧ ସମେତ ବିଭିନ୍ନ ବ୍ଲକରେ ସ୍ଥିତି ସଂଗିନ। ପ୍ରାୟ ପ୍ରତିଦିନ ବର୍ଷା ହେଉଥିବାରୁ ଖୋଲା ଆକାଶ ତଳେ ପଡ଼ିଥିବା ଧାନ ଭିଜି ଗଜା ହୋଇଗଲାଣି। ଜିଲ୍ଲା ଯୋଗାଣ ବିଭାଗ ହାତବାନ୍ଧି ବସିବା ସ୍ଥିତିକୁ ବିଗାଡ଼ି ଦେଇଛି। ଟ୍ୟାଗ୍‌ ମିଳୁନଥିବା ଦର୍ଶାଇ ମିଲର୍ସମାନେ ଫାଙ୍କୁଥିବାବେଳେ ଯୋଗାଣ ବିଭାଗ ଚତୁରତାର ସହ ଚାଷୀଙ୍କ ସହ ଖେଳ ଖେଳି ଚାଲିଛି। କିଛି ଦିନ ତଳେ ଭଟଲି ବ୍ଲକ୍‌ରେ ଛତିଶଗଡ଼ରୁ ଆସୁଥିବା ପ୍ରଚୁର ଧାନ ଜବତ ହୋଇଥିଲା। ମାମଲାର ଖୋଳତାଡ଼ ବି ହୋଇଥିଲା। କିନ୍ତୁ ଛତିଶଗଡ଼ର ଧାନ ଚାଲାଣ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ କିଛି ପ୍ରସ୍ତୁତି ହୋଇନାହିଁ। ଫଳରେ ଜିଲ୍ଲାରେ ଧାନ କିଣା ଅଚଳାବସ୍ଥା ଲାଗି ରହିଥିବାବେଳେ ପ୍ରଶାସନ ପକ୍ଷରୁ ବାହାର ରାଜ୍ୟର ଧାନ ଚାଲାଣ ଉପରୁ କିଛି ରୋକ୍‌ ଲାଗିନାହିଁ।

ସମ୍ବନ୍ଧିତ ଖବର